ଇଂଲଣ୍ଡକୁ ହରାଇ ଏକାଧିକ ରେକର୍ଡ ବୁକ୍‌ରେ ଅକ୍ଷର ପଟେଲ ଓ ଟିମ୍‌ ଇଣ୍ତିଆ

ଅହମଦାବାଦ: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ରବିଚନ୍ଦ୍ର ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଦମଦାର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ବିଜୟ ଲାଭ କରିଛି। ଇଂଲଣ୍ଡକୁ ହରାଇ ଦଳ ୩-୧ରେ ସିରିଜ୍ ଜିତିବା ସହ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡକୁ ଇନିଂସ ଓ ୨୫ ରନ୍‌ରେ ହରାଇବା ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛି ଟିମ୍‌ ଇଣ୍ଡିଆ। ସେହିପରି ଦ୍ୱିତୀୟ ଇନିଂସ୍‌ରେ ୫ଟି ଓ ପ୍ରଥମ […]

BCCI

BCCI

Hemant Lenka
  • Published: Saturday, 06 March 2021
  • Updated: 06 March 2021, 08:51 PM IST

ଅହମଦାବାଦ: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ରବିଚନ୍ଦ୍ର ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଦମଦାର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ବିଜୟ ଲାଭ କରିଛି। ଇଂଲଣ୍ଡକୁ ହରାଇ ଦଳ ୩-୧ରେ ସିରିଜ୍ ଜିତିବା ସହ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛି।

ଇଂଲଣ୍ଡକୁ ଇନିଂସ ଓ ୨୫ ରନ୍‌ରେ ହରାଇବା ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛି ଟିମ୍‌ ଇଣ୍ଡିଆ। ସେହିପରି ଦ୍ୱିତୀୟ ଇନିଂସ୍‌ରେ ୫ଟି ଓ ପ୍ରଥମ ଇନିଂସ୍‌ରେ ୪ଟି ୱିକେଟ ନେଇଥିବା ଅକ୍ଷର ପଟେଲ ମଧ୍ୟ ରେକର୍ଡ ବୁକ୍‌ରେ ନିଜକୁ ସାମିଲ କରିଛନ୍ତି।
ଡେବ୍ୟୁ ସିରିଜ୍‌ରେ ଅକ୍ଷର ୪ଥର ପାଇଁ ୫ଟି ଲେଖାଏ ୱିକେଟ ନେବାର ରେକର୍ଡ କରିଥିବା ବେଳେ ଟିମ୍‌ ଇଣ୍ଡିଆ ଘରୋଇ ମାଟିରେ କ୍ରମାଗତ ୧୩ ଥର ଟେଷ୍ଟ ସିରିଜ୍‌ ଜିତିବାର କୀର୍ତ୍ତିମାନ ସ୍ଥାପନ କରିଛି।

୪ର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ସ୍ପିନ ଯୋଡ଼ି ଅକ୍ଷର ପଟେଲ ଓ ରବି ଅଶ୍ୱିନ ୫ଟି ଲେଖାଏ ୱିକେଟ୍‌ ନେଇ ଜୋ ରୁଟଙ୍କ ଟିମ୍‌ ଇଂଲଣ୍ଡକୁ ୧୩୫ ରନ୍‌ରେ ଅଲଆଉଟ କରିଦେଇଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିବା ପାଇଁ ଭାରତକୁ ଏହି ମ୍ୟାଚ୍‌କୁ କେବଳ ଡ୍ର କରିବାର ଆବଶ୍ୟକ ଥିଲା।

ହେଲେ ବିରାଟ ବାହିନୀ ବିଜୟ ସହ ୪୯୦ ପଏଣ୍ଟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ଚାମ୍ପିୟନଶିପ୍‌ରେ ଭାରତ ୧୭ଟି ମ୍ୟାଚ୍‌ରୁ ୧୨ଟିରେ ଜିତିଛି ଓ ୪ଟିରେ ହାରିଛି। ସେହିପରି ଗୋଟିଏ ମ୍ୟାଚ୍‌କୁ ଡ୍ର ରଖିଛି।

ଏବେ ରେକର୍ଡ ଉପରେ ନଜର ପକାଇବା

୧-ବିଶ୍ୱର ୫ମ କ୍ରିକେଟର ଭାବେ ରବି ଅଶ୍ୱିନ କୌଣସି ଟେଷ୍ଟ ସିରିଜ୍‌ରେ ୩୦ରୁ ଅଧିକ ୱିକେଟ ନେବା ସହ ଶତକ ହାସଲ କରିଛନ୍ତି।

୨-ଜୋ ରୁଟ୍‌ଙ୍କ କ୍ୟାପ୍ଟେନଶିପ୍‌ରେ ଇଂଲଣ୍ଡ କ୍ରମାଗତ ୩ଟି ଟେଷ୍ଟ ହାରିବାର ଲଜ୍ଜାଜନକ ରେକର୍ଡ କରିଛି।

୩-ବିରାଟ କୋହଲି ଘରୋଇ ମାଟିରେ କ୍ରମାଗତ ୧୦ଟି ଟେଷ୍ଟ ସିରିଜ୍‌ ଜିତିଛନ୍ତି। ଏପରି କରି ସେ ଘରୋଇ ମାଟିରେ ସବୁଠାରୁ ଅଧିକ ଟେଷ୍ଟ ସିରିଜ୍‌ ଜିତିଥିବା କ୍ୟାପ୍ଟେନଙ୍କ ତାଲିକାରେ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି।

୪-ରବି ଅଶ୍ୱିନ ନିଜ ଟେଷ୍ଟ କ୍ୟାରିୟର୍‌ରେ ୩୦ଥର ପାଇଁ ୫ଟି ୱିକେଟ ନେଇ ଜେମ୍ସ ଆଣ୍ଡରସନଙ୍କ ସମକକ୍ଷ ହୋଇଛନ୍ତି। ସେହିପରି ବିଶ୍ୱର ୬ଷ୍ଠ ଖେଳାଳି ଭାବେ ସେ ଏହି ରେକର୍ଡ କରିଛନ୍ତି।

୫-ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ଏକମାତ୍ର ଦଳ ଭାବେ ୧୨ଟି ମ୍ୟାଚ୍‌ ଜିତିବାର ରେକର୍ଡ କରି ଫାଇନାଲରେ ପ୍ରବେଶ କରିଛି।

୬-ରବି ଅଶ୍ୱିନ ଟେଷ୍ଟରେ ୪୦୯ଟି ୱିକେଟ ନେଇ ସି ଆମ୍ବ୍ରୋସଙ୍କ ୪୦୫ ୱିକେଟକୁ ଅତିକ୍ରମ କରିଛନ୍ତି। ସେହିପରି ଅଶ୍ୱିନ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ତୃତୀୟ ଭାରତୀୟ ଭାବେ ସର୍ବାଧିକ ୮୦ଟି ୱିକେଟ ଦଖଲ କରିଛନ୍ତି। ଅଶ୍ୱିନଙ୍କ ଉପରେ ବିଷନ ସିଂହ ବେଦୀ ଓ କପିଲ ଦେବ ୮୫ଟି ଲେଖାଏ ୱିକେଟ ଇଂଲଣ୍ଡ ବିପକ୍ଷରେ ନେଇଛନ୍ତି।

୭-ଇଂଲଣ୍ଡ ବିପକ୍ଷରେ ୪ର୍ଥ ଟେଷ୍ଟ ଜିତି ବିରାଟ କୋହଲି କିମ୍ବଦନ୍ତୀ କ୍ରିକେଟର ତଥା ଅଧିନାୟକ ସାର ସି ଲୟଡଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ଅଧିନାୟକ ଭାବେ ୩୬ଟି ଲେଖାଏ ମ୍ୟାଚ୍‌ ଜିତିଛନ୍ତି।

୮-ଅକ୍ଷର ପଟେଲ ଡେବ୍ୟୁ ସିରିଜ୍‌ରେ ୪ର୍ଥ ଥର ପାଇଁ ୫ଟି ୱିକେଟ ଦଖଲ କରି ୩ଟି ମ୍ୟାଚ୍‌ରେ ନିଜ ଟେଷ୍ଟ କ୍ୟାରିୟର୍‌ରେ ୨୭ଟି ୱିକେଟ ହାସଲ କରିଛନ୍ତି। ଏପରି କରି ସେ ୪୦ ବର୍ଷ ତଳେ ଦିଲ୍ଲୀପ ଦୋଶୀ କରିଥିବା ରେକର୍ଡର ସମକକ୍ଷ ହୋଇଛନ୍ତି।

୯-ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରଥମ ଓପନର ଭାବେ ରୋହିତ ଶର୍ମା ୧ ହଜାର ରନ୍‌ ପୂରଣ କରିଛନ୍ତି। ସେହପରି ଚାମ୍ପିୟନଶିପ୍‌ରେ ୧୦୦୦ ରନ୍‌ କରିଥିବା ଖେଳାଳିଙ୍କ ତାଲିକାରେ ରୋହିତ ୬ଷ୍ଠ ଓ ଦ୍ୱିତୀୟ ଭାରତୀୟ ଭାବେ ଏପରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos