ମାଲିଙ୍ଗା ଓ ରଶିଦଙ୍କ କ୍ଲବରେ ଏହି ବେଙ୍ଗଲ ବୋଲର, ୪ ବଲ୍‌ରେ ନେଲେ ୪ଟି ୱିକେଟ

କୋଲକାତା: ଏନସି ଚାଟାର୍ଜୀ ଟ୍ରଫିରେ ରେକର୍ଡ କରିଛନ୍ତି ମୋହୁନଲାଲ କ୍ଲବର ଯୁବ ବୋଲର ମାସୁମ ଅହମଦ। ସେ ହାୱଡା ୟୁନିୟନ ବିପକ୍ଷ ମ୍ୟାଚ୍‌ରେ ୪ଟି ବଲ୍‌ରେ ୪ଟି ୱିକେଟ ନେଇ ଇତିହାସ ସୃଷ୍ଟି କରିଛନ୍ତି। ଏହି ସଫଳତା ପରେ ସେ କିମ୍ବଦନ୍ତୀ ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଓ ଆଫିଗାନିସ୍ତାନ ସ୍ପିନର ରଶିଦ ଖାନଙ୍କ କ୍ଲବରେ ନିଜକୁ ସାମିଲ କରିଛନ୍ତି।

ହାୱଡା ୟୁନିୟନ ବିପକ୍ଷ ମ୍ୟାଚ୍‌ର ଶେଷ ଓଭର୍‌ରେ ଅହମଦ ପ୍ରଥମେ ଭଲ ଲୟରେ ଥିବା ଅବଦୁଲ ହାଦିଦ(୩୨) ଓ ଦୀପ ନାରାୟଣ ଅଦକ (୩୮)ଙ୍କୁ ଆଉଟ କରିଥିଲେ। ଏହାର ପରବର୍ତ୍ତୀ ଦୁଇଟି ବଲ୍‌ରେ ସେ ସୈକତ ପଞ୍ଜା ଓ ଦୀପାୟନ ରାହଙ୍କୁ ପ୍ୟାଭିଲିୟନ ପଠାଇ ୪ ବଲ୍‌ରେ ୪ଟି ୱିକେଟ ଦଖଲ କରିଥିଲେ। ଏଥିସହ ହାୱାଡା ୟୁନିୟନକୁ ୧୬୦/୭ରେ ସୀମିତ ରଖିଥିଲେ।

କ୍ରିକେଟରେ ହ୍ୟାଟ୍ରିକ ନେବା ବହୁତ ବିରଳ ଘଟଣା। କିନ୍ତୁ ଏମିତି ବହୁତ କୌଚିତ ଘଟଣା ଘଟିଛି, ଯେଉଁଠାରେ ବୋଲରମାନେ ୪ଟି ବଲରେ ୪ ୱିକେଟ ନେଇଛନ୍ତି। ଲସିଥ ମାଲିଙ୍ଗା ବିଶ୍ୱର ଏକମାତ୍ର ଅନ୍ତର୍ଜାତୀୟ ବୋଲର ଯିଏ ଦୁଇ ଥର ୪ଟି ବଲରେ ୪ଟି ଲେଖାଏ ୱିକେଟ ଦଖଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ମାଲିଙ୍ଗା ୨୦୦୭ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମଥର ୪ଟି ବଲରେ ୪ଟି ୱିକେଟ ନେଇଥିଲେ। ସେ ୪୫ତମ ଓଭର୍‌ର ଶେଷ ଦୁଇ ବଲରେ ଶନ ପୋଲକ ଓ ଆଣ୍ଡ୍ର୍ୟୁ ହଲଙ୍କୁ ଆଉଟ କରିଥିଲେ। ସେହିପରି ୪୭ତମ ଓଭର୍‌ର ପ୍ରଥମ ଦୁଇ ବଲରେ ଜ୍ୟାକ କାଲିସ ଓ ମାକାୟା ଏନଟିନିଙ୍କ ୱିକେଟ ନେଇଥିଲେ।

୨୦୧୯ରେ ସେ ପୁଣିଥରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪ ବଲରେ ୪ ୱିକେଟ ନେଇଥିଲେ। ସେ ମ୍ୟାଚ୍‌ର ୩ୟ ଓଭର୍‌ରେ ପ୍ରଥମେ କଲିନ ମୁନରୋ, ହାମିଶ ରଥରଫୋର୍ଡ, କଲିନ ଡି ଗ୍ରାଣ୍ଡହୋମ ଓ ରସ୍‌ ଟେଲଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ବୋଲର ଭାବେ ରଶିଦ ଖାନ୍‌ ୪ ବଲ୍‌ରେ ୪ଟି ୱିକେଟ ନେଇଥିଲେ। ରଶିଦ ପ୍ରଥମେ ସ୍କଟଲ୍ୟାଣ୍ଡର ବ୍ୟାଟସମ୍ୟାନ୍‌ ଓ’ ବ୍ରାଏନଙ୍କୁ ୧୬ତମ ଓଭର୍‌ର ଶେଷ ବଲ୍‌ରେ ଆଉଟ କରିଥିଲେ। ଏହାପରେ ସେ ଜର୍ଜ ଡୋକରେଲ, ଶେନ ଗେଟକାଟେ ଓ ସିସି ସିଂହଙ୍କୁ ଆଉଟ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।