ଆଜିଠାରୁ ହକି ଇଣ୍ଡିଆ ଲିଗ୍‌

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ ୨୦୧୭ ଆଜିଠାରୁ ମୁମ୍ବାଇରୁ ଆରମ୍ଭ ହେବ। ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଦବଙ୍ଗ ମୁମ୍ବାଇ ରାଞ୍ଚି ରେଜ୍‌କୁ ଭେଟିବ। ସେହିପରି ଆସନ୍ତାକାଲିଠାରୁ କଳିଙ୍ଗ ଷ୍ଟାଡିୟମରୁ କଳିଙ୍ଗ ଲାନସର୍ସ ଦିଲ୍ଲୀ ୱେଭ୍‌ ରାଇଡର୍ସ ବିରୋଧରେ ତା’ର ଅଭିଯାନ ଆରମ୍ଭ କରିବ।

ଗତ ସିଜିନର ରନର୍ସ ଅପ୍‌ କଳିଙ୍ଗ ଲାନସର୍ସ ଚଳିତବର୍ଷ ଟାଇଟେଲ ଜିତିବା ଲକ୍ଷ୍ୟରେ ରହିଛି। ଏଥିପାଇଁ ଟିମ୍‌ ଜୋରଦାର ଅଭ୍ୟାସ ଚଳାଇଛି। ଭାରତୀୟ ଓ ବିଦେଶୀ ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ପାଇଁ କୋଚ୍‌ ମାର୍କ ହାଗର ଟିପ୍ସ ଦେଉଛନ୍ତି। ଏହାସହ ଫିଟନେସ୍‌ ଓ ମ୍ୟାଚ୍‌ ଅଭ୍ୟାସ ଉପରେ ଟିମ୍‌ ଗୁରୁତ୍ୱ ଦେଉଛି। ଗତ ସିଜିନରେ ସର୍ବାଧିକ ଗୋଲ ସ୍କୋର କରିଥିବା ଗଏନ୍‌ ଟର୍ଣ୍ଣର ମଧ୍ୟ କ୍ୟାମ୍ପରେ ସାମିଲ ହୋଇ ଅଭ୍ୟାସ କରୁଛନ୍ତି। ଅଧିନାୟକ ମୋରିକ ଫର୍ଷ୍ଟଙ୍କ ନେତୃତ୍ୱରେ ଟିମ୍‌ ଟାଇଟେଲ ହାସଲ କରିବା ଲକ୍ଷ୍ୟରେ ରହିଛି।

ଗତକାଲି ଦିଲ୍ଲୀ ୱେଭ ରାଇଡର୍ସର ଖେଳାଳି ଭୁବନେଶ୍ୱରରେ ପହଞ୍ଚି ଥିଲେ। ଟିମ୍‌ ଆଜି ଅଭ୍ୟାସ କରି ଆସନ୍ତାକାଲି ମ୍ୟାଚ୍‌କୁ ଓହ୍ଲାଇବ।