ଟିଟ୍ୱେଣ୍ଟି ସିରିଜ୍: ଇଂଲଣ୍ଡକୁ ୫ ରନ୍‌ରେ ହରାଇଲା ଭାରତ

ନାଗପୁର: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟିଟ୍ୱେଣ୍ଟି ମ୍ୟାଚ୍‌କୁ ୫ ରନ୍‌ରେ ଜିତି ନେଇଛି ଭାରତ। ଶେଷ ଓଭରରେ ବୁମରାଙ୍କ ଯାଦୁକରୀ ବୋଲିଂ ଭାରତକୁ ବିଜୟ ଦେଇଛି। ଏହା ସହିତ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଉଭୟ ଗୋଟିଏ ଗୋଟିଏ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି। ତେଣୁ ଫେବୃଆରୀ ୧ରେ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଉଭୟ ଦଳ ଉକ୍ତ ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ ଉଦ୍ୟମ କରିବେ।

ଆଜି ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା।  ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୪୪ ରନ୍ ସଂଗ୍ରହ କରିଥିଲା। ଲୋକେଶ ରାହୁଲ ସର୍ବାଧିକ ୭୧ ରନ୍ କରିଥିଲେ। ସେ ୪୭ଟି ବଲ୍‌ରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ୭୧ ରନ୍ କରିଥିଲେ। ଅଧିନାୟକ ବିରାଟ କୋହଲି ମାତ୍ର ୨୧ ରନ୍ କରି ଆଉଟ୍ ହୋଇଥିଲେ। ସୁରେଶ ରୈନା ୭ ରନ୍, ଯୁବରାଜ ସିଂ ୪, ମନୀଷ ପାଣ୍ଡେ ୩୦, ଧୋନି ୫, ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ୍ କରିଥିଲେ। ଅମିତ ମିଶ୍ରା କୌଣସି ରନ୍ ନ କରି ଆଉଟ୍ ହୋଇଯାଇଥିଲେ।

ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

୧୪୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଟିମ୍‌ ୨୨ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା। ଜାସନ୍ ରୟ ୧୦ ରନ୍ କରି ଆଉଟ୍ ହୋଇଥିଲେ। ସାମ୍ ବିଲିଙ୍ଗସ୍‌ ମାତ୍ର ୧୨ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ମୋର୍ଗାନ ୧୭ ରନ୍ କରି ଆଉଟ୍ ହୋଇଥିଲେ। ବେନ୍ ଷ୍ଟକ୍ସ ୩୮ ରନ୍ କରିଥିବା ବେଳେ ଜୋ ରୁଟ୍‌ ୩୮ ରନ୍ କରି ଆଉଟ୍ ହୋଇଥିଲେ। ଜୋସ୍‌ ବଟଲର୍‌ ୧୫ ରନ୍ କରି ଆଉଟ୍ ହୋଇଥିବା ବେଳେ ମୋଇନ୍ ଅଲ୍ଲୀ ୧ ଓ କ୍ରିସ୍ ଜୋର୍ଡାନ କୌଣସି ରନ୍ ନ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ଆଶିଷ ନେହରା ୩ଟି ୱିକେଟ୍ ନେଇଥିବା ବେଳେ ଜଶପ୍ରୀତ ବୁମରା ୨ଟି ଓ ଅମିତ ମିଶ୍ରା ଗୋଟିଏ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଇଂଲଣ୍ଡ ଉଭୟ ଟେଷ୍ଟ୍ ଓ ଦିନିକିଆ ସିରିଜ୍‌ରେ ଭାରତଠାରୁ ପରାଜିତ ହୋଇଛି।