ଦୁଇମାସ ପରେ ବ୍ୟାଟ୍ ଓ ବଲ୍ ଧରିଲେ ଜାଡେଜା
ନୂଆଦିଲ୍ଲୀ: ଦୀର୍ଘ ଦୁଇମାସର ବ୍ୟବଧାନ ପରେ ବ୍ୟାଟ୍ ଓ ବଲ୍ ଧରିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ଆହତ କାରଣରୁ କ୍ରିକେଟ୍ ମଇଦାନରୁ ଦୂରରେ ରହିଥିବା ଜାଡେଜା ଗୁରୁବାର ନେଟ୍ସରେ ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରିଛନ୍ତି। ଖୋଦ୍ ଜାଡେଜା ନିଜର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ଜାରି କରି ଏହାର ସୂଚନା ଦେଇଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବାମ ଅଙ୍ଗୁଳିରେ ଆଘାତ କାରଣରୁ ଜାଡେଜା ପୂରା ଗସ୍ତରୁ ଓହରିବା ସହ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଓ ଟି-୨୦ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି। କିନ୍ତୁ ଏବେ ଜାଡେଜା ପୁଣିଥରେ ଫିଟ୍ ହୋଇ ଟିମକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି। ଜାଡେଜା ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ଦୀର୍ଘ ଦୁଇ ମାସ ପରେ ହାତରେ ବ୍ୟାଟ୍ ଓ ବଲ୍ ଧରିବା ପରେ ବହୁତ ଭଲ ଲାଗୁଛି। ଏବେ ମୁଁ ପୂରା ପ୍ରସ୍ତୁତ ଅଛି। ଭିଡିଓରେ ଜାଡେଜାଙ୍କୁ ବ୍ୟାଟିଂ ଓ ବୋଲିଂ ପ୍ରାକ୍ଟିସ୍ କରୁଥିବାର ଦେଖିବାକୁ ମିଳିଛି।
Feeling good.holding bat n ball after two months #gettingready #focusonyourself pic.twitter.com/5sWgkhKpoG
— Ravindrasinh jadeja (@imjadeja) March 11, 2021
ଜାଡେଜାଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲ୍ ଇଂଲଣ୍ଡ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଚୟନ ହୋଇଥିଲେ। ଅକ୍ଷର ଇଂଲଣ୍ଡ ବିପକ୍ଷ ଶେଷ ତିନୋଟି ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ଭାରତର ୩-୧ରେ ସିରିଜ୍ ବିଜୟରେ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ। ଜାଡେଜା ୩ଟି ଟେଷ୍ଟରେ ୧୦.୫୯ ହାରରେ ୨୭ଟି ୱିକେଟ୍ ନେଇଥିଲେ, ଯେଉଁଥିରେ ୪ଥର ୫ରୁ ଅଧିକ ୱିକେଟ୍ ସାମିଲ୍ ଥିଲା।
ଅକ୍ଷରଙ୍କ ଦମଦାର ପ୍ରଦର୍ଶନ ସତ୍ତ୍ୱେ ଜାଡେଜାଙ୍କ ଅନ୍ତର୍ଜାତୀୟ କମବ୍ୟାକ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ ଜାଡେଜା ତିନୋଟି ଯାକ ଫର୍ମାଟରେ ଭାରତର ନିୟମିତ ସଦସ୍ୟ ରହିଆସିଛନ୍ତି। ଜାଡେଜା ଉଭୟ ବ୍ୟାଟ୍ ଓ ବଲରେ ଭାରତକୁ ଅନେକ ମ୍ୟାଚରେ ଜିତାଇଛନ୍ତି। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଜାଡେଜା ଚୟନ ହୋଇନଥିଲେ ହେଁ ଆଗାମୀ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି-୨୦ ୱାର୍ଲ୍ଡ କପକୁ ଜାଡେଜା କମବ୍ୟାକ୍ କରିପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।