ବିଶ୍ୱକପରେ ଆଜି ୩ଟି ମୁକାବିଲା: ପର୍ତ୍ତୁଗାଲ ଓ ସ୍ପେନ ମଧ୍ୟରେ ବହୁ ପ୍ରତିକ୍ଷୀତ ମ୍ୟାଚ ପାଇଁ କ୍ରୀଡ଼ାପ୍ରେମୀ ଉତ୍ସାହିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପର ଗ୍ରୁପ୍ ବିରେ ଆଜି ୩ଟି ମ୍ୟାଚ୍ ଖେଳାଯିବ। ଆଜିର ପ୍ରଥମ ମ୍ୟାଚରେ ଇଜିପ୍ଟକୁ ଭେଟିବ ଉରୁଗୁଏ। ଯାହା ଭାରତୀୟ ସମୟ ସାଢେ ୫ଟାରେ ଖେଳାଯିବ। ସେହିପରି ଦ୍ୱିତୀୟ ମ୍ୟାଚରେ ମରକ୍କୋକୁ ଭେଟିବ ଇରାନ୍। ଏହି ମ୍ୟାଚ୍‌ ଭାରତୀୟ ସମୟ ରାତି ସାଢେ ୮ରେ ଖେଳାଯିବ। ହେଲେ ଆଜିର ସବୁଠୁ ବଡ଼ ମ୍ୟାଚ୍‌ ଦେଖିବାକୁ ମିଳିବା ୟୁରୋପ ମହାଦେଶର ଦୁଇ ପଡ଼ୋଶୀ ଦେଶ ମଧ୍ୟରେ।

୨୦୧୦ର ବିଶ୍ୱ ବିଜେତା ସ୍ପେନକୁ ଟକ୍କର ଦେବାକୁ ପଡ଼ିଆକୁ ଓହ୍ଲାଇବ ୨୦୧୬ର ୟୁରୋ ଚାଂପିଅନ୍ ପର୍ତ୍ତୁଗାଲ। ତେବ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରରେ ରହିବେ ପର୍ତ୍ତୁଗାଲ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋ। କ୍ଲବ ମ୍ୟାଚରେ ଅନେକ ସଫଳତା ସାଉଁଟିଥିବା ରୋନାଲ୍ଡୋ ନିଜ ଦେଶ ପାଇଁ ପ୍ରଥମ ବିଶ୍ୱକପ୍ ଭେଟି ଦେବାକୁ ଉଦ୍ୟମ କରିବେ।

ଦୁଇ ଯୁରୋପୀୟ ଶକ୍ତି ସ୍ପେନ୍ ଓ ପର୍ତ୍ତୁଗାଲ ମଧ୍ୟରେ ବହୁ ପ୍ରତିକ୍ଷୀତ ମ୍ୟାଚ୍ ଆଜି ଖେଳାଯିବ। ଫିଫା ମାନ୍ୟତା ଦୃଷ୍ଟିରୁ ସ୍ପେନ୍ ଦଶମ ସ୍ଥାନରେ ଥିବାବେଳେ ପର୍ତ୍ତୁଗାଲ ଅଛି ଚତୁର୍ଥ ସ୍ଥାନରେ। କିନ୍ତୁ ରେକର୍ଡ ଦୃଷ୍ଟିରୁ ସ୍ପେନ୍ ଶକ୍ତିଶାଳୀ ମନେ ହେଉଛି। ଉଭୟ ଦେଶ ମଧ୍ୟରେ ଖେଳା ଯାଇଥିବା ୩୬ଟି ମ୍ୟାଚରୁ ସ୍ପେନ୍ ୧୭ଟିରେ ବିଜୟୀ ହୋଇଥିବା ବେଳେ ପର୍ତ୍ତୁଗାଲ୍ ଜିତିଛି ୧୨ଟି ମ୍ୟାଚ୍। ୭ଟି ମ୍ୟାଚ୍ ଡ୍ର ରହିଛି। ୨୦୧୦ରେ ବିଶ୍ୱ ବିଜେତା ହେବାର ସୌଭାଗ୍ୟ ବି ଲାଭ କରିଛି ସ୍ପେନ୍। କିନ୍ତୁ କୌଣସି ବି କ୍ରୀଡ଼ା ଅତୀତର ରେକର୍ଡ ନୁହେଁ, ବର୍ତ୍ତମାନର ଫର୍ମକୁ ନେଇ ଖେଳାଯାଏ।

ଚଳିତ ବିଶ୍ୱକପ ଆରମ୍ଭ ହେବାର ୨ ଦିନ ପୂର୍ବରୁ କୋଚ୍ ଜୁଲେନ୍ ଲୋପେତଗୁଇଙ୍କ ବହିଷ୍କାର, ଖେଳାଳିଙ୍କ ଉପରେ ମାନସିକ ଚାପ ପକାଇପାରେ। ତେଣୁ ଏହାକୁ ଭୁଲି ପଡ଼ିଆରେ ଭଲ ପ୍ରଦର୍ଶନ ଦେଖାଇବାକୁ ଉଦ୍ୟମ କରିବ ସ୍ପେନ୍। ୨୦୧୦ ବିଶ୍ୱକପ ଖେଳିଥିବା ୬ଜଣ ଖେଳାଳି ଏବେବି ଦଳରେ ଅଛନ୍ତି। ଯେଉଁମାନଙ୍କ ଅଭିଜ୍ଞତା ଦଳକୁ ସାହାଯ୍ୟ କରିପାରେ। ଆନ୍ଦ୍ରେ ଇନେସ୍ତା, ଡେଭିଡ୍ ସିଲ୍ଭା ଓ ଡିଏଗୋ କୋଷ୍ଟାଙ୍କ ଭଳି ଜଣେ ଜଣେ ମ୍ୟାଚ୍ ବିଜୟୀ ଖେଳାଳି ଅଛନ୍ତି। ଆଉ ସର୍ବପରି ଅଧିନାୟକ ତଥା ଡିଫେଣ୍ଡର ସରଜିଓ ରାମୋସଙ୍କ ରକ୍ଷଣାତ୍ମକ ଶୈଳୀକୁ ମାତ୍ ଦେବା ଯେ କୌଣସି ବିପକ୍ଷ ଦଳ ପାଇଁ କଷ୍ଟସାଧ୍ୟ ହେବ।

ଫର୍ମ ଦୃଷ୍ଟିରୁ ଦେଖିଲେ ଆଗରେ ରହିବ ପର୍ତ୍ତୁଗାଲ୍ ଦଳ। ୨୦୧୬ରେ ୟୁରୋ କପ୍ ଚାଂପିଅନ ହୋଇଥିଲା ଏହି ଟିମ୍‌। ୟୁରୋ କପର ସଫଳତା ଦୋହରାଇବା ଲକ୍ଷ୍ୟରେ ପଡ଼ଇାକୁ ଓହ୍ଲାଇବ ପର୍ତ୍ତୁଗାଲ୍। ଆଉ ଏହାର ଷ୍ଟାର ଖେଳାଳି ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ରହିବ ସମଗ୍ର କ୍ରୀଡ଼ାପ୍ରେମୀଙ୍କ ନଜର। କ୍ଲବ ଫୁଟବଲରେ ଅନେକ ସଫଳତା ପାଇଥିବା ରୋନାଲ୍ଡୋଙ୍କ ବିଶ୍ୱକପ ରେକର୍ଡ ସେତେଟା ଭଲ ନୁହେଁ। କ୍ୟାରିଅରରେ ମୋଟ୍ ୮୧ଟି ଗୋଲ୍ ଦେଇଥିବା ଏହି ରିଅଲ୍ ମାଦ୍ରିଦ୍ ଖେଳାଳିଙ୍କ ବିଶ୍ୱକପ ଗୋଲ୍ ସଂଖ୍ୟା ମାତ୍ର ୩ରେ ସୀମିତ ତାହା ପୁଣି ଇରାନ୍, ଉତ୍ତର କୋରିଆ ଓ ଘାନା ଭଳି ଅପେକ୍ଷାକୃତ ଦୁର୍ବଳ ଦେଶ ବିପକ୍ଷରେ।

ସମ୍ଭବତଃ ଶେଷ ବିଶ୍ୱକପ ଖେଳୁଥିବା ୩୩ ବର୍ଷୀୟ ରୋନାଲ୍ଡୋ ନିଜ ଦେଶକୁ ପ୍ରଥମ ବିଶ୍ୱକପ ଟାଇଟଲ ଭେଟି ଦେବା ସହ ଅନ୍ତର୍ଜାତୀୟ କ୍ୟାରିଅରକୁ ବିଦାୟ ଦେବାକୁ ଚାହିଁବେ। ରୋନାଲ୍ଡୋଙ୍କ ବ୍ୟତୀତ ଡିଫେଣ୍ଡର ବ୍ରୁନୋ ଅଲଭେସ୍, ପେପେ ଓ ଆନ୍ଦ୍ରେ ସିଲଭାଙ୍କ ଭଳି ଖେଳାଳି ବି ବିପକ୍ଷ ଦଳକୁ ଅଡୁଆରେ ପକାଇବାର କ୍ଷମତା ରଖିଛନ୍ତି।