ଶେଷ ଟି-ଟ୍ୱେଣ୍ଟି ଜିତିଲା ଅଷ୍ଟ୍ରେଲିଆ ମହିଳା ଟିମ୍: ଭାରତ ୨-୧ରେ ଜିତିଲା ସିରିଜ୍

women-cricketସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ୍ ହାରି ଯାଇଛି ଭାରତୀୟ ମହିଳା କ୍ରିକେଟ୍ ଦଳ। ତେବେ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜକୁ ଭାରତୀୟ ଟିମ୍ ୨-୧ରେ ଜିତି ନେଇଛି।

ଆଜି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା। ଜବାବରେ ଭାରତୀୟ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୧ ରନ୍ କରି ପାରିଥିଲା। ଫଳରେ ଘରୋଇ ଦଳ ୧୫ ରନରେ ମ୍ୟାଚ୍ ଜିତି ସିରିଜକୁ ୩-୦ରେ ଜିତିବାକୁ ଲକ୍ଷ୍ୟ ରଖିଥିବା ଭ୍ରମଣକାରୀ ଦଳର ଆଶାକୁ ମଳିନ କରି ଦେଇଥିଲା। ୫୫ ରନ୍ କରିଥିବା ଅଷ୍ଟ୍ରେଲିଆର ଏଲିସେ ପେରୀଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା।

ଟସ୍ ଜିତି ଭାରତୀୟ ଟିମ୍ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆର ପ୍ରାରମ୍ଭ ଭଲ ନ ଥିଲା। ପ୍ରଥମ ଓଭରରେ କୌଣସି ରନ୍ ନ କରି ଓପନର ଆଲିସା ହିଲି ଆଉଟ୍ ହୋଇଯାଇଥିଲେ। ତେବେ ବେଥ୍ ମୂନୀ ଓ ମେଗ୍ ଲାନିଂ ପାରି ସମ୍ଭାଳି ଥିଲେ। ୭.୪ ଓଭରରେ ଦଳୀୟ ସ୍କୋର ୪୯ ରନରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଥିଲେ ଲାନିଂ। ସେ ୨୫ ବଲରୁ ୨୬ ରନ୍ କରି ଆଉଟ୍ ହୋଇଥିଲେ। ମୂନୀ ୩୩ ବଲରୁ ୩୪ ରନ୍ କରି ଆଉଟ୍ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ୧୨.୪ ଓଭରରେ ୭୪ ରନରେ ପହଞ୍ଚିଥିଲା। ଦଳ ପକ୍ଷରୁ ସର୍ବାଧିକ ରନ୍ କରି ଥିଲେ ଏଲିସେ ପେରୀ। ସେ ଅପରାଜିତ ରହି ୪୨ଟି ବଲରୁ ୫୫ ରନ୍ କରି ଥିଲେ। ଭାରତ ପକ୍ଷରୁ  ରାଜେଶ୍ୱରୀ ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ଝୁଲଣ ଗୋସ୍ୱାମୀ ଓ ଦୀପ୍ତି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୧୩୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ଭଲ ଆରମ୍ଭ କରିଥିଲା। ୪ ଓଭରରେ ଦଳ ୩୩ ରନ୍ ସଂଗ୍ରହ କରି ନେଇଥିଲା। କିନ୍ତୁ ୪.୪ ଓଭରରେ ମିଥାଲୀ ପ୍ରଥମ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ସେ ୧୨ଟି ବଲରୁ ୧୨ ରନ୍ କରିଥିଲେ। ୫୦ ରନରେ ପଡ଼ିଥିଲା ଦ୍ୱିତୀୟ ୱିକେଟ୍। ବନୀତା ଭି.ଆର୍ ୨୫ ବଲରେ ୨୮ ରନ୍ କରି ଫେରି ଯାଇଥିଲେ ପ୍ୟାଭିଲିୟନକୁ। ସେ ଦଳ ପକ୍ଷରୁ ସର୍ବାଧିକ ରନ୍ କରି ଥିଲେ। ଭେଦ କୃଷ୍ଣମୂର୍ତ୍ତି ୨୧, ହରମପ୍ରୀତ କୌର ୨୪, ଏସ.ଏସ ମନ୍ଧନା ୧୪ ଓ ଦୀପ୍ତି ଅପରାଜିତ ୧୩ ରନ୍ କରିଥିଲେ।