ଏକା ଲଢ଼ିଲେ ଆୟର୍, ଇଂଲଣ୍ଡକୁ ମିଳିଲା ୧୨୫ ରନ୍‌ର ଟାର୍ଗେଟ୍

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଶ୍ରେୟସ ଆୟରଙ୍କ ଲଢ଼ୁଆ ଇନିଂସ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୨୪ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡକୁ ୧୨୫ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର୍ ସର୍ବାଧିକ ୬୭ (୪୮ ବଲ୍, ୮ ଚୌକା, ୧ ଛକା) ରନ୍ କରିଥିବା ବେଳେ ଟପ୍ ଅର୍ଡର ପୂରା ଫେଲ୍ ମାରିଛନ୍ତି।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ଅଭିଜ୍ଞ ଓପ୍ନର ରୋହିତ୍ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଶିଖର ଧୱନ୍ ଓ ଲୋକେଶ ରାହୁଲ୍ ନିରାଶ କରିଥିଲେ। କ୍ୟାପଟେନ୍ ବିରାଟ୍‌ କୋହଲି ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ।

ମ୍ୟାଚର ଦ୍ୱିତୀୟ ଓଭରର ଦ୍ୱିତୀୟ ବଲରେ ରାହୁଲ(୧)ଙ୍କୁ ଇଂଲଣ୍ଡ ଦଳର ଷ୍ଟାର୍ ପେସର୍ ଜୋଫ୍ରା ଆର୍ଚର୍ କ୍ଲିନ ବୋଲ୍ଡ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କୋହଲିଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଆଦିଲ୍ ରଶିଦ୍। ପରେ ଧୱନ(୪) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ଧୱନଙ୍କ ବୋଲ୍ଡର କରିଥିଲେ ମାର୍କ ଉଡ୍। ୨୦ ରନ୍ ଭିତରେ ୩ ୱିକେଟ୍ ହରାଇବା ପରେ ଋଷଭ ପନ୍ତ ଓ ଆୟର୍ ଆଶା ସଞ୍ଚାର କରିଥିଲେ। ଟେଷ୍ଟ ସିରିଜରେ ଜବରଦସ୍ତ ବ୍ୟାଟିଂ କରିଥିବା ପନ୍ତ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ପନ୍ତ ୨୩ ବଲରେ ୨ ଚୌକା ଓ ୧ ଛକା ସହ ୨୧ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ।

ଆୟର୍ ଜବରଦସ୍ତ ବ୍ୟାଟିଂ କରି ୩୬ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କୁ ଭରପୂର ସହଯୋଗ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଦୁହେଁ ପଞ୍ଚମ ୱିକେଟ୍‌ ପାଇଁ ୫୪ ରନର ଭାଗିଦାରୀ କରିଥିଲେ। ହାର୍ଦ୍ଦିକ ବ୍ୟକ୍ତିଗତ ୧୯ ରନ୍ କରି ଆର୍ଚରଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶାର୍ଦ୍ଦୁଲ ଠାକୁର ଖାତା ଖୋଲିପାରିନଥିଲେ। ତେବେ ଆୟର ଲଢ଼ୁଆ ବ୍ୟାଟିଂ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଇଂଲଣ୍ଡ ପକ୍ଷରୁ ଆର୍ଚର୍ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ରଶିଦ୍, ମାର୍କ ଉଡ୍, ଜୋର୍ଡାନ୍ ଓ ଷ୍ଟୋକ୍ସ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।