ଗୋଟିଏ ଫ୍ରେମ୍‌ରେ ଟି-୨୦ ବିଶ୍ୱକପର ୧୬ କ୍ୟାପ୍ଟେନ

ମେଲବର୍ଣ୍ଣ: ଆସନ୍ତାକାଲି ଠାରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ପୁରୁଷ ଟି-୨୦ ବିଶ୍ୱକପ। ପ୍ରଥମେ ଗ୍ରୁପ ପର୍ଯ୍ୟାୟ ଓ ୨୨ ତାରିଖରୁ ସୁପର ୧୨ ଆରମ୍ଭ ହେବ। ରବିବାର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ନାମ୍ବିଆ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହାପୂର୍ବରୁ ଟି-୨୦ ବିଶ୍ୱକପରେ ଭାଗ ନେଇଥିବା ୧୬ ଟିମର କ୍ୟାପ୍ଟେନମାନଙ୍କୁ ଗୋଟିଏ ଫ୍ରେମରେ ଏକାଠି ଦେଖିବାକୁ ମିଳିଛି।

ବିଶ୍ୱକପର ଓପନିଂ ମ୍ୟାଚ୍‌ ପୂର୍ବରୁ ‘କ୍ୟାପ୍ଟେନ୍ସ ଡେ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସବୁ ଦଳର ଅଧିନାୟକ ଯୋଗ ଦେଇଥିଲେ। ଏଥିସହ ମିଡିଆର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ କ୍ୟାପ୍ଟେନମାନେ ଦେଇଛନ୍ତି। ଆଇସିସି ପକ୍ଷରୁ ଗୋଟିଏ ଫ୍ରେମରେ ୧୬ ଟିମ୍‌ର କ୍ୟାପ୍ଟେନ ଥିବା ଫଟୋକୁ ଟ୍ୱିଟ କରାଯାଇଛି।

ଏହାର ଶୀର୍ଷକ ରହିଛି “ସମସ୍ତ ୧୬ କ୍ୟାପ୍ଟେନ ଗୋଟିଏ ଫ୍ରେମରେ।” ଅଧିନାୟକମାନେ ଫୋଟ ପୋଜ ଦେବା ସହ ସେଲଫି ମଧ୍ୟ ନେଇଛନ୍ତି। ଆୟୋଜକ ଅଷ୍ଟ୍ରେଲିଆର କ୍ୟାପ୍ଟେନ ଆରୋନ ଫିଞ୍ଚ ସମସ୍ତଙ୍କ ସହ ସେଲଫି ଉଠାଉଥିବା ବେଳେର ଫୋଟକୁ ମଧ୍ୟ ଆଇସିସି ଟ୍ୱିଟ କରିଛି।


ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଟି-୨୦ ବିଶ୍ୱକପ ଆୟୋଜନ ହେଉଛି। ଟପ୍ ୮ ଟିମ ସିଧାସଳଖ ସୁପର ୧୨କୁ ଯାଇଛନ୍ତି। ବାକି ୮ ଟିମ୍ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ସେମାନଙ୍କ ମଧ୍ୟରୁ ୪ଟି ଟିମ ସୁପର ୧୨କୁ ଆସିବେ। ଏହାପରେ ୨୨ ତାରିଖରୁ ସୁପର ୧୨ ମୁକାବିଲା ହେବ। ୨୩ ତାରିଖରେ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ହେବ। ଗୋଟିଏ ପଟେ ଭାରତ ରହିଥିବା ବେଳେ ଅନ୍ୟପଟେ ପାକିସ୍ତାନ ରହିଛି।


ଚଳିତ ବିଶ୍ୱକପରେ ମୋଟ ୪୫ଟି ମ୍ୟାଚ୍ ଅନୁଷ୍ଠିତ ହେବ। ୧୬ ଅକ୍ଟୋବରରୁ ନଭେମ୍ବର ୧୩ ଯାଏ ବିଶ୍ୱକପ ଚାଲିବ। ଆଫଗାନିସ୍ତାନଳ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ,ଇଣ୍ଡିଆ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ସିଧାସଳଖ ସୁପର ୧୨ରେ ପ୍ରବେଶ କରିଛନ୍ତି। ଗ୍ରୁପ ପର୍ଯ୍ୟାୟରେ ନାମ୍ବିଆ, ଶ୍ରୀଲଙ୍କା, ୟୁଏଇ, ଆୟର୍ଲ୍ୟାଣ୍ତ, ସ୍କଟଲ୍ୟାଣ୍ଡ, ୱେଷ୍ଟଇଣ୍ଡିଜ, ନେଦରଲ୍ୟାଣ୍ଡସ ଓ ଜିମ୍ବାୱେ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।