ବିରାଟଙ୍କ ଶତକ ବେକାର: ଅଷ୍ଟ୍ରେଲିଆ ସିରିଜ୍ ବିଜୟୀ

viratମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମକୁ ଆଜି ପୁଣି ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଦଳ ପୁଣି ଅଷ୍ଟ୍ରେଲିଆଠାରୁ ହାରି ଯାଇଛି। ୫ ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଏହା ହେଉଛି ଧୋନୀ ବାହିନୀର ଲଗାତାର ତୃତୀୟ ପରାଜୟ। ଅନ୍ୟପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହିତ ଅଷ୍ଟ୍ରେଲିଆ ଏହି ସିରିଜକୁ ଜିତି ନେଇଛି।

ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ୧୧୭ ରନ୍ ବଳରେ ୬ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା। ତେବେ ଘରୋଇ ଦଳ ୪୮.୫ ଓଭରରେ ୭ ୱିକେଟ୍ ହରାଇ ବିଜୟ ଟାର୍ଗେଟ୍ ହାସଲ କରି ନେଇଥିଲା। ୯୬ ରନ୍ କରିଥିବା ଗ୍ଲେନ୍ ମାକ୍ସୱେଲଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପ୍ରଦାନ କରାଯାଇଛି।

ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଏହି ସିରିଜର ଗତ ଦୁଇଟି ମ୍ୟାଚରେ ଶତକ ହାସଲ କରିଥିବା ରୋହିତ ଶର୍ମା ଆଜି ସହଳ ଆଉଟ୍ ହୋଇଯାଇଥିଲେ। ଦଳୀୟ ସ୍କୋର୍ ୧୫ ରନ୍ ହୋଇଥିବା ବେଳେ ସେ ଆଉଟ୍ ହୋଇଥିଲେ। ସେ ୧୧ଟି ବଲରୁ ୬ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଶିଖର ଧାୱନ ଓ ବିରାଟ କୋହଲି ମ୍ୟାଚକୁ ଆଗେଇ ନେଇଥିଲେ। ଧାୱନ ୯୧ ବଲରୁ ୬୮ ରନ୍ କରିଥିବା ବେଳେ କୋହଲି ୧୧୭ଟି ବଲରୁ ୧୧୭ ରନ୍ ସଂଗ୍ରହ କରିଥିଲେ। ୭ଟି ଚୌକା ଓ ୨ ଟି ଛକା ସାହାଯ୍ୟରେ କୋହଲି ୧୧୭ ରନ୍ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ଚତୁର୍ଥ ଶତକ ହୋଇଥିବା ବେଳେ ଅନ୍ତର୍ଜାତୀୟ ଦିନିକିଆରେ ଏହା ହେଉଛି ତାଙ୍କର ୨୪ତମ ଶତକ। ଏହା ସହିତ ଆଜି ସେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଭାବେ ୭୦୦୦ ରନ୍ ପୂରଣ କରିଛନ୍ତି। ସେ ଜନ୍ ହାଷ୍ଟିଙ୍ଗ୍ସଙ୍କ ଏକ ବଲରେ ଜର୍ଜ ବେଲିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।  ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଆଜିଙ୍କ୍ୟ ରାହାଣେ ୫୫ଟି ବଲରୁ ୫୦ ରନ୍ କରିଥିଲେ। ସେ ବି ଜନ୍ ହାଷ୍ଟିଙ୍ଗ୍ସଙ୍କ ଶିକାର ହୋଇଥିଲେ। ଡେବ୍ୟୁ ମ୍ୟାଚ୍ ଖେଳିଥିବା ଗୁରକ୍ରୀତ ମନ ସିଂହ ୭ଟି ବଲରୁ ୮ ରନ୍ କରି ଜେମ୍ସ ଫକନରଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ସେହିଭଳି ରିଷି ଧାୱନ ୩ ରନ୍ ଓ ରବୀନ୍ଦ୍ର ଜାଡେଜା ୬ ରନ୍ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଜନ୍ ହାଷ୍ଟିଙ୍ଗ୍ସ ୧୦ ଓଭରରେ ୫୮ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ କାନେ ରିଚାର୍ଡସନ୍ ଓ ଜେମ୍ସ ଫକନର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୨୯୬ ରନର ଟାର୍ଗେଟ ନେଇ ଖେଳିଥିବା ଅଷ୍ଟ୍ରେଲିଆ ୪୮.୫ ଓଭରରେ ମାଚ୍ ଜିତି ଯାଇଥିଲା। ଘରୋଇ ଟିମ୍ ୭ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ସନ୍ ମାର୍ଶ ୬୨ ରନ୍ କରିଥିବା ବେଳେ ଆରୋନ ଫିଞ୍ଚ୍ ୨୧, ଷ୍ଟିଭ୍ ସ୍ମିଥ୍ ୪୧ ଓ ଜର୍ଜ ବେଲି ୨୩ ରନ୍ କରିଥିଲେ। ସର୍ବାଧିକ ରନ୍ କରି ଥିଲେ ଗ୍ଲେନ୍ ମାକ୍ସୱେଲ। ସେ ୮୩ ବଲରୁ ୯୬ ରନ୍ ସଂଗ୍ରହ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ୍ୟ ଭୂମିକା ଗ୍ରହଣ କରି ଥିଲେ। ମିଚେଲ୍ ଓ ମାଥ୍ୟୁ ୱାଡେ ଯଥାକ୍ରମେ ୧୭ ଓ ୬ ରନ୍ କରିଥିଲେ।

ଭାରତ ପକ୍ଷରୁ ଉମେଶ ଯାଦବ, ବରିନ୍ଦର ଶ୍ରାନ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଏହି ସିରିଜରେ ଆଉ ଦୁଇଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଭାରତ ଏଗୁଡ଼ିକୁ ଜିତି ସମ୍ମାନ ରକ୍ଷା କରିବା ଲାଗି ଉଦ୍ୟମ କରିବ। ସିରିଜର ଚତୁର୍ଥ ମ୍ୟାଚ୍ ଜାନୁଆରୀ ୨୦ରେ କାନବେରାରେ ଖେଳା ଯିବ।