ମଙ୍ଗଳବାରଠାରୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜ୍

ଆଡିଲେଡ୍: ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ତିନିଟି ମ୍ୟାଚ୍ ବିଶିଷ୍ଟି ଟି-ଟ୍ୱେଣ୍ଟି ସିରିଜ୍। ଆଡିଲେଡରେ ଅପରାହ୍ନ ୨ଟା ୧୦ରେ ଏହି ମ୍ୟାଚ୍ ଆରମ୍ଭ ହେବ।

ଦିନିକିଆ ସିରିଜରେ ୪-୧ରେ ହାରିଥିବା ଭାରତୀୟ ଟିମ୍ ପାଇଁ ଟି-ଟ୍ୱେଣ୍ଟି ସିରିଜ୍ ସମ୍ମାନର ପ୍ରଶ୍ନ ହୋଇଛି। ଦଳ ନିଶ୍ଚିତ ଭାବେ ଏହି ସିରିଜକୁ ଜିତିବାକୁ ଚେଷ୍ଟା କରିବା। ଦଳକୁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିରେ ସନ୍ତୁଳନ ରଖିବାକୁ ପଡ଼ିବ। ଦିନିକିଆରେ ବ୍ୟାଟ୍ସମ୍ୟାନମାନେ ଭଲ ଖେଳିଥିଲେ। କିନ୍ତୁ ବୋଲରଙ୍କ ତରଫରୁ ବିଶେଷ ସହାୟତା ମିଳି ନ ଥିଲା। ଟି-ଟ୍ୱେଣ୍ଟିରେ ବି ଦଳ ବ୍ୟାଟିଂ ଉପରେ ଗୁରୁତ୍ୱ ଦେବ। ତେବେ ବୋଲିଂ ଲାଇନକୁ ବି ପରଫେକ୍ଟ କରିବାକୁ ହେବ।

ପୂର୍ବ ରେକର୍ଡ କିନ୍ତୁ ଦଳ ସପକ୍ଷରେ ଯାଉ ନାହିଁ। ଟି-ଟ୍ୱେଣ୍ଟି ବିଶ୍ୱକପ୍ ବାହାରେ ଭାରତର ରେକର୍ଡ ଏତେ ଆକର୍ଷଣୀୟ ନୁହେଁ। ୨୦୦୬ରୁ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଆରମ୍ଭ ହେବା ପରଠାରୁ ଭାରତ ଏଯାବତ ୫୭ଟି ମ୍ୟାଚ୍ ଖେଳିଛି। ଏଥିରୁ କେବଳ ଟି-ଟ୍ୱେଣ୍ଟି ବିଶ୍ୱକପରେ ଦଳ ୨୮ଟି ମ୍ୟାଚ୍ ଖେଳିଛି। ୨୦୦୭, ୨୦୦୯, ୨୦୧୦, ୨୦୧୨ ଓ ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପରେ ଦଳ ଏହି ସବୁ ମ୍ୟାଚ୍ ଖେଳିଛି। ଦଳ ୨୯ଟି ଦ୍ୱିପାକ୍ଷିକ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛି। ଏଥିରୁ ଦଳ ୧୫ଟିରେ ହାରିଥିବା ବେଳେ ୧୪ଟିରେ ଜିତିଛି।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରୁ ଆଜିଙ୍କ୍ୟ ରାହାଣେ ବାଦ ପଡ଼ିଛନ୍ତି। ଆହତ କାରଣରୁ ସେ ଏହି ମ୍ୟାଚ୍ ଖେଳି ପାରିବେ ନାହିଁ।