ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ୧୫ ପଏଣ୍ଟ ସହ ଶୀର୍ଷରେ ରହି ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ତା'ର ଶେଷ ତିନୋଟି ମ୍ୟାଚରେ ହାରିକି ବି କଷ୍ଟେମଷ୍ଟେ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲା। ଏଭଳି ସ୍ଥିତିରେ ପ୍ରଶଂସକ ଦୃଢ଼ ଆଶାୟୀ ଥିଲେ ଯେ, ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନା କେବଳ ଫାଇନାଲରେ ପହଞ୍ଚିବ ବରଂ ଟାଇଟଲ୍ ମଧ୍ୟ ଜିତିବ। କିନ୍ତୁ ଏହା ହୋଇପାରିଲା ନାହିଁ।
ପ୍ରତି ଅଭିଯାନର ଶେଷ ହୋଇଥାଏ ଏବଂ ଭାରତୀୟ ଟିମର ଅଭିଯାନ ମଧ୍ୟ ବିଶ୍ୱକପ୍ ସେମିଫାଇନାଲ୍ ପରାଜୟ ସହ ଶେଷ ହୋଇଛି। ଏଥିସହ ଭାରତୀୟ କ୍ୟାପଟେନ୍ ବିରାଟ କୋହଲିଙ୍କ ବିଶ୍ୱକପ୍ ଜିତିବା ସ୍ୱପ୍ନ ଚୁରମାର୍ ହୋଇଯାଇଛି। ଦେଖିବାକୁ ଗଲେ ବିରାଟ କୋହଲି ୨୦୧୧ ବିଶ୍ୱକପ୍ ନିଜ ହାତରେ ଉଠାଇ ସାରିଛନ୍ତି। କିନ୍ତୁ କ୍ୟାପଟେନ୍ ଭାବେ ଏହି ଉପଲବ୍ଧି ହାସଲ କରିବାର ଖୁସି ଭିନ୍ନ। କୋହଲିଙ୍କ ପାଖରେ ଚଳିତ ବିଶ୍ୱକପ୍ ଟ୍ରଫି ଜିତିବାର ସବୁଠାରୁ ଭଲ ସୁଯୋଗ ଥିଲା, କିନ୍ତୁ ଭାଗ୍ୟ ତାଙ୍କୁ ସାଥ୍ ଦେଲାନି।
ଅଧିନାୟକ ଭାବେ ପ୍ରଥମ ବିଶ୍ୱକପ୍: ଅଧିନାୟକ ଭାବେ ବିରାଟ୍ ପ୍ରଥମଥର ବିଶ୍ୱକପ୍ ଖେଳୁଥିଲେ। ଯେହେତୁ ବିରାଟ ଟାଇଟଲ୍ ଜିତିବାରେ ବିଫଳ ହୋଇଛନ୍ତି, ତେଣୁ ଏବେ ପ୍ରଶ୍ନ ଉଠୁଛି ଯେ ଭବିଷ୍ୟତରେ ବିରାଟ କ'ଣ ଭାରତକୁ ପୁଣିଥରେ ବିଶ୍ୱ ଚାମ୍ପିଅନ୍ କରାଇପାରିବେ। କିନ୍ତୁ ଏବେ ଏଭଳି ଏକ ସମୀକରଣ ସାମ୍ନାକୁ ଆସିଛି, ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, ବିରାଟଙ୍କ କ୍ୟାପଟେନ୍ସିରେ ଭାରତ ଆଉ କେବେବି ବିଶ୍ୱ ବିଜେତା ହୋଇପାରିବ ନାହିଁ।
ଟିମ୍ ଇଣ୍ଡିଆ ଯେଉଁ ଦୁଇଟି ଦିନିକିଆ ବିଶ୍ୱକପ୍ ଏବଂ ଗୋଟିଏ ଟି-୨୦ ବିଶ୍ୱକପ୍ ଜିତିଛି, ତାହା କେବଳ ନୂଆ କ୍ୟାପଟେନ୍ ଅଧୀନରେ ହିଁ ସଫଳ ହୋଇଛି। ୧୯୮୩ରେ କପିଲ୍ ଦେବ, ୨୦୦୭ରେ ମହେନ୍ଦ୍ର ସିଂହ ଧୋନି ଏବଂ ୨୦୧୧ରେ ପୁଣିଥରେ ଧୋନି। ଏ ସମସ୍ତ କ୍ୟାପଟେନ୍ ପ୍ରଥମଥର ଏହି ବିଶ୍ୱକପରେ ଟିମର ନେତୃତ୍ୱ ନେଇଥିଲେ। ଯଦି ଆମେ ଭାରତର ଅନ୍ୟ କ୍ୟାପଟେନଙ୍କ ବିଶ୍ୱକପ୍ ରେକର୍ଡ ଉପରେ ନଜର ପକାଇବା, ତାହେଲେ ଯେଉଁମାନେ ପ୍ରଥମ ବିଶ୍ୱକପରେ ଫେଲ୍ ମାରିଛନ୍ତି, ସେମାନେ ଆଉ ସଫଳ ହୋଇନାହାନ୍ତି।
ଯେପରି ମହମ୍ମଦ ଆଝାରୁଦ୍ଦିନ ତିନୋଟି (୧୯୯୨, ୧୯୯୬, ୧୯୯୯) ବିଶ୍ୱକପରେ ଭାରତର ନେତୃତ୍ୱ ନେଇଥିଲେ ହେଁ, ଭାରତକୁ ଥରେ ବି ଚାମ୍ପିଅନ୍ କରାଇପାରି ନାହାନ୍ତି। ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ପହଞ୍ଚିଥିଲେ ହେଁ, ଟାଇଟଲ୍ ଜିତିପାରିନଥିଲା। ୨୦୦୭ରେ ରାହୁଲ ଡ୍ରାଡିଡଙ୍କ ନେତୃତ୍ୱରେ ଭାରତ ସବୁଠାରୁ ଖରାପ ପ୍ରଦର୍ଶନ କରି ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା।
୧୯୮୩ ବିଶ୍ୱକପ୍: ୧୯୭୫ ଓ ୧୯୭୯ରେ ଭାରତୀୟ ଟିମର ନେତୃତ୍ୱଭାର ସମ୍ଭାଳିଥିଲେ ଭେଙ୍କଟ ରାଘବନ୍। ଏହି ଦୁଇଟି ବିଶ୍ୱକପରେ ଭାରତୀୟ ଟିମ୍ ନକଆଉଟରୁ ବିଦାୟ ନେଇଥିଲା। ଏହା ପରେ ୧୯୮୩ରେ ଭାରତୀୟ ଟିମ୍ କପିଲ୍ ଦେବଙ୍କ ନେତୃତ୍ୱରେ ବିଶ୍ୱକପ୍ ଖେଳିବାକୁ ଓହ୍ଲାଇଥିଲା। ଏହି ଅଲରାଉଣ୍ଡର ଜଣକ ନା କେବଳ ବଲରେ କିମ୍ବା ବ୍ୟାଟରେ ବରଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଫାଇନାଲରେ ଭିଭିଆନ୍ ରିଚାର୍ଡ୍ସଙ୍କ ଅଦ୍ଭୁତ କ୍ୟାଚ୍ ଦେଇ ଫିଲ୍ଡିଂ ଦ୍ୱାରା ପ୍ରମୁଖ ଯୋଗଦାନ କରିଥିଲେ। ୨୫ ଜୁନ୍, ୧୯୮୩ରେ ଖେଳାଯାଇଥିବା ଫାଇନାଲରେ ଭାରତ ୪୩ ରନରେ ବିଜୟୀ ହୋଇଥିଲା ଏବଂ ପ୍ରଥମଥର ପାଇଁ ଟ୍ରଫି ହାତେଇଥିଲା। କପିଲ୍ ବିଶ୍ୱକପରେ ପ୍ରଥମଥର କ୍ୟାପଟେନ୍ସି କରି ଭାରତକୁ ଟାଇଟଲ୍ ଦେଇଥିଲେ।
୨୦୦୭ ଟି-୨୦ ବିଶ୍ୱକପ୍: କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟ୍ ଅର୍ଥାତ୍ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇଥିଲା। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ୍ ଡ୍ରାଭିଡଙ୍କ ଭଳି ସିନିୟର ଖେଳାଳି ଏହି ଫର୍ମାଟରେ ଖେଳିବାକୁ ଇଚ୍ଛା ପ୍ରକାଶ କରିନଥିଲେ, କାରଣ ସେମାନେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଥିଲେ। ଏଭଳି ସ୍ଥିତିରେ ଟିମର ନେତୃତ୍ୱ ଭାର ମହେନ୍ଦ୍ର ସିଂହ ଧୋନିଙ୍କୁ ଦିଆଯାଇଥିଲା। ଧୋନିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଗୋଟିଏ ପରେ ଗୋଟିଏ ଇତିହାସ ରଚି ଫାଇନାଲରେ ପହଞ୍ଚିଥିଲା। ଜୋହାନସବର୍ଗରେ ସେପ୍ଟେମ୍ବର ୨୪ରେ ଅନୁଷ୍ଠିତ ଫାଇନାଲରେ ଭାରତ ସାମ୍ନାରେ ଥିଲା ପାକିସ୍ତାନ। ଏହି ମ୍ୟାଚ୍ ଆଶା ମୁତାକବ ରୋମାଞ୍ଚକର ହୋଇଥିଲା ଏବଂ ଭାରତ ମାତ୍ର ୫ ରନରେ ମ୍ୟାଚକୁ ଜିତି ଚାମ୍ପିଅନ୍ ହୋଇଥିଲା।
୨୦୧୧ ବିଶ୍ୱକପ୍: ୨୦୧୧ ବିଶ୍ୱକପ୍ ଭାରତରେ ଆୟୋଜିତ ହୋଇଥିଲା। ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କର ଏହା ପ୍ରଥମ ବିଶ୍ୱକପ୍ ଥିଲା। ଘରୋଇ ମାଟିରେ ଟୁର୍ଣ୍ଣାମେଣ୍ଟ ହେଉଥିବାରୁ ଭାରତକୁ ଟାଇଟଲର ଦୃଢ଼ ଦାବିଦାର କୁହାଯାଉଥିଲା। ଭାରତୀୟ ସେମିଫାଇନାଲରେ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଥିଲା। ଟାଇଟଲ୍ ଲଢ଼େଇରେ ଭାରତ ଶ୍ରୀଲଙ୍କାକୁ ଭେଟିଥିଲା। ଫାଇନାଲ୍ ମୁକାବିଲାରେ ଭାରତ ୬ ୱିକେଟରେ ବିଜୟୀ ହୋଇ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।