ଶେଷରେ ଚାଲିଲା କୋହଲିଙ୍କ ବ୍ୟାଟ, ଗୁଜରାଟକୁ ୧୭୧ ରନ୍‌ର ଟାର୍ଗେଟ

ମୁମ୍ବାଇ: କ୍ରମାଗତ ଭାବେ ବ୍ୟାଟିଂରେ ବିଫଳ ହେଉଥିବା ବିରାଟ କୋହଲି ଆଜି ଶେଷରେ କିଛିଟା ଜଲୱା ଦେଖାଇଛନ୍ତି। ସେ ଆଜି ଗୁଜରାଟ ଟାଇଟନ୍ସ ବିରୋଧରେ ୫୮ ରନ୍‌ର ଇନିଂସ୍‌ ଖେଳି ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ଚଳିତ ସିଜିନରେ ଏହା ବିରାଟଙ୍କ ପ୍ରଥମ ଅର୍ଦ୍ଧଶତକ। ବିରାଟଙ୍କ ୫୮ ଓ ରଜତ ପାଟିଦାରଙ୍କ ୫୨ ରନ୍ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୦ ରନ୍ କରିଛି। ଫଳରେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଗୁଜରାଟକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୭୧ ରନର ଟାର୍ଗେଟ ମିଳିଛି। ବିରାଟ ଓ ପଟିଦାରଙ୍କ ବ୍ୟତୀତ ଗ୍ଲେନ ମ୍ୟାକ୍ସୱେଲ ୧୮ ବଲ୍‌ରେ ୩୩ ରନ୍‌ର ଇନିଂସ ଖେଳିଛନ୍ତି।

ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦଳୀୟ ସ୍କୋର ୧୧ ଥିବା ବେଳେ ଡୁପ୍ଲେସିସ ଖାତା ଖୋଲିବା ପୂର୍ବରୁ ପ୍ରଦୀପ ସାଙ୍ଗୱାନଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ପଟିଦାର ଓ ବିରାଟ କୋହଲି ସ୍ଥିତି ସମ୍ଭାଳିବା ସହ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ।

ଉଭୟ ଦ୍ୱିତୀୟ ୱିକେଟ ୯୯ ରନ୍‌ ଯୋଡ଼ିବା ସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୧୦ ଥିବା ବେଳେ ୫୨ ରନ୍‌ କରିଥିବା ପଟିଦାରଙ୍କୁ ସାଙ୍ଗୱାନ ଆଉଟ କରିଥିଲେ। ସେ ଆଉଟ ହେବା ପୂର୍ବରୁ ୩୨ ବଲ୍‌ରେ ୨ଟି ଛକା ଓ ୫ଟି ଚୌକ ବଳରେ ୫୨ ରନ୍‌ କରିଥିଲେ।

ବିରାଟ କୋହଲି ଭଲ ଲୟରେ ଥିଲେ ମଧ୍ୟ କେବଳ ୫୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ମହମଦ ଶାମିଙ୍କ ଖାତାକୁ ଯାଇଛି। ସେ ଏହି ଇନିଂସରେ ୬ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ବିରାଟଙ୍କ ପରେ ଦୀନେଶ କାର୍ତ୍ତିକ ମଧ୍ୟ ସମସ୍ତଙ୍କୁ ନରାଶ କରିଥିଲେ। ସେ ମାତ୍ର ୨ ରନ୍‌ କରି ରଶିଦ ଖାନଙ୍କ ବଲରେ ଆଉଟ ହୋଇଥିଲେ। ଆରସିବି ଲଗାତର ୩ଟି ୱିକେଟ ହରାଇଥିଲେ ମଧ୍ୟ ମ୍ୟାକ୍ସୱେଲଙ୍କ ଉପରେ ଏହାର ପ୍ରଭାବ ପଡ଼ି ନଥିଲେ। ସେ ବଡ଼ ବଡ଼ ଶଟ ଖେଳି ମାତ୍ର ୧୮ ବଲ୍‌ରେ ୩୩ ରନ୍‌ କରିଥିଲେ। ତେବେ ବଡ଼ ଶଟ ଖେଳିବା ଲୋଭରେ ସେ ଲକି ଫର୍ଗୁସନଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ।

ଶେଷ ଭାଗରେ ଚଳିତ ସିଜିନର ପ୍ରଥମ ମ୍ୟାଚ୍‌ ଖେଳୁଥିବା ମହିପାଲ ଲୋମରୋର କିଛି ଆକର୍ଷଣୀୟ ଶଟ୍‌ ଖେଳିଥିଲେ। ଫଳରେ ଆରସିବି ୬ ୱିକେଟ ହରାଇ ୧୭୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ମହିପାଲ ୮ ବଲ୍‌ରେ ୧୬ ରନ୍‌ କରି ଶେଷ ବଲରେ ଆଉଟ ହୋଇଛନ୍ତି। ଶାହବାଜ ଅହମଦ ୨ ରନ୍‌ କରି ଅପରାଜିତ ରହିଥିଲେ।

ଗୁଜରାଟ ପକ୍ଷରୁ ପ୍ରଦୀପ ସାଙ୍ଗୱାନ ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି, ଅଲଜାରି ଯୋଶେଫ, ରଶିଦ ଖାନ ଓ ଫର୍ଗୁସନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।