ଆସନ୍ତାକାଲି ଶେଷ ଦିନିକିଆ: ଅଷ୍ଟ୍ରେଲିଆର ଲକ୍ଷ୍ୟ କ୍ଲିନ୍ ସୁଇପ୍, ଜିତିବାକୁ ଚେଷ୍ଟା କରିବ ଭାରତ

dhoniସିଡନୀ: ଆସନ୍ତାକାଲି ସିଡନୀଠାରେ ଖେଳାଯିବ ଅଷ୍ଟ୍ରେଲିଆ-ଭାରତ ୫ ଟିକିଆ ଦିନିକିଆ ସିରିଜର ଶେଷ ମ୍ୟାଚ୍। ଅଷ୍ଟ୍ରେଲିଆ ୪-୦ରେ ସିରିଜ୍ ବିଜୟୀ ହୋଇସାରିଛି। ଦଳ ଆସନ୍ତାକାଲି ସିରିଜକୁ ୫-୦ରେ ଦଖଲ କରିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଅନ୍ତତଃ ଶେଷ ମ୍ୟାଚଟିକୁ ଜିତି ନିଜକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିବ ଭାରତୀୟ ଟିମ୍।

ଏହି ସିରିଜର ଚାରୋଟି ମ୍ୟାଚରୁ ଭାରତ ତିନିଟିରେ ୩୦୦ରନରୁ ଅଧିକ ଟାର୍ଗେଟ୍ ଦେଇ ସୁଦ୍ଧା ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା। ପ୍ରଥମ ମ୍ୟାଚରେ ଦଳ ଘରୋଇ ଦଳ ପାଇଁ ୩୧୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ତେବେ ଅଷ୍ଟ୍ରେଲିଆ ତାହାକୁ ହାସଲ କରି ନେଇଥିଲା। ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ କରିଥିଲା ୩୦୮ ରନ୍। ଅଷ୍ଟ୍ରେଲିଆ ୩୦୯ ରନ୍ କରି ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୯୫ ରନ୍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ୨୯୬ ରନର ବିଜୟ ଲକ୍ଷ୍ୟକୁ ସହଜରେ ଛୁଇଁ ଥିଲା। କାନବେରାରେ ଖେଳା ଯାଇଥିବା ଚତୁର୍ଥ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୪୯ ରନ୍ କରିଥିଲା। ୩୭ ଓଭର ପର୍ଯ୍ୟନ୍ତ ଏହି ମ୍ୟାଚଟି ଭାରତ ହାତରେ ଥିଲା। କିନ୍ତୁ ଶତକୀୟ ଇନିଂସ ଖେଳିଥିବା ବିରାଟ କୋହଲି ଓ ଶେଖର ଧାୱନ ଆଉଟ୍ ହୋଇଯିବା ପରେ ମ୍ୟାଚ୍ ଚାଲିଯାଇଥିଲା ଅଷ୍ଟ୍ରେଲିଆ ହାତକୁ। ପଡ଼ି ଯାଇଥିଲା ଗୋଟିଏ ପରେ ଗୋଟିଏ ୱିକେଟ୍। ୪୯ ଓଭରରେ ଟିମ୍ ଅଲଆଉଟ୍ ହୋଇଯାଇଥିଲା। ୩୨୩ ରନ୍ କରିପାରିଥିଲା ଧୋନୀ ବାହିନୀ।

ଏହି ସିରିଜରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କଠାରୁ ବାହାରିଛି ୫ ଶତକ। ପ୍ରଥମ ଦୁଇଟି ମ୍ୟାଚରେ ଦୁଇଟି ଦମଦାର ଶତକ ମାରିଥିଲେ ଓପନର ରୋହିତ ଶର୍ମା। ସେହିଭଳି ତୃତୀୟ ମ୍ୟାଚରେ ୧୧୭ ରନ୍ କରିଥିଲେ ବିରାଟ କୋହଲି। ଚତୁର୍ଥ ମ୍ୟାଚରେ କୋହଲି ଓ ଧାୱନ ଶତକ ମାରି ଥିଲେ। ତେବେ ଏହି ଶତକଗୁଡ଼ିକ ସଂପୃକ୍ତ ମ୍ୟାଚଗୁଡ଼ିକରେ ଦଳକୁ ବିଜୟୀ କରାଇ ପାରି ନ ଥିଲା। ଏହି ସିରିଜରେ କୋହଲି ଦୁଇଟି ରେକର୍ଡ ମଧ୍ୟ କରିଛନ୍ତି। ୨୫ ତମ ଶତକ ମାରିବାରେ ସେ ଦିନିକିଆ ଅନ୍ତର୍ଜାତୀୟରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ପାଲଟି ଯାଇଛନ୍ତି। ସେହିପରି ଦିନିକିଆରେ ୭୦୦୦ ରନ୍ କରିବାରେ ମଧ୍ୟ ସେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନର ମାନ୍ୟତା ହାସଲ କରିଛନ୍ତି।

ଦିନିକିଆ ସିରିଜ ପରେ ଜାନୁଆରୀ ୨୬ ତାରିଖରୁ ଦୁଇ ଦେଶ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ୍ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଆଡିଲେଡରେ ଖେଳାଯିବାକୁ ଥିବା ବେଳେ ଜାନୁଆରୀ ୨୯ ଓ ୩୧ ତାରିଖରେ ଯଥାକ୍ରମେ ମେଲବୋର୍ଣ୍ଣ ଓ ସିଡନୀରେ ଅନ୍ୟ ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳା ଯିବ।