ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନସିପ୍‌ ପାଇଁ ଭିଡ଼ ଜୁଟାଇବ ମାସ୍କଟ ଓଲି: ଆଜିଠୁ ବୁଲିବ ସାରା ଓଡ଼ିଶା

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନସିପ୍  ପ୍ରଚାର ପ୍ରସାର ପାଇଁ ଓଡ଼ିଶା ବୁଲିବ ମାସ୍କଟ-ଓଲି।  ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଲିର ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।  ଏକ ସୁସଜ୍ଜିତ ଏସକର୍ଟ ଗାଡ଼ିରେ ଓଲି ରାଜ୍ୟର ସବୁ ଜିଲ୍ଲା ବୁଲିବ। ୨୨ ଦିନ ଧରି ଦୁଇଟି ରୁଟ୍‌ରେ ଓଲି ସାରା ରାଜ୍ୟ ପରିଭ୍ରମଣ କରିବ। ଗୋଟିଏ ରୁଟ ଖୋର୍ଦ୍ଧା, ପୁରୀ, ଗଂଜାମ, ମାଲକାନାଗିରି ଦେଇ ଦକ୍ଷିଣ ପଶ୍ଚିମ ଓଡ଼ିଶା ବୁଲିବାକୁ ଥିବା ବେଳେ ଆଉ ଗୋଟିଏ ରୁଟରେ ଭୁବନେଶ୍ୱର ଜଗତସିଂହପୁର, କେନ୍ଦ୍ରାପଡା ଆଦି ଦେଇ ଉତ୍ତର ଓଡ଼ିଶା ଭ୍ରମଣ କରିବ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏନେଇ ରୋଡଶୋ ମାଧ୍ୟମରେ ପ୍ରଚାର ପ୍ରସାର କରାଯିବ।  ଶେଷରେ ଆସନ୍ତା ମାସ ୨ ତାରିଖରେ ଓଲି କଳିଙ୍ଗ ଷ୍ଟାଡ଼ିୟମରେ ପହଞ୍ଚିବ। ଆସନ୍ତା ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେଉଛି ଏସିଆନ୍ ଆଥଲେଟିକ ଚାମ୍ପିଅନ୍ସିପ୍।