ସାକିବଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନରେ ଜିତିଲା ବାଂଲାଦେଶ

ସାଉଥାମ୍ପଟନ୍: ସାକିବ୍ ଅଲ୍ ହାସନଙ୍କ ଅଲରାଉଣ୍ଡର ପ୍ରଦର୍ଶନକୁ ଆଧାର କରି ବାଂଲାଦେଶ ଚଳିତ ବିଶ୍ୱକପର ସୋମବାର ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୬୨ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି। ରୋଜ୍ ବାଉଲରେ ଅନୁଷ୍ଠିତ ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୨ ରନ୍ କରିଥିଲା। ବାଂଲାଦେଶ ପକ୍ଷରୁ ମୁଶଫିକର ରହିମ୍ ସର୍ବାଧିକ ୮୩ (୮୭ ବଲ୍, ୪ […]

shak

shak

Hemant Lenka
  • Published: Monday, 24 June 2019
  • Updated: 24 June 2019, 10:48 PM IST

Sports

Latest News

ସାଉଥାମ୍ପଟନ୍: ସାକିବ୍ ଅଲ୍ ହାସନଙ୍କ ଅଲରାଉଣ୍ଡର ପ୍ରଦର୍ଶନକୁ ଆଧାର କରି ବାଂଲାଦେଶ ଚଳିତ ବିଶ୍ୱକପର ସୋମବାର ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୬୨ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି।

ରୋଜ୍ ବାଉଲରେ ଅନୁଷ୍ଠିତ ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୨ ରନ୍ କରିଥିଲା। ବାଂଲାଦେଶ ପକ୍ଷରୁ ମୁଶଫିକର ରହିମ୍ ସର୍ବାଧିକ ୮୩ (୮୭ ବଲ୍, ୪ ଚୌକା, ୧ ଛକା) ଓ ସାକିବ୍ ୫୧ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଜବାବରେ ଆଫଗାନିସ୍ତାନ ୪୭ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୦ ରନ୍ କରି କ୍ରଗାମତ ସପ୍ତମ ପରାଜୟବରଣ କରିଛି। ବାଂଲାଦେଶର ସାକିବ୍ ୨୯ ରନରେ ୫ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଏହି ଚ୍ୟାଲେଞ୍ଜିଂ ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନର କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଆଫଗାନିସ୍ତାନ ପକ୍ଷରୁ ଶାମିଉଲ୍ଲା ଶିନୱାରୀ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ହେଁ ଟିମକୁ ଜିତାଇପାରି ନଥିଲେ। ସେ ୫୧ ବଲରେ ୩ ଚୌକା ଓ ୧ ଛକା ସହ ୫୧ ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ୍ ଗୁଲବଦିନ୍ ନାଏବ ୪୭, ରେହମତ୍ ଶାହ, ହଶମତୁଲ୍ଲା ଜାଜାଇ, ଅସଘର ଆଫଗାନ୍ ୨୦, ଇକ୍ରାମ୍ ଅଲିଖିଲ୍ ୧୧, ନାଜିବୁଲ୍ଲା ଜର୍ଦ୍ଦାନ ୨୩ ରନ୍ କରି ଆଉଟ୍ ହୋଇଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ୍ ୨ଟି, ମହମ୍ମଦ ସୈଫୁଦ୍ଦିନ ଓ ମୋସାଡେକ୍ ହୋସେନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ପୂର୍ବରୁ ଆଫଗାନିସ୍ତାନ କ୍ୟାପଟେନ୍ ଗୁଲବଦିନ୍ ନାଏବ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତା'ର ଓପନିଂ ଯୋଡ଼ିରେ ପରିବର୍ତ୍ତନ କରିଥିଲା। ନିୟମିତ ଓପ୍ନର ତମିମଙ୍କ ସହ ଲିଟନ୍ ଦାସ ବ୍ୟାଟିଂ କରିବାକୁ ଆସିଥିଲେ। ଲିଟନ୍ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ସେ ୧୬ ରନ୍ କରି ମୁଜୀବ-ଉର୍-ରେହମାନଙ୍କ ଶିକାର ହୋଇଥିଲେ।

ତମିମ (୩୬)ଙ୍କ ସହ ମିଶି ସାକିବ୍ ଦ୍ୱିତୀୟ ୱିକେଟ୍ ପାଇଁ ୫୯ ରନ୍ ଯୋଡ଼ିଥିଲେ। ତମିମଙ୍କୁ ମହମ୍ମଦ ନବି କ୍ଲିନ୍ ବୋଲ୍ଡ କରିଥିଲେ। ସାକିବ୍ ଆଉ ଏକ ଭଲ ଇନିଂସ୍ ଖେଳି ୬୬ ବଲରେ ନିଜର ଅର୍ଦ୍ଧଶତକ ମାରିଥିଲେ। କିନ୍ତୁ ସେ ନିଜ ସ୍କୋରକୁ ଆଗକୁ ବଢ଼ାଇପାରି ନଥିଲେ। ତାଙ୍କୁ ମୁଜୀବ ଏଲବିଡବ୍ଲ୍ୟୁ କରିଥିଲେ। ବାମହାତୀ ଷ୍ଟାଇଲିଶ୍ ବ୍ୟାଟ୍ସମ୍ୟାନ୍ ସୌମ୍ୟ ସରକାର (୩) ନିରାଶ କରିଥିଲେ। ଲଗାତାର ଦୁଇଟି ୱିକେଟ୍ ହରାଇ ବିପଦରେ ପଡ଼ିଥିବା ବାଂଲାଦେଶ ଇନିଂସକୁ ରହିମ ଓ ମହମଦୁଲ୍ଲା ସଜାଡିଥିଲେ। ଦୁହେଁ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ।

ମହମଦୁଲ୍ଲା ୨୭ ରନ୍ କରିଥିବା ବେଳେ ଗୁଲବଦିନ୍ ନାଏବଙ୍କ ବଲରେ ନବିଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏହା ପରେ ରହିମଙ୍କୁ ସାଥ୍ ଦେଇଥିଲେ ମୋସାଡେକ୍ ହୋସେନ୍। ଦୁହେଁ ଦ୍ରୁତ ରନ୍ କରି ବାଂଲାଦେଶକୁ ୨୬୨ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ରହିମଙ୍କୁ ଦୌଲତ ଜର୍ଦ୍ଦାନ୍ ଆଉଟ୍ କରିଥିଲେ। ମୋସାଡେକ୍ ୨୪ ବଲରେ ୪ ଚୌକା ସହ ୩୫ ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଜୀବ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ନାଏବ ୨ଟି, ଦୌଲତ ଓ ନବି ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos