ପ୍ରଥମ ମ୍ୟାଚରେ ପାକିସ୍ତାନର ଆତ୍ମସମର୍ପଣ

ନଟ୍ଟିଂହାମ୍: ଦୁଇବର୍ଷ ତଳେ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ପାକିସ୍ତାନ ଚଳିତ ବିଶ୍ୱକପରେ ନୈରାଶ୍ୟଜନକ ଆରମ୍ଭ କରିଛି। ଶୁକ୍ରବାର ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ତା’ର ଦମଦାର ବୋଲିଂ ବଳରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ପାକିସ୍ତାନ କ୍ୟାରିବିୟାନ୍ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ୨୧.୪ ଓଭରରେ ମାତ୍ର ୧୦୫ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ବିଶ୍ୱକପରେ ପାକିସ୍ତାନର ଏହା ଦ୍ୱିତୀୟ ସର୍ବନିମ୍ନ ସ୍କୋର। […]

wi

wi

Hemant Lenka
  • Published: Friday, 31 May 2019
  • Updated: 31 May 2019, 06:42 PM IST

Sports

Latest News

ନଟ୍ଟିଂହାମ୍: ଦୁଇବର୍ଷ ତଳେ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ପାକିସ୍ତାନ ଚଳିତ ବିଶ୍ୱକପରେ ନୈରାଶ୍ୟଜନକ ଆରମ୍ଭ କରିଛି। ଶୁକ୍ରବାର ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ତା'ର ଦମଦାର ବୋଲିଂ ବଳରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ପାକିସ୍ତାନ କ୍ୟାରିବିୟାନ୍ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରି ୨୧.୪ ଓଭରରେ ମାତ୍ର ୧୦୫ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ବିଶ୍ୱକପରେ ପାକିସ୍ତାନର ଏହା ଦ୍ୱିତୀୟ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ୧୯୯୨ରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ମାତ୍ର ୭୪ ରନରେ ଅଲଆଉଟ୍ ହୋଇଥିଲା। ୧୦୬ ରନର ସହଜ ବିଜୟଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ ମାତ୍ର ୧୩.୪ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଛି।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ମାତ୍ର ୩୩ ବଲରେ ଅର୍ଦ୍ଧଶତକ ମାରି ପାକିସ୍ତାନ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଦମଦାର ବୋଲିଂ ପ୍ରଦର୍ଶନ ପାଇଁ ୱିଣ୍ଡିଜ୍ ଦଳର ପେସ୍ ବୋଲର ଓଶାନି ଥୋମାସ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ଆରମ୍ଭରୁ ପାକ୍ ବୋଲରଙ୍କୁ ଆକ୍ରମଣ କରିଥିଲା। ବିଶେଷକରି ୟୁନିଭର୍ସାଲ୍ ବସ୍ ଗେଲ୍ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ଛକା ଓ ଚୌକା ବର୍ଷା କରିଥିଲେ। ତାଙ୍କ ସହ ଓପନ୍ କରିବାକୁ ଆସିଥିବା ଶାଇ ହୋପ୍ ଖରାପ ବ୍ୟାଟିଂ କରି ମାତ୍ର ୧୧ ରନ୍ କରି ମହମ୍ମଦ ଆମୀରଙ୍କ ବଲରେ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ଗେଲଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୩୬ ରନ୍ ଯୋଡ଼ିଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଡାରେନ୍ ବ୍ରାଭୋ ଖାତା ଖୋଲିପାରି ନଥିଲେ। ଗେଲ୍ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ମାରିଥିଲେ ହେଁ, ଏହିଠାରୁ ଆଗକୁ ବଢ଼ିପାରି ନଥିଲେ। ସେ ୩୪ ବଲରେ ୬ ଚୌକା ଓ ୩ ଛକା ସହ ୫୦ ରନ୍ କରି ଆମୀରଙ୍କ ଶିକାର ହୋଇଥିଲେ। ନିକୋଲାସ ପୂରାନ୍ ଓ ଶିମରନ୍ ହେଟମେୟର ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୪୧ ରନ୍ ଯୋଡ଼ି ଟିମକୁ ବିଜୟୀ କରାଇଥିଲେ। ପୂରାନ୍ ଧୂଆଁଧାର ବ୍ୟାଟିଂ କରି ୧୯ ବଲରେ ୪ ଚୌକା ଓ ୨ ଛକା ସହ ୩୪ ଓ ହେଟମେୟର୍ ୭ ରନ୍ କରି ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ଆମୀର ୩ଟି ଯାକ ସଫଳତା ପାଇଥିଲେ।

ଏହା ପୂର୍ବରୁ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲ୍ଡର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ତାଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା ଏବଂ ମ୍ୟାଚର ତୃତୀୟ ଓଭରରେ ହିଁ ୱେଷ୍ଟଇଣ୍ଡିଜକୁ ସଫଳତା ମିଳିଥିଲା। ପାକିସ୍ତାନ ଓପ୍ନର ଇମାମ୍-ଉଲ୍-ହକ୍ ମାତ୍ର ୨ ରନ୍ କରି ୱିଣ୍ଡିଜ୍ ବାମହାତୀ ପେସର ଶେଲଡନ୍ କଟ୍ଟରେଲଙ୍କ ବଲରେ ଆଉଟ୍ ହୋଇଥିଲେ।

ଅନ୍ୟତମ ଓପ୍ନର ଫକର ଜମାନ୍ ଓ ଟିମର ସବୁଠାରୁ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ବାବର ଆଜମ କ୍ରିଜରେ ବେଶୀ ସମୟ ତିଷ୍ଠିପାରି ନଥିଲେ। ଫକର ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ, କିନ୍ତୁ ତାଙ୍କୁ ୱିଣ୍ଡିଜ୍ ଟିମର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ କ୍ଲିନ୍ ବୋଲ୍ଡ କରିଥିଲେ। ଫକର ୧୬ ବଲରେ ୨ ଚୌକା ଓ ୧ ଛକା ସହ ୨୨ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ହାରିସ୍ ସୋହେଲ୍ (୮) ମଧ୍ୟ ନିରାଶ କରିଥିଲେ। ବାବର ଆଜମ (୨୨) ଓ ଅଧିନାୟକ ସର୍ଫରାଜ ଅହମ୍ମଦ (୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

ନିଜର ବିଦାୟୀ ବିଶ୍ୱକପ୍ ଖେଳୁଥିବା ମହମ୍ମଦ ହଫିଜ୍ ୧୬ ରନ୍ କରି ଥୋମାସଙ୍କ ବଲରେ କଟ୍ଟରେଲଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଶେଷଭାଗରେ ଇମାଦ ୱାସିମ୍ (୧), ଶଦାବ ଖାନ୍ (୦) ଓ ହାସନ୍ ଅଲୀ (୧) ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇନଥିଲେ। ତେବେ ଦଶମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ୱହାବ ରିଆଜ ଦ୍ରୁତ ରନ୍ ସଂଗ୍ରହ କରି ପାକିସ୍ତାନ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ରିଆଜ ୧୧ ବଲରେ ୧ ଚୌକା ଓ ୨ ଛକା ସହ ୧୮ ରନ୍ କରି ଅନ୍ତିମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ମହମ୍ମଦ ଆମୀର ୩ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜର ସଫଳ ବୋଲର ଭାବେ ଥୋମାସ ୨୭ ରନ୍ ଦେଇ ୪ଟି ଓ ହୋଲ୍ଡର ୪୨ ରନ୍ ଦେଇ ୩ଟି ଏବଂ ରସେଲ୍ ୨ଟି ୱିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର

ପାକିସ୍ତାନ ୧୦୫, ୨୧.୪ ଓଭର: ଫକର ଜମାନ୍ ୨୨, ବାବର ଆଜମ୍ ୨୨, ୱହାବ ରିଆଜ ୧୮, ମହମ୍ମଦ ହଫିଜ୍ ୧୬, ଓଶାନି ଥୋମାସ ୪/୨୭, ଜେସନ୍ ହୋଲ୍ଡର ୩/୪୨, ଆନ୍ଦ୍ରେ ରସେଲ୍ ୨/୪ ।

ୱେଷ୍ଟଇଣ୍ଡିଜ୍ ୧୦୮/୩, ୧୩.୪ ଓଭର: କ୍ରିସ୍ ଗେଲ୍ ୫୦, ନିକୋଲାସ ପୂରାନ୍ ୩୪*, ଶିମରନ୍ ହେଟମେୟର୍ ୭*, ମହମ୍ମଦ ଆମୀର୍ ୩/୨୬ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos