ସଚିନ୍ ଓ ସେହ୍ୱାଗଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରୋହିତ-ଧୱନଙ୍କ ଯୋଡ଼ି

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଘରୋଇ ଦଳର ଓପନିଂ ଯୋଡ଼ି ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଶିଖର ଧୱନ୍ ଅର୍ଦ୍ଧଶତକୀୟ ଭାଗିଦାରୀ କରିଛନ୍ତି। ଏଥିସହ ରୋହିତ୍ ଓ ଧୱନଙ୍କ ଯୋଡ଼ି ପୂର୍ବତନ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଦିନିକିଆ କ୍ରିକେଟରେ ଭାରତୀୟ ଓପନିଂ ଯୋଡ଼ି ଭାବେ ରୋହିତ୍ ଓ ଧୱନ୍ ସର୍ବାଧିକ ଅର୍ଦ୍ଧଶତକୀୟ ଭାଗିଦାରୀର ରେକର୍ଡ କରିଛନ୍ତି। ପୂର୍ବରୁ ଏହି କାରାନାମା ସଚିନ୍ ଓ ସେହ୍ୱାଗଙ୍କ ନାଁରେ ଥିଲା। ସଚିନ୍ ଓ ସେହ୍ୱାଗ ୩୦ଥର ୫୦ରୁ ଅଧିକ ରନର ପାର୍ଟନରଶିପ୍ କରିଥିଲେ। ଏବେ ଧୱନ୍ ଓ ରୋହିତ୍ ଦିନିକିଆ କ୍ରିକେଟରେ ୩୧ଥର ୫୦ରୁ ଅଧିକ ରନର ଭାଗିଦାରୀ କରି ରେକର୍ଡ ସ୍ଥାପନ କରିଛନ୍ତି।

ଏହି ତାଲିକାରେ ଶୀର୍ଷରେ ଅଛନ୍ତି ସଚିନ୍ ଓ ସୌରଭ ଗାଙ୍ଗୁଲିଙ୍କ ଯୋଡ଼ି। ସଚିନ୍ ଓ ଗାଙ୍ଗୁଲି ଓପନିଂ ଯୋଡ଼ି ଭାବେ ଦିନିକିଆରେ ୪୪ଥର ୫୦ରୁ ଅଧିକ ରନ୍ କରିଛନ୍ତି। ଆଜି ମ୍ୟାଚରେ ରୋହିତ୍ ଓ ଧୱନ୍ ପ୍ରଥମ ୱିକେଟ୍‌ ପାଇଁ ୬୪ ରନର ଭାଗିଦାରୀ କରିଛନ୍ତି। ଏହାକୁ ମିଶାଇ ଦୁହେଁ ଓପନିଂ ପାର୍ଟନର୍ ଭାବେ ୪୮୭୮ ରନ୍ ଯୋଡ଼ିଛନ୍ତି। ଦିନିକିଆରେ ଓପନିଂ ଯୋଡ଼ି ଭାବେ ସର୍ବାଧିକ ରନ୍ କରିବାର ରେକର୍ଡ ସଚିନ୍ ଓ ଗାଙ୍ଗୁଲିଙ୍କ ନାଁରେ ରହିଛି। ସଚିନ୍ ଓ ସୌରଭ ୧୭୬ ଇନିଂସରେ ୮୨୨୭ ରନ୍ ଯୋଡ଼ିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।