ଡେବ୍ୟୁଟାଣ୍ଟଙ୍କ ଦମ୍‌ରେ ଜିତିଲା ଟିମ ଇଣ୍ଡିଆ, ପୁଣି ମୋଡ଼ ବଦଳାଇ ଦେଲେ ଶାର୍ଦ୍ଦୁଲ ଠାକୁର

ପୁଣେ: ବିଜୟରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ଦୁଇ ଡେବ୍ୟୁଟାଣ୍ଟ କୃନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଚମତ୍କାର ପ୍ରଦର୍ଶନ ସାଙ୍ଗକୁ ଠିକଣା ସମୟରେ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁରଙ୍କ ୱିକେଟ ଦଖଲ ଯୋଗୁ ଟିମ୍‌ ଇଣ୍ଡିଆ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୬୬ ରନ୍‌ରେ ପରାସ୍ତ କରିଛି।

ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୧୭ ରନ୍‌ କରିଥିଲା। ଏହାର ଜବାବରେ ଇଂଲଣ୍ଡ ୪୧.୧ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୫୧ ରନ କରିବାକୁ ସକ୍ଷମ ହୋଇଥିଲା। କୃନାଲ ବ୍ୟାଟିଂରେ କମାଲ କରି ୩୧ ବଲ୍‌ରେ ଅପରାଜିତ ୫୮ ରନ୍‌ କରିଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ୪ଟି ୱିକେଟ ଦଖଲ କରିଛନ୍ତି। ସେହିପରି ଶାର୍ଦ୍ଦୁଲ ଠାକୁର ବିସ୍ଫୋରକ ଜନ୍ନି ବେୟାରଷ୍ଟୋଙ୍କ ସହ ୩ଟି ୱିକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଶିଖର ଧୱନ ମଧ୍ୟ ୯୮ ରନର ଇନିଂସ୍‌ ଖେଳିଥିଲେ।

ଭାରତ ଦେଇଥିବା ୩୧୮ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ଦମଦାର ଆରମ୍ଭ କରିଥିଲା। ଦୁଇ ଓପନର ଜନ୍ନି ବେୟାରଷ୍ଟୋ ଓ ଜାସନ ରୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ଓଭର ପିଛା ସେମାନେ ୧୦ରୁ ଅଧିକ ହାରରେ ରନ୍‌ ସଂଗ୍ରହ କରୁଥିବାରୁ ଭାରତ ହାତରୁ ମ୍ୟାଚ୍‌ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।

ଉଭୟ ପ୍ରଥମ ୱିକେଟ ପାଇଁ ୧୪.୨ ଓଭର୍‌ରେ ୧୩୫ ରନ୍‌ ଯୋଡ଼ି ଥିଲେ। ଏହି ସମୟରେ ଡେବ୍ୟୁଟାଣ୍ଟ ପ୍ରସିଦ୍ଧ କ୍ରିଷ୍ଣା ଜେସନ ରୟ(୪୬)ଙ୍କୁ ଆଉଟ କରିଦେଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବେନ ଷ୍ଟୋକ୍ସ(୧) ପ୍ରସିଦ୍ଧଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ଲଗାତର ଦୁଇଟି ୱିକେଟ ଖସିଥିଲେ ହେଁ ଏହାର ପ୍ରଭାବ ବେୟାରଷ୍ଟୋଙ୍କ ଉପରେ ପଡ଼ି ନଥିଲା। ସେ କାଉଣ୍ଟର ଆଟାକ କରି ନିଜର ଶତକ ଆଡ଼କୁ ବଢ଼ିଥିଲେ। ତାଙ୍କୁ ଅଧିନାୟକ ଇଆନ ମୋର୍ଗାନ ମଧ୍ୟ ଭରପୂର ସହଯୋଗ କରିଥିଲେ। ତେବେ ଏହି ସମୟରେ ଘଟିଥିଲା ବଡ଼ ଟ୍ୱିଷ୍ଟ।

ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିବା ଶାର୍ଦ୍ଦୁଲ ଠାକୁରଙ୍କୁ ହଠାତ୍‌ ବୋଲିଂ କରିବାକୁ କହିଥିଲେ ବିରାଟ କୋହଲି। ୪ର୍ଥ ଓ ୫ମ ଟି-୨୦ରେ ଠିକଣା ସମୟରେ ୱିକେଟ ଦଖଲ କରି ପୂରା ମ୍ୟାଚ୍‌ର ମୋଡ଼ ଭାରତକୁ ଆଡ଼କୁ ମୋଡ଼ି ଦେଇଥିବା ଶାର୍ଦ୍ଦୁଲ ପୁଣି କମଲା କରିବେ ବୋଲି ସମସ୍ତେ ଆଶା କରିଥିଲେ। ସତକୁ ସତ ସେ ବିସ୍ଫୋରକ ବେୟାରଷ୍ଟୋ(୯୪)ଙ୍କୁ ଆଉଟ କରି ଇଂଲଣ୍ଡକୁ ବଡ଼ ଝଟକା ଦେଇଥିଲେ।

ଏହାର ପରବର୍ତ୍ତୀ ଓଭର୍‌ରେ ଶାର୍ଦ୍ଦୁଲ ଇଂଲିଶ ଅଧିନାୟକ ମୋର୍ଗାନ(୨୨)ଙ୍କୁ ଆଉଟ କରିଥିଲେ। ଏହି ଓଭର୍‌ରେ ଜୋସ ବଟଲର(୨) ମଧ୍ୟ ଶାର୍ଦ୍ଦୁଲଙ୍କ ୩ୟ ଶିକାର ବନିଥିଲେ। ଲଗାତର ୩ଟି ୱିକେଟ ହରାଇ ଇଂଲଣ୍ଡ ସଙ୍କଟରେ ପଡ଼ିଥିଲା। ଭାରତୀୟ ବୋଲର ମଧ୍ୟ ଜବରଦସ୍ତ କମବ୍ୟାକ୍‌ କରି ଇଂଲିଶ ଟିମ୍‌ ଉପରେ ଚାପ ପକାଇଥିଲେ। ଉକ୍ତ ୩ ୱିକେଟ ପରେ ଇଂଲଣ୍ଡ ଆଉ ମ୍ୟାଚ୍‌କୁ ଫେରି ପାରି ନଥିଲା। ଦଳ କ୍ରମାଗତ ୱିକେଟ ହରାଇ ଚାଲିଥିଲା।

ପ୍ରସିଦ୍ଧ କ୍ରିଷ୍ଣା ୧୮ ରନ୍‌ କରିଥିବା ସାମ ବିଲିଙ୍ଗସଙ୍କୁ ଆଉଟ କରିଥିବା ବେଳେ ମୋଇନ ଅଲୀ(୩୦) ଓ ଆଦିଲ ରଶିଦ(୦)ଙ୍କ ୱିକେଟ ଭୁବନେଶ୍ୱର କୁମାରଙ୍କ ଖାତାକୁ ଯାଇଥିଲା। ବ୍ୟାଟିଂରେ କମାଲ କରିଥିବା କୃନାଲ ପାଣ୍ଡ୍ୟା ବାମହାତୀ ସାମ କୁରାନ(୧୨) ଙ୍କ ୱିକେଟ ନେଇଥିଲେ। ଶେଷରେ ଟମ କୁରାନ(୧୧)ଙ୍କୁ ଆଉଟ କରି ପ୍ରସିଦ୍ଧ କ୍ରିଷ୍ଣା ଇଂଲଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଏହାପୂର୍ବରୁ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଶିଖର ଧୱନ୍ ଓ କ୍ୟାପଟେନ୍ ବିରାଟ୍‌ କୋହଲି ଜବରଦସ୍ତ ପ୍ରଦର୍ଶନ କରିଥିଲେ।ତେବେ ମିଡିଲ୍ ଅର୍ଡରରେ ବ୍ୟାଟିଂ କୋଲାପ୍ସ ଯୋଗୁ ଭାରତର ବଡ଼ ସ୍କୋର ଆଶା ମଉଳି ଯାଇଥିଲା। କିନ୍ତୁ ଡେବ୍ୟୁଟାଣ୍ଟ କୃନାଲ୍ ପାଣ୍ଡ୍ୟା ଓ ଟି-୨୦ ସିରିଜରେ ନିରାଶ କରିଥିବା ଲୋକେଶ ରାହୁଲ୍ ଧୂଆଁଧାର ବ୍ୟାଟିଂ କରି ଭାରତକୁ ମଜଭୁତ୍ ସ୍କୋର ଦେଇଥିଲେ।

ଭାରତ ପକ୍ଷରୁ ଧୱନ୍ ସର୍ବାଧିକ ୯୮ ରନ୍ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବା ବେଳେ କୋହଲି ୫୬ ରନର ଇନିଂସ୍ ଖେଳିଛନ୍ତି। ରାହୁଲ୍ ଓ କୃନାଲ୍ ଷଷ୍ଠ ୱିକେଟ୍ ପାଇଁ ୫୭ ବଲରେ ୧୧୨ ରନ୍ କରି ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ରାହୁଲ୍ ୪୩ ବଲରେ ୪ ଚୌକା ଓ ୪ ଛକା ସହ ୬୨ ଓ କୃନାଲ୍ ୩୧ ବଲରେ ୭ ଚୌକା ଓ ୨ ଛକା ସହ ୫୮ ରନ୍ କରି ଅପରାଜିତ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।