ଅଷ୍ଟ୍ରେଲିଆଠାରୁ ପ୍ରଥମ ଦିନିକିଆ ହାରିଲା ଭାରତ

ପର୍ଥ: ପର୍ଥର ଡ୍ଲୁଏସିଏରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ୫ ୱିକେଟରେ ପରାସ୍ତ ହୋଇଛି। ବ୍ୟାଟିଂ ଓ ଫିଲ୍ଡିରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଭାରତକୁ ପ୍ରଥମ ଦିନିକିଆରେ ପରାଜୟର ସ୍ୱାଦ ଚାଖିବାକୁ ପଡିଛି। ଭାରତ ୩୦୯/୩ କରିଥିବା ବେଳେ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ୩୧୦ ରନ କରି ନେଇଥିଲା।

ଭାରତ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ୧୬୩ ବଲରୁ ୧୭୧ରନ ଓ ବିରାଟ କୋହଲିଙ୍କ ୯୭ ବଲରୁ ୯୧ ରନ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ଦଳ ୩ଟି ୱିକେଟ ହରାଇ ୩୦୯ ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଜେମ୍ସ ଫଲ୍କନର ୨ଟି ଓ ଜୋସ୍ ହାଜେଲଉଡ ଗୋଟିଏ ୱିକେଟ ନେଇଥିଲେ।

୩୧୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଘରୋଇ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହି ବିପର୍ଯ୍ୟୟ ସୃଷ୍ଟି ଘଟାଇଥିଲେ ଭାରତୀୟ ଫାଷ୍ଟ ବୋଲର ତଥା ଡେବ୍ୟୁ କରିଥିବା ବରିନ୍ଦର ଶ୍ରାନ୍। ଦଳୀୟ ସ୍କୋର ୯ ଓ ୨୧ ରନରେ ସେ ଅଷ୍ଟ୍ରେଲିଆର ଦୁଇ ବ୍ୟାଟ୍ସମ୍ୟାନ ଫିଞ୍ଜ (୮) ଓ ୱାର୍ଣ୍ଣର (୫)କୁ ପ୍ୟାଭିଲିୟନର ରାସ୍ତା ଦେଇ ଦେଇଥିଲେ। ଏହାପରେ ପଡିଆକୁ ଆସିଥିବା କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ ଏବଂ ଜର୍ଜ ବେଲି ସ୍ଥିତି ସମ୍ଭାଳି ଥିଲେ। ସ୍ମିଥ ୧୩୫ ବଲରୁ ୧୪୯ ଓ ବେଲି ୧୨୦ ବଲରୁ ୧୧୨ରନ କରି ଦଳର ବିଜୟ ସୁନିଶ୍ଚିତ କରିଦେଇଥିଲେ। ଭାରତ ପକ୍ଷରୁ ଶ୍ରାନ ୩ଟି ଓ ଅଶ୍ୱିନ ୨ଟି ୱିକେଟ ଅକ୍ତିଆର କରିଥିଲେ। ତେବେ ସ୍ମିଥ ଓ ବେଲିଙ୍କୁ ଶ୍ରାନ ଆଉଟ କରିଥିଲେ ମଧ୍ୟ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିର ଶିକାର ହୋଇଥିଲେ। ଫଳରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଶତକ ମାରିବାକୁ ସକ୍ଷମ ହୋଇଥିଲେ।

ଶତକୀୟ ପାଳି ଖେଳି ଦଳକୁ ବିଜୟୀ କରିଥିବାରୁ ଷ୍ଟିଭ ସ୍ମିଥକୁ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଥିଲା।