ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଇଂଲଣ୍ଡକୁ ହଟାଇ ଶୀର୍ଷରେ ଟିମ୍ ଇଣ୍ଡିଆ

ଦୁବାଇ: ଚଳିତ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମ୍ ଭଲ ଆରମ୍ଭ କରିଛି ଏବଂ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ଏହାର ଫାଇଦା ଭାରତକୁ ଆଇସିସି ଦିନିକିଆ ରାଙ୍କିଙ୍ଗରେ ମଧ୍ୟ ମିଳିଛି। ଭାରତ ଏବେ ବିଶ୍ୱର ଏକ ନମ୍ବର ଦିନିକିଆ ଟିମ୍ ହୋଇଛି। ଏହି ମାମଲାରେ ଭାରତ ଇଂଲଣ୍ଡକୁ ହଟାଇ ଶୀର୍ଷ ସ୍ଥାନ କବଜା କରିଛି। ଭାରତ ୧୨୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ବିଶ୍ୱକପରେ ଇଂଲଣ୍ଡ ଟିମ୍ ୭ଟିରୁ ୩ଟି ମୁକାବିଲା ହାରିସାରିଛି ଏବଂ ଏହାର ପ୍ରଭାବ […]

india

Hemant Lenka
  • Published: Wednesday, 26 June 2019
  • , Updated: 26 June 2019, 10:11 PM IST

ଦୁବାଇ: ଚଳିତ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମ୍ ଭଲ ଆରମ୍ଭ କରିଛି ଏବଂ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ଏହାର ଫାଇଦା ଭାରତକୁ ଆଇସିସି ଦିନିକିଆ ରାଙ୍କିଙ୍ଗରେ ମଧ୍ୟ ମିଳିଛି। ଭାରତ ଏବେ ବିଶ୍ୱର ଏକ ନମ୍ବର ଦିନିକିଆ ଟିମ୍ ହୋଇଛି। ଏହି ମାମଲାରେ ଭାରତ ଇଂଲଣ୍ଡକୁ ହଟାଇ ଶୀର୍ଷ ସ୍ଥାନ କବଜା କରିଛି।

ଭାରତ ୧୨୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ବିଶ୍ୱକପରେ ଇଂଲଣ୍ଡ ଟିମ୍ ୭ଟିରୁ ୩ଟି ମୁକାବିଲା ହାରିସାରିଛି ଏବଂ ଏହାର ପ୍ରଭାବ ରାଙ୍କିଙ୍ଗରେ ପଡ଼ିଛି। ବିଶ୍ୱକପ୍ ଆରମ୍ଭ ହେବା ବେଳେ ଇଂଲଣ୍ଡର ୧୨୪ ପଏଣ୍ଟ ଥିଲା। କିନ୍ତୁ ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆଠାରୁ ହାରିବା ଦ୍ୱାରା ଟିମକୁ ଝଟକା ଲାଗିଛି। ଇଂଲଣ୍ଡ ଦୁଇ ପଏଣ୍ଟ ହରାଇଛି ଏବଂ ୧୨୨ ପଏଣ୍ଟ ସହ ଦ୍ୱିତୀୟରେ ରହିଛି।

ଇଆନ୍ ମୋର୍ଗାନଙ୍କ ଇଂଲଣ୍ଡ ଟିମ୍ ୨୦୧୮ ମେ' ମାସରେ ବିଶ୍ୱର ଏକ ନମ୍ବର ଦିନିକିଆ ଟିମ୍ ହୋଇଥିଲା। ଇଂଲଣ୍ଡ ଭାରତକୁ ହଟାଇ ଶୀର୍ଷ ସ୍ଥାନ କବଜା କରିଥିଲା। ନ୍ୟୁଜିଲ୍ୟାଣ୍ଡ ୧୧୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୧୧୨ ପଏଣ୍ଟ ସହ ଚତୁର୍ଥ ଏବଂ ଦକ୍ଷିଣ ଆଫ୍ରିକା ୧୦୯ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ସେହିପରି ପାକିସ୍ତାନ (୯୪) ଷଷ୍ଠ, ବାଂଲାଦେଶ (୯୨) ସପ୍ତମ, ଶ୍ରୀଲଙ୍କା (୭୮) ଅଷ୍ଟମ, ୱେଷ୍ଟଇଣ୍ଡିଜ୍ (୭୮) ନବମ ଏବଂ ଆଫଗାନିସ୍ତାନ (୬୦) ଦଶମ ସ୍ଥାନରେ ରହିଛନ୍ତି।

ଆସନ୍ତା ୩୦ ତାରିଖରେ ଭାରତ ଓ ଇଂଲଣ୍ଡ ବିଶ୍ୱକପରେ ମୁହାଁମୁହିଁ ହେବେ। ଭାରତ ଏପର୍ଯ୍ୟନ୍ତ ୫ଟିରୁ ୪ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଭାରତ ତା'ର ପରବର୍ତ୍ତୀ ମୁକାବିଲା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗୁରୁବାର ଖେଳିବ।

Related story