କୋହଲିଙ୍କ ନୂଆ ରେକର୍ଡ: ୭୦୦୦ ରନ୍ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍

ମେଲବୋର୍ଣ୍ଣ: ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇ ଯାଇଛି ଆଉ ଏକ ରେକର୍ଡ। ଅନ୍ତର୍ଜାତୀୟ ଦିନିକିଆରେ ୭୦୦୦ ରନ୍ କରିବାରେ ସେ ବନି ଯାଇଛନ୍ତି ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ୍। ରବିବାର ମେଲବୋର୍ଣ୍ଣଠାରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ସେ ହାସଲ କରିଛନ୍ତି ଏହି ମାଇଲ୍ ଖୁଣ୍ଟ। ଏହି ମ୍ୟାଚରେ ବ୍ୟକ୍ତିଗତ ଭାବେ ୫୨ ରନ୍ କରିବା ପରେ ସେ ବନି ଯାଇଥିଲେ ୭୦୦୦ ରନ୍ କରିବାରେ ଅନ୍ତର୍ଜାତୀୟ ଦିନିକିଆର ଦ୍ରୁତତମ ବ୍ୟାଟ୍ସମ୍ୟାନ୍। ତାଙ୍କ ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସଙ୍କ ନାଁରେ ରହିଥିଲା। ସେ ୧୭୨ତମ ମ୍ୟାଚ୍ ଓ ୧୬୬ତମ ଇନିଂସରୁ ୭୦୦୦ ରନ୍ ସଂଗ୍ରହ କରିଥିଲେ। ତେବେ ବିରାଟ ୧୬୯ତମ ମ୍ୟାଚ୍ ଓ ୧୬୧ତମ ଇନିଂସରେ ୭୦୦୦ ରନ୍ ସଂଗ୍ରହ କରି ତାଙ୍କୁ ପଛରେ ପକାଇ ଦେଇଛନ୍ତି।

ଆଜିର ମ୍ୟାଚରେ ବିରାଟ ଶତକ ହାସଲ କରିଛନ୍ତି। ସେ ୧୧୭ଟି ବଲରୁ ୭ଟି ଚୌକା ଓ ୨ଟି ଛକା ସହିତ ୧୧୭ ରନ୍ ସଂଗ୍ରହ କରିଛନ୍ତି। ଏହା ହେଉଛି ବିରାଟଙ୍କ ୨୪ ତମ ଶତକ। ଆଉ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ହେଉଛି ତାଙ୍କର ଚତୁର୍ଥ ଶତକ। ଅନ୍ତର୍ଜାତୀୟ ଦିନିକିଆରେ ସେ ୩୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଅନ୍ତର୍ଜାତୀୟ ଦିନିକିଆରେ ୭୦୦୦ ରନ୍ କରିବା ପାଇଁ ଭାରତୀୟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ୧୮୦ଟି ମାଚ୍ ଓ ୧୭୪ଟି ଇନିଂସ ଖେଳିବାକୁ ପଡ଼ିଥିଲା। ସେହିପରି ୧୮୯ ତମ ଇନିଂସରୁ ସଚିନ ତେନ୍ଦୁଲକର ୭୦୦୦ ରନ୍ ସଂଗ୍ରହ କରି ଥିଲେ।