ହାଇଦ୍ରାବାଦକୁ ବଡ଼ ଝଟକା: ଆଇପିଏଲରୁ ଭୁବନେଶ୍ୱର କୁମାର ଆଉଟ

ଦୁବାଇ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଆହତ କାରଣରୁ ପୂରା ସିଜିନରୁ ପେସ୍‌ ବୋଲର ଭୁବନେଶ୍ୱର କୁମାର ବାଦ୍‌ ପଡ଼ିଛନ୍ତି। ମାଂସପେଶୀରେ ଯନ୍ତ୍ରଣା କାରଣରୁ ସେ ଅକ୍ଟୋବର ୨ ମ୍ୟାଚ୍‌ରେ ଅଧାରୁ ପଡ଼ିଆ ଛାଡ଼ିଥିଲେ। ପରବର୍ତ୍ତୀ ମ୍ୟାଚ୍‌ ଅର୍ଥାତ ଗତକାଲି ବି ସେ ମୁମ୍ବାଇ ବିପକ୍ଷରେ ଖେଳି ନଥିଲେ।

ଏବେ ମିଳିଥିବା ରିପୋର୍ଟ ଅନୁଯାୟୀ, ତାଙ୍କ ଆହତ ସମସ୍ୟା ଅଧିକ ଜଟିଳ ରହିଛି। ଏହି କାରଣରୁ ସେ ପୂରା ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି। କେବଳ ଆଇପିଏଲ ନୁହେଁ, ଭୁବନେଶ୍ୱର କୁମାର ଗତବର୍ଷ ଶେଷ ଭାଗରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସିରିଜରେ ମଧ୍ୟ ଖେଳି ନ ପାରନ୍ତି।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମାଂସପେଶୀରେ ଅତ୍ୟଧିକ ଯନ୍ତ୍ରଣା ଯୋଗୁ ଭୁବନେଶ୍ୱର କୁମାର ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ଏହା ଗ୍ରେଡ ୨ କିମ୍ବା ୩ ସ୍ତରୀୟ ଆହତ ସମସ୍ୟା। ଏହାର ଅର୍ଥ ସେ ୬ରୁ ୮ ସପ୍ତାହ କ୍ରିକେଟ ପଡ଼ିଆରୁ ଦୂରରେ ରହିବେ। ଯଦି ଏମିତି ହୁଏ, ତା’ହେଲେ ଭୁବି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ମଧ୍ୟ ଖେଳି ନ ପାରନ୍ତି ବୋଲି ସେ କହିଛନ୍ତି।

ଚଳିତ ବର୍ଷ ଆପିଏଲରେ ଭୁବି ଦମଦାର ବୋଲିଂ କରୁଥିଲେ। ତାଙ୍କର ଓଭର ପିଛା ରନ୍‌ ହାର ୭ରୁ ତଳେ ରହିଛି। ୪ଟି ମ୍ୟାଚ୍‌ରେ ସେ ୩ଟି ୱିକେଟ ନେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।