ଅଷ୍ଟ୍ରେଲିଆ ପଞ୍ଝାରେ ୪ର୍ଥ ଟେଷ୍ଟ, ପୁଣି ସ୍ଥିତି ସମ୍ଭାଳିଲେ ସ୍ମିଥ

ମ୍ୟାଞ୍ଚେଷ୍ଟର: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍‌ର ୪ର୍ଥ ଟେଷ୍ଟରେ ଏବେ କଙ୍ଗାରୁ ବାହିନୀର ଦବଦବା ଦେଖିବାକୁ ମିଳିଛି। ପ୍ରଥମ ଇନିଂସ୍‌ରେ ୪୯୭/୮ରେ ପାଳି ଘୋଷଣା କରିଥିବା ଟିମ୍ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଶେଷ ଖବର ସୁଦ୍ଧା ୪ ୱିକେଟ ହରାଇ ୧୪୩ ରନ୍‌ କରିଛି। ଫଳରେ ଇଂଲଣ୍ଡର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ଏବେ ଅଷ୍ଟ୍ରେଲିଆ ବିଶାଳ ୩୩୯ ରନ୍ ଆଗରେ ରହିଛି। ପ୍ରଥମ ଇନିଂସରେ ଦୁଇ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର […]

edfdf

edfdf

Hemant Lenka
  • Published: Saturday, 07 September 2019
  • Updated: 07 September 2019, 10:21 PM IST

ମ୍ୟାଞ୍ଚେଷ୍ଟର: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍‌ର ୪ର୍ଥ ଟେଷ୍ଟରେ ଏବେ କଙ୍ଗାରୁ ବାହିନୀର ଦବଦବା ଦେଖିବାକୁ ମିଳିଛି। ପ୍ରଥମ ଇନିଂସ୍‌ରେ ୪୯୭/୮ରେ ପାଳି ଘୋଷଣା କରିଥିବା ଟିମ୍ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଶେଷ ଖବର ସୁଦ୍ଧା ୪ ୱିକେଟ ହରାଇ ୧୪୩ ରନ୍‌ କରିଛି। ଫଳରେ ଇଂଲଣ୍ଡର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ଏବେ ଅଷ୍ଟ୍ରେଲିଆ ବିଶାଳ ୩୩୯ ରନ୍ ଆଗରେ ରହିଛି।

ପ୍ରଥମ ଇନିଂସରେ ଦୁଇ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଦ୍ୱିତୀୟ ଇନିଂସରେ ମଧ୍ୟ କମାଲ କରିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ସ୍ମିଥ ୭୭ ଓ ମାଥ୍ୟୁ ୱାଡେ ୨୬ ରନ୍ କରି ଅପରାଜିତ ରହିଛି।

ଅଷ୍ଟ୍ରେଲିଆ ୪୯୭/୮ରେ ପାଳି ଘୋଷଣା କରିବା ପରେ ଗତକାଲି ଇଂଲଣ୍ଡ ବ୍ୟାଟିଂ କରିଥିଲା। ତେବେ ଘରୋଇ ଟିମ୍‌ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।  ଓପନର ଜୋ ଡେନଲୀ ୪ ଓ ସି ଓଭରଟର୍ଣ୍ଣ ୫ ରନ୍ କରି ସଅଳ ଆଉଟ୍ ହୋଇଯାଇଥିଲେ।

ତେବେ ଓପନର ଆର ବ୍ରୁନ୍ସ ଓ ଅଧିନାୟକ ଜୋ ରୁଟ୍‌ ଅଷ୍ଟ୍ରେଲୀୟ ବୋଲରଙ୍କୁ କଡ଼ା ମୁକାବିଲା କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଇତି ମଧ୍ୟରେ ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୬୬ ଥିବା ବେଳେ ବ୍ୟକ୍ତିଗତ ୮୧ ରନ୍‌ କରି ବ୍ରୁନ୍ସ ଦ୍ରୁତ ବୋଲର ଜୋଶ ହେଜେଲହୁଡଙ୍କ ବଲରେ ଆଉଟ୍ ହୋଇଯାଇଥିଲେ।

ଏହାପରେ ଜୋ ରୁଟ୍(୭୧)ଙ୍କୁ ମଧ୍ୟ ହେଜେଲଉଡ୍ ପ୍ୟାଭିଲିୟନ ପଠାଇ ଇଂଲଣ୍ଡକୁ ଜବରଦସ୍ତ ଝଟକା ଦେଇଥିଲେ। ୧୭୫ ରନ୍‌ରେ ୪ ୱିକେଟ୍‌ ହରାଇବା ପରେ ଇଂଲଣ୍ଡ ଜେସନ ରୟ ଓ ବେନ ଷ୍ଟୋକ୍ସଙ୍କ ଉପରେ ନିର୍ଭର କରିଥିଲା।

ହେଲେ ତୃତୀୟ ଦିନରେ ଖେଳ ଶେଷ ହେବାକୁ କିଛି ସମୟ ବାକି ଥିବା ବେଳେ ୨୨ ରନ୍‌ କରିଥିବା ରୟଙ୍କୁ ମଧ୍ୟ ହେଜେଲଉଡ୍‌ ବୋଲ୍ଡ କରିଦେଇଥିଲେ।  ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ୫ ୱିକେଟ୍‌ ହରାଇ ୨୦୦ ରନ୍‌ କରିଥିଲା।

ଆଜି ଦୁଇ ଅପରାଜିତ ବ୍ୟାଟସମ୍ୟାନ୍ ଷ୍ଟୋକ୍ସ ଓ ଜନ୍ନି ବେୟାରଷ୍ଟୋ ଇଂଲିଶ ଟିମର ସ୍କୋରକୁ ଆଗକୁ ନେଇଥିଲେ। ତେବେ ମିଚେଲ ଷ୍ଟାର୍କଙ୍କ ବଲରେ ବେୟାରଷ୍ଟୋ ବୋଲ୍ଡ ହୋଇ ଇଂଲଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

ଏହାପରେ ଷ୍ଟୋକ୍ସ ୨୬ ବେଶୀ ସମୟ କ୍ରିଜରେ ତିଷ୍ଟି ପାରି ନଥିଲେ। ଶେଷ ଭାଗରେ ଜୋଶ ବଟଲର କିଛି ଆକର୍ଷଣୀୟ ଶଟ୍ ଖେଳିବାରୁ ଇଂଲଣ୍ଡ ୩୦୦ ରନ୍ ପାର କରିବାକୁ ସକ୍ଷମ ହୋଇଥିଲା। ଶେଷ ବ୍ୟାଟସମ୍ୟାନ ଭାବେ ବଟଲର ୪୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଇଂଲଣ୍ଡ ୩୦୧ ରନରେ ଅଲଆଉଟ୍ ହେବାରୁ ଅଷ୍ଟ୍ରେଲିଆକୁ ଗୁରୁତ୍ୱପୂର୍ଣ୍ଣ ୧୯୬ ରନ୍‌ର ଅଗ୍ରଣୀ ପାଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ହେଜେଲଉଡ୍‌ ୪ଟି ୱିକେଟ୍‌ ନେଇଥିବା ବେଳେ ପ୍ୟାଟ କମିନ୍ସ ଓ ଷ୍ଟାର୍କ ୩ଟି ଲେଖାଏ ୱିକେଟ ଦଖଲ କରିଥିଲେ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇଂନସରେ ବ୍ୟାଟିଂ ବିପର୍ଯ୍ୟର ଶିକାର ହୋଇଥିଲା। ଓପର ଡାଭିଡ୍ ୱାର୍ଣ୍ଣର ଖାତା ଖୋଲିବା ପୂର୍ବରୁ ହିଁ ଷ୍ଟୁଆର୍ଟ ବ୍ରଡଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ମାର୍କସ ହ୍ୟାରିଶ ମଧ୍ୟ ୬ ରନ୍‌ କରି ବ୍ରଡଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ମାର୍କସ ଲାବୁଶାଙ୍ଗେ (୧୧) ଓ ଟ୍ରାଭିସ ହେଡ(୧୨)ଙ୍କୁ ଜୋଫ୍ରା ଆର୍ଚର ଆଉଟ୍ କରି ଅଷ୍ଟ୍ରେଲିଆକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। କିନ୍ତୁ ସ୍ମିଥ ଓ ୱାଡେଙ୍କ ଯୋଡ଼ି ଇଂଲଣ୍ଡର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ଉଭୟ ବେଶ ସତର୍କତାର ସହ ଇଂଲଣ୍ଡ ବୋଲରଙ୍କ ମୁକାବିଲା କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos