କୋପା ଆମେରିକା: ପେରୁକୁ ହରାଇ ବ୍ରାଜିଲ୍ ଚାମ୍ପିଅନ୍

ରିଓ ଡି’ ଜାନେରୋ: ଷ୍ଟାର୍ ଖେଳାଳି ନେମାର ଅନୁପସ୍ଥିତିରେ ବ୍ରାଜିଲ୍ କୋପା ଆମେରିକା ଟାଇଟଲ୍ ଜିତିବାରେ ସଫଳ ହୋଇଛି। ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଟାଇଟଲ୍ ଲଢ଼େଇରେ ବ୍ରାଜିଲ୍ ୩-୧ ଗୋଲରେ ପେରୁକୁ ପରାସ୍ତ କରିଛି। ଏଥିସହ ବ୍ରାଜିଲ୍ ୧୨ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଜିତିଛି।

୨୦୦୭ରେ ବ୍ରାଜିଲ୍ କୋପା ଆମେରିକା ଚାମ୍ପିଅନ୍ ହୋଇଥିଲା। କୋପା ଆମେରିକାରେ ବ୍ରାଜିଲର ଏହା ନବମ ଟାଇଟଲ୍। ଏହି ମ୍ୟାଚରେ ବ୍ରାଜିଲ୍ ଶେଷ ୨୦ ମିନିଟ୍ ଦଶ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଏହା ସତ୍ତ୍ୱେ ବ୍ରାଜିଲ୍ ମ୍ୟାଚକୁ ସହଜରେ ଜିତି ନେଇଥିଲା।

ବ୍ରାଜିଲ୍ ପ୍ରଥମ ମିନିଟରୁ ହିଁ ଖେଳ ଉପରେ ନିୟନ୍ତ୍ରଣ ରଖିଥିଲା। ଟିମ୍ ଲଗାତାର ବଲକୁ ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିଲା। ଟିମକୁ ପ୍ରଥମ ସଫଳତା ଦେଇଥିଲେ ଏଭରଟନ୍ ସୋଆର୍ସ। ଗାବ୍ରିଏଲ୍ ଜେସସଙ୍କଠାରୁ ପାସ୍ ପାଇ ଏଭରଟନ୍ ଏହି ଗୋଲଟି ଦେଇ ବ୍ରାଜିଲକୁ ୧-୦ରେ ଆଗୁଆ କରାଇଥିଲେ।

ପେରୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିଥିଲେ ହେଁ, ଏଥିରେ ବିଫଳ ହୋଇଥିଲା। ପ୍ରଥମାର୍ଦ୍ଧର ଶେଷ ମୁହୂର୍ତ୍ତରେ ପେରୁ କ୍ୟାପଟେନ୍ ପାଓଲୋ ଗୁରେରୋ ପେନାଲ୍ଟି ଦ୍ୱାରା ଗୋଲ୍ କରି ମ୍ୟାଚକୁ ୧-୧ରେ ବରାବର କରିଥିଲେ। କିନ୍ତୁ ତିନି ମିନିଟ୍ ବ୍ୟବଧାନରେ ବ୍ରାଜିଲର ଜେସସ୍ (୪୫+୩ତମ) ଚମତ୍କାର ଗୋଲ୍ ଦେଇ ଟିମକୁ ପୁଣିଥରେ ଅଗ୍ରଣୀ କରାଇଥିଲେ।

ଦ୍ୱିତୀୟାର୍ଦ୍ଧରେ ବ୍ରାଜିଲ୍ ରକ୍ଷଣାତ୍ମକ ଖେଳିଥିଲା। ଗୋଟିଏ ଗୋଲ୍ ଏବଂ ଗୋଟିଏ ଆସିଷ୍ଟ କରିଥିବା ଜେସସଙ୍କୁ ମ୍ୟାଚର ୭୦ତମ ମିନିଟରେ ଦ୍ୱିତୀୟ ୟେଲୋ କାର୍ଡ ଦିଆଯାଇଥିଲା, ଯେଉଁ କାରଣରୁ ତାଙ୍କୁ ମ୍ୟାଚରୁ ବାହାର କରିଦିଆଯାଇଥିଲା। ଏହା ପରେ ବ୍ରାଜିଲ୍ କୋଚ୍ ଟିକେ ଡିଫେନ୍ସରେ କିଛିଟା ଅଦଳବଦଳ କରି ମ୍ୟାଚକୁ ନିଜ କବଜାରେ କରିଥିଲେ। ଶେଷ ମିନିଟରେ ରିଚାର୍ଲିସନ୍ ପେନାଲ୍ଟି ଗୋଲ୍ ଦେଇ ବ୍ରାଜିଲକୁ ୩-୧ରେ ବିଜୟୀ କରାଇଥିଲେ।