ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଚମକିଲା ଇଂଲଣ୍ଡ, ଭାରତ ନିରାଶ

ଅହମ୍ମଦାବାଦ: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଇଂଲିଶ ଟିମ୍ ଆଗରେ ସରେଣ୍ଡର କରିଛି ବିରାଟ ବ୍ରିଗେଡ । ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚରେ ଭାରତ ଇଂଲଣ୍ଡ ପାଖରୁ ହାରିଛି। ଇଂଲଣ୍ଡ ୧୫ ଓଭର ୩ଟି ବଲରେ ଦୁଇଟି ଓ୍ୱିକେଟ ହରାଇ ୧୩୦ ରନ୍ କରି ଟାର୍ଗେଟ୍ ହାସଲ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୭ ଓ୍ୱିକେଟ ହରାଇ ୧୨୪ ରନ୍ କରିଥିଲା।

ଟି -୨୦ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତକୁ ପରାସ୍ତ କରିଛି। ଅହମ୍ମଦାବାଦରେ ଚାଲିଥିବା ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟରେ ବିଜୟୀ ହୋଇଛି। ଭାରତ ଇଂଲଣ୍ଡକୁ ମାତ୍ର ୧୨୫ ରନ୍‌ର ଟାର୍ଗେଟ ଦେଇଥିଲା। ଯାହାକୁ ଇଂଲଣ୍ଡ ମାତ୍ର ୧୫.୩ ଓଭରରେ ସହଜରେ ହାସଲ କରିଛି। ଇଂଲଣ୍ଡ ପକ୍ଷରୁ ଜୋସନ ରୟ ମାତ୍ର ୩୨ ବଲରେ ୪୯ ରନର ଧୂଆଁଧାର ଇନିଂସ ଖେଳିଥିଲେ। ସେହପରି ଜୋନି ବେୟାରଷ୍ଟୋ ୨୬ ରନ କରି ଅପରାଜିତ ରହିଥିବା ବେଳେ ମାଲାନ ୨୪ ରନ କରି ଅପରାଜିତ ରହିଥିଲେ।

ତେବେ ୧୬ ତମ ଓଭରରେ ୱାଶିଂଟନ ସୁନ୍ଦରଙ୍କ ବଲରେ ଡେଭିଡ ମାଲାନ ଲଙ୍ଗ ଅଫରେ ଏକ ଛକା ମାରି ଦଳକୁ ସହଜରେ ବିଜୟୀ କରାଇଥିଲେ। ଇଂଲଣ୍ଡ ୮-ୱିକେଟ୍ ବିଜୟ ସହ ସିରିଜରେ ୧-୦ରେ ଆଗୁଆ ରହିଛି। ଆଗକୁ ଆହୁରି ୪ଟି ମ୍ୟାଚ ରହିଛି।

ଯଦି ଏହି ମ୍ୟାଚ ପାଇଁ ଭଲ ସାବ୍ୟସ୍ତ ହୋଇନି ହେଲେ ଚହଲ ନିଜ ପାଇଁ ସଫଳତା ହାସଲ କରିଛନ୍ତି। ଜୋଶ ବଟଲର (୨୮)ଙ୍କୁ ଆଉଟ୍ କରି ସେ ଟି-୨୦ ଫର୍ମାଟରେ ୬୦ ତମ ୱିକେଟ୍ ହାସଲ କରିଥିଲେ। ବଟଲରଙ୍କୁ ଆଉଟ୍ କରିବା ପରେ ଭାରତ ପକ୍ଷରୁ ସର୍ବାଧିକ ଟି-୨୦ ୱିକେଟ ନେଇଥିବା ଜସପ୍ରୀତ ବୁମ୍ରା (୫୯) କୁ ପଛରେ ପକାଇ ଦେଇଛନ୍ତି। ତେବେ ଏହା ଚହଲଙ୍କର ୧୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ଅଭିଜ୍ଞ ଓପ୍ନର ରୋହିତ୍ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଶିଖର ଧୱନ୍ ଓ ଲୋକେଶ ରାହୁଲ୍ ନିରାଶ କରିଥିଲେ। କ୍ୟାପଟେନ୍ ବିରାଟ୍‌ କୋହଲି ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ।

ମ୍ୟାଚର ଦ୍ୱିତୀୟ ଓଭରର ଦ୍ୱିତୀୟ ବଲରେ ରାହୁଲ(୧)ଙ୍କୁ ଇଂଲଣ୍ଡ ଦଳର ଷ୍ଟାର୍ ପେସର୍ ଜୋଫ୍ରା ଆର୍ଚର୍ କ୍ଲିନ ବୋଲ୍ଡ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କୋହଲିଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଆଦିଲ୍ ରଶିଦ୍। ପରେ ଧୱନ(୪) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ଧୱନଙ୍କ ବୋଲ୍ଡର କରିଥିଲେ ମାର୍କ ଉଡ୍। ୨୦ ରନ୍ ଭିତରେ ୩ ୱିକେଟ୍ ହରାଇବା ପରେ ଋଷଭ ପନ୍ତ ଓ ଆୟର୍ ଆଶା ସଞ୍ଚାର କରିଥିଲେ। ଟେଷ୍ଟ ସିରିଜରେ ଜବରଦସ୍ତ ବ୍ୟାଟିଂ କରିଥିବା ପନ୍ତ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ପନ୍ତ ୨୩ ବଲରେ ୨ ଚୌକା ଓ ୧ ଛକା ସହ ୨୧ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ।

ଆୟର୍ ଜବରଦସ୍ତ ବ୍ୟାଟିଂ କରି ୩୬ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କୁ ଭରପୂର ସହଯୋଗ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଦୁହେଁ ପଞ୍ଚମ ୱିକେଟ୍‌ ପାଇଁ ୫୪ ରନର ଭାଗିଦାରୀ କରିଥିଲେ। ହାର୍ଦ୍ଦିକ ବ୍ୟକ୍ତିଗତ ୧୯ ରନ୍ କରି ଆର୍ଚରଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶାର୍ଦ୍ଦୁଲ ଠାକୁର ଖାତା ଖୋଲିପାରିନଥିଲେ। ତେବେ ଆୟର ଲଢ଼ୁଆ ବ୍ୟାଟିଂ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଇଂଲଣ୍ଡ ପକ୍ଷରୁ ଆର୍ଚର୍ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ରଶିଦ୍, ମାର୍କ ଉଡ୍, ଜୋର୍ଡାନ୍ ଓ ଷ୍ଟୋକ୍ସ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।