ପୁଣି କ୍ରିକେଟ୍ରେ ଫିକ୍ସିଂ କଳଙ୍କ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳି ସଂପୃକ୍ତ
ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ଅତି କମ୍ରେ ୧୫ଟି ଅନ୍ତର୍ଜାତୀୟ ମ୍ୟାଚ୍ରେ ୨୬ଟି ସ୍ପଟ୍ ଫିକ୍ସିଂ କରିଥିବା ଅଭିଯୋଗ
ଦୁବାଇ: ପୁଣିଥରେ ଜେଣ୍ଟଲ୍ମ୍ୟାନ୍ଙ୍କ ଖେଳ କ୍ରିକେଟ୍ରେ ଲାଗିଛି ଫିକ୍ସିଂ ଭଳି କଳଙ୍କର ଦାଗ। ଇଂଲଣ୍ଡରର ଏକ ଛୋଟିଆ ଗ୍ରୁପ୍ ଓ କିଛି ଅଷ୍ଟ୍ରେଲିଆ କ୍ରିକେଟର୍ ଏଭଳି ଫିକ୍ସିଂ କରିଥିବା ଅଭିଯୋଗ ହୋଇଛି। ଏନେଇ ଅନ୍ତର୍ଜାତୀୟ ସ୍ତରର ଗଣମାଧ୍ୟମ ଅଲ ଜଜିରାରେ ଖବର ପ୍ରକାଶ ପାଇବା ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ଉକ୍ତ ଗଣମାଧ୍ୟମ ଅନୁଯାୟୀ ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିମାନେ ଅତି କମ୍ରେ ୧୫ଟି ଅନ୍ତର୍ଜାତୀୟ ମ୍ୟାଚ୍ରେ ୨୬ଟି ସ୍ପଟ୍ ଫିକ୍ସିଂ କରିଥିବା ଦାବି କରିଛି।
୨୦୧୧ ଓ ୨୦୧୨ରେ ଇଂଲଣ୍ଡର ଖେଳାଳିମାନେ ୭ଟି ମ୍ୟାଚ୍ରେ ଫିକ୍ସିଂ କରିଥିବା ଉକ୍ତ ଗଣମାଧ୍ୟମ କହିଛି। ଏହି ଅବଧି ମଧ୍ୟରେ ଅଷ୍ଟ୍ରେଲିଆ ଖେଳାଳିମାନେ ୫ଟି ଓ ପାକିସ୍ତାନ ଖେଳାଳିମାନେ ୩ଟି ମ୍ୟାଚ୍ ଏବଂ ଶ୍ରୀଲଙ୍କା ଓ ଜିମ୍ବାୱେ ମଧ୍ୟରେ ଶେଷ ହୋଇଥିବା ଗୋଟିଏ ମ୍ୟାଚ୍ରେ ଫିକ୍ସିଂ କରିଥିବା ଉକ୍ତ ଗଣମାଧ୍ୟମ ଡକ୍ୟୁମେଣ୍ଟ ପ୍ରମାଣ ସ୍ଵରୂପ ପାଇଥିବା କହିଛି।
୨୦୧୧ ଇଂଲଣ୍ଡ ଓ ଭାରତ ମଧ୍ୟରେ ଲର୍ଡସରେ ହୋଇଥିବା ମ୍ୟାଚ୍, କେପ୍ ଟାଉନ୍ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଅନୁଷ୍ଠିତ ହୋଇଥିବା ମ୍ୟାଚ୍ ଏବଂ ୨୦୧୨ରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ୟୁଏଇ ଠାରେ ଶେଷ ହୋଇଥିବା ୩ଟି ଯାକ ଟେଷ୍ଟ ମ୍ୟାଚ୍ରେ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି।
ସେହିପରି ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ ବିପକ୍ଷ ୨୦୧୧ ବିଶ୍ୱକପ୍ ବେଳେ ଇଂଲଣ୍ଡ ଖେଳାଳିମାନେ ଫିକ୍ସିଂ କରିଥିଲେ। ୨୦୧୨ ଆଫ୍ଗାନିସ୍ତାନ ବିପକ୍ଷ ବିଶ୍ୱକପ୍ ଟି-୨୦ ମ୍ୟାଚ୍ରେ ମଧ୍ୟ ଇଂଲଣ୍ଡ ଖେଳାଳିମାନେ ଫିକ୍ସିଂ କରିଥିଲେ।
ଏନେଇ ବୁକି ଅନେଲ ମୁନୱାର ଓ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଭଏସ୍ ରେକର୍ଡିଂ ଅଲ ଜଜିରା ନିଜ ପାଖରେ ରଖିଥିବା କହିଛି। ମୁନୱାରଙ୍କ ଏକ ସାକ୍ଷାତକାର ମଧ୍ୟ ଉକ୍ତ ଗଣମାଧ୍ୟମ ପ୍ରସାରଣ କରିଛି।
ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍(ଆଇସିସି) ଘଟଣାକୁ ଗୁରୁତ୍ୱର ସହ ତଦନ୍ତ କରାଯିବ ବୋଲି କହିଛି। ଆଇସିସି ଏନେଇ ଏକ ଡକ୍ୟୁମେଣ୍ଟ୍ ଅଲ ଜଜିରାଠାରୁ ସଂଗ୍ରହ କରିଛି।
ଅନ୍ୟପକ୍ଷରେ ଏଭଳି ମ୍ୟାଚ୍ ଫିକ୍ସିଂ ଅଭିଯୋଗକୁ ଉଭୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ଖଣ୍ଡନ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।