ଦୂତୀଙ୍କ ଦବଦବାରେ ଲାଗିଲା ବ୍ରେକ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ଦୂତୀ ଚାନ୍ଦଙ୍କ ଲଗାତର ଦବଦବାରେ ଲାଗିଛି ବ୍ରେକ୍। ପଞ୍ଜାବର ପଟିଆଲାରେ ଚାଲିଥିବା ଫେଡେରେସନ୍ କପ୍ ସିନିୟର୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଆ ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ଯାହା ଫଳରେ ଦୂତୀଙ୍କୁ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହି ଇଭେଣ୍ଟରେ ତାମିଲନାଡୁର ଧନ ଲକ୍ଷ୍ମୀ ସ୍ୱର୍ଣ୍ଣ ପଦକ ଜିତି ଦୂତୀଙ୍କୁ ପଛରେ ପକାଇଛନ୍ତି।

ଦୂତୀ ୧୦୦ ମିଟର ଦୂରତାକୁ ୧୧.୫୮ ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଧନ ଲକ୍ଷ୍ମୀ ୧୧.୩୯ ସେକେଣ୍ଡରେ ପ୍ରଥମ ସ୍ଥାନ ଅଧିକାରୀ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି। ତାମିନଲାଡୁର ଅର୍ଚ୍ଚନା ସୁଶୀନ୍ଦ୍ରନ୍ ୧୧.୭୬ ସେକେଣ୍ଡରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ୨୦୧୫ ପରେ ଦୂତୀ ପ୍ରଥମଥର ଘରୋଇ ୧୦୦ ମିଟର୍ ଇଭେଣ୍ଟରେ ପରାଜୟ ସ୍ୱୀକାର କରିଛନ୍ତି।

ଅନ୍ୟପକ୍ଷରେ ଚଳିତ ପ୍ରତିଯୋଗିତାରେ ଜାଭେଲିନ୍ ଥ୍ରୋୟର୍ ଅନୁ ରାଣୀ ନିଜର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ଅନୁ ୬୩.୨୪ ମିଟର୍ ଜାଭେଲିନ୍ ଥ୍ରୋ’ କରି ପ୍ରଥମ ସ୍ଥାନ ଅଧିକାରୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିବା ସତ୍ତ୍ୱେ ଅନୁ ଅଲିମ୍ପିକ୍ ଟିକେଟ୍ କାଟିପାରିନାହାନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।