ଅଷ୍ଟ୍ରେଲିଆନ୍ ଓପନ୍: କ୍ୱାର୍ଟରରେ ସାନିଆ ଓ ବୋପାନ୍ନା

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆନ୍ ଓପନର କ୍ୱାର୍ଟର ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତୀୟ ଟେନିସ୍ ତାରକା ସାନିଆ ମୀର୍ଜା ଓ ରୋହନ ବୋପାନ୍ନା। ଉଭୟ ନିଜ ନିଜ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରୋହନ ବୋପାନ୍ନା ମିକ୍ସଡ୍ ଡବଲ୍ସରେ ଫାଇନାଲରେ ପହଞ୍ଚି ଥିବା ବେଳେ ସାନିଆ ମହିଳା ଡବଲ୍ସରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ସୁଇଜରଲ୍ୟାଣ୍ଡର ମାର୍ଟିନା ହିଙ୍ଗିସଙ୍କୁ ସାଥୀ କରି ଖେଳୁଥିବା ସାନିଆ ରୁଷିଆ-ଇଟାଲୀ ଯୋଡ଼ି ସ୍ୱେତଲାନା କୁଜେଂସ୍ତୋଭା ଓ ରୋର୍ବଟା ଭିନସିଙ୍କୁ ୬-୧, ୬-୩ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ୧ ଘଣ୍ଟା ୨୧ ମିନିଟ ଧରି ଏହି ମ୍ୟାଚ୍ ଚାଲିଥିଲା।

ପରବର୍ତ୍ତୀ ମ୍ୟାଚରେ ଏହି ଯୋଡ଼ି ଆମେରିକାନ୍-ଜର୍ମାନ୍ ଯୋଡ଼ି ଆନ୍ନା-ଲୀନା ଗ୍ରୋଏନେଫେଲ୍ଡ ଓ କୋକୋ ଭାଣ୍ଡେୱେଘେଙ୍କୁ ଭେଟିବେ।

ଚାଇନିଜ୍ ତାଇପେଇର ୟଙ୍ଗ-ଜାନ୍ ଚାନଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ଦ୍ୱିତୀୟ ରାଉଣ୍ଡରେ ଆନ୍ଦ୍ରେ ଲାଭାସ୍କୋଭା ଓ ଲୁକାସ କୁବୋଟଙ୍କୁ ୪-୬, ୬-୩ ଓ ୧୦-୬ରେ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ୍ ଜିତିବାକୁ ବୋପାନ୍ନା-ୟଙ୍ଗ ଜାନ୍ ଚାନ୍ ଯୋଡ଼ିଙ୍କୁ ୧ ଘଣ୍ଟା ୧୦ ମିନିଟ୍ ଲାଗିଥିଲା।

ଆସନ୍ତାକାଲି ମିକ୍ସଡ୍ ଡବଲ୍ସରେ ସାନିଆ ଓ କ୍ରୋଆଟିଆନ୍ ଇଭାନ୍ ଡୋଡିଜ୍ କାଜାଖସ୍ତାନ-ପାକିସ୍ତାନ ଯୋଡ଼ି ୟାରୋସାଲଭା ଶଭେଡୋଭା ଓ ଐସାମ୍-ଉଲ୍-ହକ୍-କୁରେସୀଙ୍କୁ ଭେଟିବେ। ସେହିଭଳି ଏହି ବର୍ଗରେ ଲିଆଣ୍ଡା ପେସ୍ ଓ ମାର୍ଟିନା ହିଙ୍ଗିସ୍ ଯୋଡ଼ି ଆମେରିକା-ନେଦରଲାଣ୍ଡ ଯୋଡ଼ି ସ୍ଲୋଆନ୍ ଷ୍ଟିଫେନ୍ସ ଓ ଜିଆନ୍ ଜୁଲିଏନଙ୍କୁ ଭେଟିବେ।