ପାଳି କରି ଭାରତୀୟ ବୋଲରଙ୍କୁ ପିଟିଲେ ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ

ସିଡ୍‌ନୀ: ପ୍ରଥମେ ଆରୋନ ଫିଞ୍ଚ ଓ ଡେଭିଡ ୱାର୍ଣ୍ଣର। ତା’ ପରେ ଷ୍ଟିଭ ସ୍ମିଥ। ଶେଷ ଭାଗରେ ଗ୍ଲେନ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ୧୯ ବଲରେ ୪୫ ଓ ଆଲେକ୍ସ କେରୀଙ୍କ ଗୁରୁତ୍ୱପୂର୍ଣ୍ଣ ୧୭।  ଭାରତୀୟ ବୋଲରଙ୍କୁ ଆରମ୍ଭରୁ ଶେଷ ଯାଏ ଏଭଳି ଢଙ୍ଗରେ ଅଷ୍ଟ୍ରେଲିଆର ଜଣଙ୍କ ପରେ ଜଣେ ବ୍ୟାଟସମ୍ୟାନ ପାଳି କରି ପ୍ରବଳ ମାଡ଼ ମାରିଛନ୍ତି।

ଅଧିନାୟକ ଫିଞ୍ଚ(୧୧୪) ଓ ସ୍ମିଥଙ୍କ(୧୦୫) ଶତକ ସାଙ୍ଗଙ୍କ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ(୬୯) ବଳରେ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ୬ ୱିକେଟ ହରାଇ ୩୭୪ ରନ୍‌ ହାସଲ କରିଛନ୍ତି। ଫଳରେ ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ବିଶାଳ ୩୭୫ ରନ୍‌ର ଟାର୍ଗେଟ ମିଳିଛି। ଅଷ୍ଟ୍ରେଲିଆ ଭଳି ପିଚ୍‌ରେ ଭାରତ ଏହି ଟାର୍ଗେଟକୁ ହାସଲ କରିବା ଏକ ପ୍ରକାରର କଷ୍ଟକର ବୋଲି ଆଶଙ୍କା କରାଯାଉଛି।

ଦୀର୍ଘ ୯ ମାସ ପରେ ଟିମ୍‌ ଇଣ୍ଡିଆ ଆଜି ନୂଆ ଜର୍ସି ପିନ୍ଧି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବାକୁ ମଇଦାନକୁ ଓହ୍ଲାଇଛି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଟସ୍‌ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଫିଞ୍ଚ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଠିକ୍‌ ସାବ୍ୟସ୍ତ କରିବା ପାଇଁ ଅଷ୍ଟ୍ରେଲିଆର ଦୁଇ ଓପନର ଫିଞ୍ଚ ଓ ୱାର୍ଣ୍ଣର ଜବରଦସ୍ତ ବ୍ୟାଟିଂ କରିଥିଲେ।

ଉଭୟ ୧୯ ଓଭର୍‌ରେ ବିନା କୌଣସି କ୍ଷତିରେ ଦଳ ପାଇଁ ୧୦୦ ରନ୍‌ ସଂଗ୍ରହ କରିଥିଲେ। ଏହାପରେ ଉଭୟ ରନ୍‌ ସଂଗ୍ରହ ହାରର ଗିୟର ବଦଳାଇଥିଲେ। ବିଶେଷ କରି ପିଞ୍ଚ ବଡ଼ବଡ଼ ଶଟ୍‌ ଖେଳିଥିଲେ। ୱାର୍ଣ୍ଣର ମଧ୍ୟ ତାଙ୍କୁ ଭରପୂର ସାଥ ଦେଇଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରି ଦଳୀୟ ସ୍କୋରକୁ ୧୫୬ରେ ପହଞ୍ଚାଇଥିଲେ। ଏହି ସମୟରେ ଭାରତକୁ ପ୍ରଥମ ସଫଳତା ମିଳିଥିଲା। ମହମ୍ମଦ ଶାମି ୬୯ ରନ୍‌ କରିଥିବା ୱାର୍ଣ୍ଣରଙ୍କୁ ଆଉଟ କରିବାକୁ ସକ୍ଷମ ହୋଇଥିଲେ।

ଏଠାରେ ଭାରତ ଅଷ୍ଟ୍ରେଲିଆ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲା। ହେଲେ ଫିଞ୍ଚ ଓ ସ୍ମିଥ ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଉଭୟଙ୍କ ଦ୍ୱିତୀୟ ୱିକେଟ ପାଇଁ ୧୦୬ ରନ୍‌ର ଭାଗିଦାରୀ ହୋଇଥିଲା। ଫିଞ୍ଚ ନିଜର ଶତକ ଓ ସ୍ମିଥ ଅର୍ଦ୍ଧଶତକ ହାସଲ କରିଥିଲେ। ଫିଞ୍ଚ ୧୨୪ ବଲରେ ୧୧୪ ରନ୍‌ କରିଥିବା ବେଳେ ଯଶପ୍ରୀତ ବୁମ୍ରାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ମାର୍କସ ଷ୍ଟୋଇନିସ ପ୍ରଥମ ବଲରେ ହିଁ ଚହଲଙ୍କ ଶିକାର ବନିଥିଲେ। ମ୍ୟାଚ୍‌ର ମୋଡ଼ ଭାରତ ଆଡ଼କୁ ସାମନ୍ୟ ଢଳୁଥିବା ବେଳେ ମ୍ୟାକ୍ସୱେଲ ସବୁ କିଛି ଓଲଟ ପାଲଟ କରିଦେଇଥିଲେ। ସେ ମାତ୍ର ୧୯ ବଲ୍‌ରେ ୩ଟି ଛକା ଓ ୫ଟି ଚୌକା ମାରି ଦଳର ରନ୍‌ ସଂଗ୍ରହ ଗତିକୁ ବଢ଼ାଇ ଦେଇଥିଲେ। ତେବେ ବଡ଼ ଶଟ ଖେଳିବା ଲୋଭରେ ସେ ୪୫ତମ ଓଭରରେ ଶାମିଙ୍କ ଶିକାର ବନିଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ମାର୍ନସ ଲାବୁଶେନ(୨) ବେଶୀ କିଛି କରିପାରି ନଥିଲେ। କିନ୍ତୁ ସ୍ମିଥ ଶେଷ ଭାଗରେ ଦମଦାର ବ୍ୟାଟିଂ କରି ମାତ୍ର ୬୨ ବଲରେ ନିଜର ଶତକ ହାସଲ କରିଥିଲେ। ଶେଷ ଓଭର୍‌ରେ ସେ ୬୬ ବଲରେ ୧୦୫ କରି ଶାମିଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ଆଲେକ୍ସ କେରୀ ମଧ୍ୟ ୧୭  ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ବ୍ୟାଟସମ୍ୟାନଙ୍କ ଦମରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୩୭୩ ରନ୍‌ କରିଛି।

ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ୱିକେଟ ନେଇଥିବା ବେଳେ ବୁମ୍ରା, ସୈନି ଓ ଚହଲ ଗୋଟିଲ ଲେଖାଏ ୱିକେଟ ନେଇଛନ୍ତି। ଚହଲ ୧୦ ଓଭରରେ ୮୯ ଓ ସୈନି ୧୦ ଓଭର୍‌ରେ ୮୩ ରନ୍‌ ଦେଇ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।