ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ

ବ୍ରିସବେନ୍: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ବ୍ରିସବେନରେ ଦ୍ୱିତୀୟ ଦିନିକିଆ ଖେଳାଯିବ। ଭାରତୀୟ ସମୟ ସକାଳ ୮ଟା୫୦ରେ ଏହି ମ୍ୟାଚ୍ ଆରମ୍ଭ ହେବ।

ମଙ୍ଗଳବାର ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭ୍ରମଣକାରୀ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ୫ୱିକେଟରେ ପରାସ୍ତ ହୋଇଛି। ଶୃଙ୍ଗଳାର ପ୍ରଥମ ମ୍ୟାଚ ଜିତି ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି।

ଭାରତୀୟ ଦଳ ଆସନ୍ତାକାଲି ମ୍ୟାଚ୍ ପାଇଁ ଚିନ୍ତାରେ ରହିଛି। କାରଣ ଗତ ମ୍ୟାଚରେ ଭଲ ବ୍ୟାଟିଂ ଓ ଫିଲ୍ଡିଂ କରିଥିଲେ ମଧ୍ୟ ମଧ୍ୟାନ୍ତରରେ ଭଲ ବୋଲିଂ ପ୍ରଦର୍ଶନ କରିପାରି ନ ଥିଲା। ପରିଣାମ ସଦୃଶ ଦଳକୁ ହାର ଦେଖିବାକୁ ପଡିଲା। ୪ଜଣ ଫାଷ୍ଟ ବୋଲରଙ୍କୁ ନେଇ ଦଳ ଆସନ୍ତାକାଲି ମ୍ୟାଚରେ ପଡିଆକୁ ଓହ୍ଲେଇବ। ଦଳ ଆସନ୍ତାକାଲି ଇଶାନ୍ତ ଶର୍ମା, ଅକ୍ଷର ପଟେଲ, ବରିନ୍ଦର ଶ୍ରାନ୍ ଓ ୟମେଶ ଯାଦବଙ୍କୁ ପ୍ରାଧାନ୍ୟ ଦେଇପାରେ। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ଲୟକୁ ଭାଙ୍ଗିବାକୁ ଦଳ ପ୍ରୟାସ କରିବ। ଏହାସହ ଗତ ମ୍ୟାଚରେ ଅପରାଜିତ ୧୭୧ ରନ କରିଥିବା ରୋହିତ ଶର୍ମା ଓ ୯୧ରନ କରିଥିବା ବିରାଟ କୋହଲି, ୨ଟି ୱିକେଟ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନ୍, ଏମଏସ ଧୋନି, ଶିଖର ଧୱାନ୍, ଆଜିଙ୍କ୍ୟ ରାହାଣେ ଓ ଗୁରୁକ୍ରୀତ ସିଂହ ପ୍ରମୁଖ ଆକ୍ରମଣାତ୍ମକ ଖେଳିବା ଆଶା କରାଯାଉଛି।

ପ୍ରଥମ ମ୍ୟାଚକୁ ୫ ୱିକେଟରେ ଜିତିଥିବାରୁ ଅଷ୍ଟ୍ରେଲିଆର ମନୋବଳ ଦୃଢ ରହିଛି। ଦଳ ଦ୍ୱିତୀୟ ଦିନିକିଆରେ ଅଲରାଉଣ୍ଡର ମିଚେଲ ମାର୍ସଙ୍କୁ ବିଶ୍ରାମ ଦେଇଛି। ପ୍ରଥମେ ବ୍ୟାଟିଂ କଲେ ଭାରତ ଆଗରେ ବିଶାଳ ସ୍କୋର କରିବାକୁ ଚେଷ୍ଟା କରିବ ଅଷ୍ଟ୍ରେଲିଆ। ଦଳ ବ୍ୟାଟିଂ ଓ ଫିଲ୍ଡିଂ ଉପରେ ଧ୍ୟାନ କେନ୍ଦ୍ରୀତ କରିଛି। ଦଳ ୭ ବ୍ୟାଟ୍ସମ୍ୟାନ ନେଇ ପଡିଆ ଓହ୍ଲେଇବା ଆଶା କରାଯାଉଛି।