ସତ ହେଲା ସଚିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ କ୍ରିକେଟରୁ ସନ୍ନ୍ୟାସ ନେବାର ୬ ବର୍ଷ ହୋଇଗଲାଣି। ମଇଦାନ ଭିତରେ ସଚିନଙ୍କ ଦକ୍ଷତା ସମ୍ପର୍କରେ ପୂରା ଦୁନିଆ ଅବଗତ, କିନ୍ତୁ ମଇଦାନ ବାହାରେ ବି ସଚିନଙ୍କ ଯାଦୁ ଏବେବି କାଏମ ରହିଛି। ଯେଉଁଠି କ୍ରିକେଟ୍ କଥା କୁହାଯିବ, ସେହିଠାରେ ସଚିନଙ୍କ ପରାମର୍ଶ ଓ ତାଙ୍କ ଦୃଷ୍ଟିକୋଣକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ।

ବର୍ତ୍ତମାନ ବିଶ୍ୱକପ୍ ଚାଲିଛି, ତେଣୁ ଏହି ସମୟରେ ଯଦି ସଚିନଙ୍କ କଥା ଅଧିକ ଉଠିବା ସ୍ୱାଭାବିକ। ବିଶେଷକରି ସଚିନଙ୍କ ଭବିଷ୍ୟବାଣୀ ବାସ୍ତବରେ ପରିଣତ ହୋଇଛି। ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ସଚିନ ଭବିଷ୍ୟବାଣୀ କରିଥିଲେ ଯେ, କେଉଁ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବ ଏବଂ କେଉଁ ଟିମ୍ ବାଦ୍ ପଡ଼ିବ।

ସଚିନ ଇଏସପିଏନ୍ କ୍ରିକଇନଫୋକୁ ଦେଇଥିବା ଇଣ୍ଟରଭ୍ୟୁରେ ବିଶ୍ୱକପର ନିଜର ଶୀର୍ଷ ଚାରି ଟିମ୍ ନାମର ଘୋଷଣା କରିଥିଲେ, ଯେଉଁ ଟିମ୍ ସେମିଫାଇନାଲରେ ପହଞ୍ଚିବା ପାଇଁ ଦୃଢ଼ ଦାବିଦାର। ସଚିନ କହିଥିଲେ, ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିରେ ନିଶ୍ଚିତ ପହଞ୍ଚିବେ। ଚତୁର୍ଥ ଟିମ୍ ପାଇଁ ସେ ନ୍ୟୁଜିଲ୍ୟାଣ୍ଡ୍ ଓ ପାକିସ୍ତାନ ନାଁ ନେଇଥିଲେ। ଏବେ ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲରେ ପହଞ୍ଚିବା ପ୍ରାୟତଃ ପକ୍କା ହୋଇସାରିଥିବାରୁ ସଚିନଙ୍କ ଭବିଷ୍ୟବାଣୀ ସତ ହୋଇଛି।

ସଚିନ ଟିମ୍ ଇଣ୍ଡିଆର ସେମିଫାଇନାଲର ପହଞ୍ଚିବା ନେଇ ଆଶାୟୀ ଥିଲେ। ସଚିନ କହିଥିଲେ, “ଭାରତର ସବୁ ଖେଳାଳି ଲୟରେ ଅଛନ୍ତି ଏବଂ ସମସ୍ତେ ନିଜ ନିଜର ଦାୟିତ୍ୱକୁ ଭଲଭାବେ ବୁଝିବାରେ ଲାଗିଛନ୍ତି ।”

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଦୁଇଥର ବିଶ୍ୱକପ୍ ଟାଇଟଲ୍ ଜିତିସାରିଛି । ୧୯୮୩ରେ କପିଲ୍ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ବିଶ୍ୱ ବିଜେତା ହୋଇଥିଲା। ଏହାର ୨୮ ବର୍ଷ ପରେ ଅର୍ଥାତ୍ ୨୦୧୧ରେ ଭାରତରେ ଆୟୋଜିତ ବିଶ୍ୱକପରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଚାମ୍ପିଅନ୍ ହୋଇଥିଲା। ଏହାବ୍ୟତୀତ ଭାରତ ୨୦୦୭ରେ ଖେଳାଯାଇଥିବା ପ୍ରଥମ ଟି-୨୦ ବିଶ୍ୱକପ୍ ମଧ୍ୟ ନିଜ ନାମରେ କରିସାରିଛି।