କ୍ରମାଗତ ୫ମ ବିଜୟ ସହ ପ୍ଲେ-ଅଫ ନିକଟରେ ଗୁଜରାଟ

ମୁମ୍ବାଇ: ଚଳିତ ଆଇପିଏଲରେ ପ୍ରଥମଥର ଭାଗ ନେଇଥିବା ଗୁଜରାଟ ଟାଇଟନ୍ସର ବିଜୟ ଧାରା ଜାରି ରହିଛି। ଆଜି ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ୬ ୱିକେଟରେ ହରାଇ କ୍ରମାଗତ ୫ମ ବିଜୟ ହାସଲ କରିଛି। ଏଯାଏ ୯ଟି ମ୍ୟାଚ୍‌ରୁ ୮ଟି ବିଜୟ ସହ ୧୬ ପଏଣ୍ଟ ପାଇଥିବା ଗୁଜରାଟ ପ୍ଲେ ଅଫରେ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଚଳିତ ସିଜିନରେ ଗୁଜରାଟ ପ୍ରଥମ ଟିମ୍‌ ଭାବେ ଏପରି ସଫଳତା ପାଇଛି।

ଆଜି ଆରସିବି ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ୫୮ ଓ ରଜତ ପାଟିଦାରଙ୍କ ୫୨ ରନ୍‌ ବଳରେ ୬ ୱିକେଟ ହରାଇ ୧୭୦ ରନ୍‌ କରିଥିଲା। ଏହାର ଜବାବରେ ଗୁଜରାଟ ରାହୁଲ ତେୱାତିଆଙ୍କ ୨୫ ବଲରେ ଅପରାଜିତ ୪୩ ଓ ଡାଭିଡ ମିଲରଙ୍କ୨୪ ବଲରେ ଅପରାଜିତ ୩୯ ରନ ବଳରେ ୩ ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଜିତିବା ପାଇଁ ୪ ବଲରେ ୧ ରନ୍‌ ଦରକାର ଥିବା ବେଳେ ଜୋଶ ହେଜେଲଉଡଙ୍କୁ ଚୌକା ମାରି ତେୱାତିଆ ବିଜୟ ମୁଣ୍ଡି ମାରିଛନ୍ତି।

୧୭୧ ରନ୍‌ର ଟାର୍ଗେଟ ପିଛା କରୁଥିବା ଗୁଜରାଟ ପାଇଁ ରିଦ୍ଧିମାନ ସାହା ଓ ଶୁବମନ ଗିଲ୍‌ ଠିକଠାକ ଆରମ୍ଭ କରିଥିଲେ। ଉଭୟ ପାୱାର ପ୍ଲେରେ କୌଣସି ୱିକେଟ ନ ହରାଇ ୭ ଓଭର୍‌ ସୁଦ୍ଧା ଦଳୀୟ ସ୍କୋରକୁ ୫୧ରେ ପହଞ୍ଚାଇ ଦେଇଥିଲେ। ତେବେ ଏହି ସମୟରେ ୨୯ ରନ୍‌ କରିଥିବା ସାହାଙ୍କୁ ସ୍ପିନର ୱାନିନ୍ଦୁ ହସରଙ୍ଗା ଆଉଟ କରି ଗୁଜରାଟକୁ ପ୍ରଥମ ଝଟକା ଦେଇଥିଲେ।

ଶୁବମନ ଗିଲ୍‌ ମଧ୍ୟ ୩୧ ରନ୍‌ କରି ଶାହବାଜ ଅହମଦଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୩) ଅହମଦଙ୍କ ଦ୍ୱିତୀୟ ଶିକାର ବନିଥିଲେ। ସାଇ ସୁଦର୍ଶନ ଭଲ ଆରମ୍ଭ କରିଥିଲେ ମଧ୍ୟ କେବଳ ୨୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ହସରଙ୍ଗା ନେଇଥିଲେ।

୫୧ ରନ୍‌ରେ କୌଣସି ୱିକେଟ ହରାଇ ନଥିବା ଗୁଜରାଟ ୯୫ ରନ୍‌ରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ମିଲର ଓ ତେୱାତିଆ ଯୋଡ଼ି ଦଳ ପାଇଁ ସଙ୍କଟମୋଚନ ସାଜିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ବିଶେଷ କରି ତେୱାତିଆଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା।

ଉଭୟ ଗୁଜରାଟର ଆଉ କୌଣସି କ୍ଷତି ନ ଘଟାଇ ୩ ବଲ୍‌ ପୂର୍ବରୁ ଦଳକୁ ଚଳିତ ସଜିନରେ ୮ମ ବିଜୟ ଭେଟି ଦେଇଥିଲେ। ତେୱାତିଆ ତାଙ୍କ ୪୩ ରନ୍ର ଇନିଂସ୍ରେ ୫ଟି ଚୌକା ଓ ୨ଟି ଛକା ମାରିଥିବା ବେଳେ ମିଲର ୪ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ୪୩ ରନ୍ କରିଥିବା ତେୱାତିଆଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।