ଇତିହାସ ରଚିଲେ ଇଂଲଣ୍ଡ କ୍ୟାପଟେନ୍ ମୋର୍ଗାନ୍

ଅହମ୍ମଦାବାଦ: ଇଂଲଣ୍ଡ କ୍ରିକେଟ୍ ଟିମ୍ କ୍ୟାପଟେନ୍ ଇଅନ୍ ମୋର୍ଗାନ ଟି-୨୦ କ୍ରିକେଟରେ ଇତିହାସ ରଚିଛନ୍ତି। ମୋର୍ଗାନ୍ ଇଂଲଣ୍ଡର ପ୍ରଥମ କ୍ରିକେଟର୍ ଭାବେ ଟି-୨୦ରେ ୧୦୦ତମ ମ୍ୟାଚ୍ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ୍ ମୋର୍ଗାନ୍ ମଙ୍ଗଳବାର ଭାରତ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଏହି ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହାସହ ମୋର୍ଗାନ ଦୁନିଆର ଚତୁର୍ଥ ଖେଳାଳି ଭାବେ ଟି-୨୦ରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି।

ମୋର୍ଗାନଙ୍କ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ରସ୍ ଟେଲର(୧୦୨), ପାକିସ୍ତାନର ଶୋଏବ ମଲିକ୍ (୧୧୬) ଓ ଭାରତୀୟ ଓପ୍ନର ରୋହିତ୍ ଶର୍ମା (୧୦୮) ଟି-୨୦ରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି। ଆଜି ମ୍ୟାଚକୁ ଛାଡ଼ି ମୋର୍ଗାନ୍ ଟି-୨୦ରେ ୩୦.୩୪ ହାରରେ ୨୩୦୬ ରନ୍ କରିଛନ୍ତି।

ଟି-୨୦ରେ ସର୍ବାଧିକ ରନର ରେକର୍ଡ ଭାରତର କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ରହିଛି। କୋହଲି ମାତ୍ର ୮୮ ମ୍ୟାଚ୍ ଖେଳି ୩ହଜାରରୁ ଅଧିକ ରନ୍ କରିଛନ୍ତି। ତାଙ୍କ ପରକୁ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ୍ ୯୯ ମ୍ୟାଚରେ ୨୮୩୯ ରନ୍ ସହ ଦ୍ୱିତୀୟ ଏବଂ ରୋହିତ୍ ୧୦୮ ମ୍ୟାଚରେ ୨୭୭୩ ରନ୍ କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବର୍ତ୍ତମାନ ୧-୧ରେ ବରାବର ରହିଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦କୁ ଭାରତ ୭ ୱିକେଟରେ ଜିତି ନେଇଥିଲା। ଆଜି ମ୍ୟାଚରେ ଯେଉଁ ଟିମ୍ ଜିତିବ, ସେହି ଟିମ୍ ସିରିଜରେ ପୁଣି ଆଗୁଆ ରହିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।