କୋହଲି ଛାଡ଼ିଲେ ମଇଦାନ, ରୋହିତଙ୍କ ଷ୍ଟ୍ରାଟେଜୀ ପଲଟାଇ ଦେଲା ବାଜି

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଗୁରୁବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ୮ ରନରେ ଇଂଲଣ୍ଡକୁ ହରାଇ ସିରିଜକୁ ୨-୨ରେ ବରାବର କରିଛି। ସିରିଜର ପଞ୍ଚମ ତଥା ଅନ୍ତିମ ମୁକାବିଲା ଶନିବାର ଖେଳାଯିବ।

ସିରିଜର ପ୍ରଥମ ତିନୋଟି ମ୍ୟାଚ୍ ଏକତରଫା ରହିଥିବା ବେଳେ ଚତୁର୍ଥ ଟି-୨୦ ରୋମାଞ୍ଚକର ହୋଇଥିଲା। କାରଣ ପ୍ରଥମ ତିନୋଟି ମ୍ୟାଚରେ ଯେଉଁ ଦଳ ରନ୍ ପିଛା କରୁଥିଲା, ସେହି ଦଳ ହିଁ ବିଜୟୀ ହୋଇଛି। କିନ୍ତୁ ଚତୁର୍ଥ ମ୍ୟାଚରେ ଚେଜ କରୁଥିବା ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ମ୍ୟାଚରେ ମଧ୍ୟ ଚେଜ୍ କରୁଥିବା ଟିମର ପଲା ଭାରୀ ରହିଥିଲା। କିନ୍ତୁ ଶେଷ ୪ ଓଭରରେ ବାକି ପଲଟି ଯାଇଥିଲା।

ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୧୮୫ ରନ୍ କରିଥିଲା। ୧୮୬ ରନର ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ୧୬ ଓଭରରେ ୪ ୱିକେଟ୍ ହରାଇ ୧୪୦ ରନ୍ କରି ଭଲ ସ୍ଥିତିରେ ରହିଥିଲା। ଶେଷ ୪ ଓଭରରେ ଇଂଲଣ୍ଡକୁ ବିଜୟ ପାଇଁ ୪୬ ରନ୍ ଦରକାର ହେଉଥିବା ବେଳେ କ୍ରିଜରେ ଥାନ୍ତି ସେଟ୍ ବ୍ୟାଟ୍ସମ୍ୟାନ୍ ବେନ ଷ୍ଟୋକ୍ସ ଓ କ୍ୟାପଟେନ୍ ଇଅନ୍ ମୋର୍ଗାନ୍। ଏହି ସମୟରେ ଭାରତ କ୍ୟାପଟେନ୍ ବିରାଟ୍ କୋହଲି କ୍ରିଜ୍ ଛାଡ଼ି ବାହାରକୁ ଚାଲିଯାଇଥିଲା। ଯାହ ପରେ ରୋହିତ୍ ଟିମର ନେତୃତ୍ୱ ନେଇଥିଲେ।

ରୋହିତ୍ ୧୭ଶ ଓଭରରେ ଶାର୍ଦ୍ଦୁଲ ଠାକୁରଙ୍କୁ ବୋଲିଂ କରିବାକୁ ଦେଇଥିଲେ। ଶାର୍ଦ୍ଦୁଲ ଓଭରର ପ୍ରଥମ ବଲରେ ଷ୍ଟୋକ୍ସଙ୍କୁ ଆଉଟ୍ କରିଥିଲେ। ଠାକୁର ଅଫ୍ କଟର୍ ମାରିଥିଲେ, ଯାହାକୁ ଷ୍ଟୋକ୍ସ ବାଉଣ୍ଡ୍ରୀ ପାର୍ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବଲ୍ ବ୍ୟାଟ୍ ମଝିରେ ବାଜିନଥିଲା ଏବଂ ଲଙ୍ଗ ଅଫରେ ଫିଲ୍ଡିଂ କରୁଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ହାତକୁ ଚାଲିଯାଇଥିଲା। ପରବର୍ତ୍ତୀ ବଲରେ ଶାର୍ଦ୍ଦୁଲ ଇଂଲଣ୍ଡ କ୍ୟାପଟେନ୍ ଇଅନ୍ ମୋର୍ଗାନଙ୍କୁ ଆଉଟ୍ କରିଥିଲେ। ଏଥର ମଧ୍ୟ ଶାର୍ଦ୍ଦୁଲ ଆଉ ଏକ କଟର୍ ପକାଇଥିଲେ, ଯାହାକୁ ବୁଝିନପାରି ମୋର୍ଗାନ୍ ବାଉଣ୍ଡ୍ରୀରେ ୱାଶିଂଟନ୍ ସୁନ୍ଦରଙ୍କୁ କ୍ୟାଚ୍ ଦେଇ ବସିଥିଲେ।

୧୭ଶ ଓଭରର ପ୍ରତମ ଦୁଇଟି ବଲରେ ଲଗାତର ୱିକେଟ୍ ନେଇ ଶାର୍ଦ୍ଦୁଲ ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ। ଏହି ଓଭରରେ ଶାର୍ଦ୍ଦୁଲ ୭ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ରୋହିତ୍ ପରବର୍ତ୍ତୀ ଓଭର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇଥିଲେ। ପାଣ୍ଡ୍ୟା ମଧ୍ୟ ଚମତ୍କାର ବୋଲିଂ କରି ମାତ୍ର ୬ ରନ୍ ନେଇ ଗୋଟିଏ ସଫଳତା ହାସଲ କରିଥିଲେ। ହାର୍ଦ୍ଦିକ ଏହି ଓଭରର ଶେଷ ବଲରେ ସାମ୍ କୁରାନଙ୍କୁ ବୋଲ୍ଡ କରିଥିଲେ।

୧୮ଶ ଓଭରର ପ୍ରଥମ ତିନୋଟି ବଲ୍ ହାର୍ଦ୍ଦିକ ଶର୍ଟ ପକାଇଥିଲେ, ଯାହାକୁ କନେକ୍ଟ କରିବାରେ ବିଫଳ ହୋଇଥିଲେ କୁରାନ୍। ଏହି ତିନୋଟି ବଲରେ ଇଂଲଣ୍ଡ ୫ ରନ୍ ସଂଗ୍ରହ କରିଥିଲା, ଯେଉଁଥିରେ ଓଭର ଥ୍ରୋ ଓ ଲେଗ୍-ବାଇ ସାମିଲ୍ ଥିଲା। ଏହିପରି ଭାବେ ହାର୍ଦ୍ଦିକ ନିଜର ଦମଦାର ବୋଲିଂ ଜାରି ରଖି ଓଭରରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବଡ଼ ଶଟ୍ ଖେଳିବାକୁ ଦେଇନଥିଲେ। ୧୮ଶ ଓଭର ସୁଦ୍ଧା ଇଂଲଣ୍ଡର ସ୍କୋର ୭ ୱିକେଟରେ ୧୫୩ ରନରେ ଥିଲା। ଶେଷ ଦୁଇ ଓଭରରେ ଭ୍ରମଣକାରୀ ଦଳକୁ ୧୨ ବଲରେ ୩୩ ରନ୍ ଆବଶ୍ୟକ ହେଉଥିଲା।

ଏହି ସମୟରେ ରୋହିତ୍ ଶାର୍ଦ୍ଦୁଲଙ୍କ ବଦଳରେ ଭୁବନେଶ୍ୱର କୁମାରଙ୍କୁ ବୋଲିଂ କରିବାକୁ ଦେଇଥିଲେ। ଡେଥ୍ ଓଭର ସ୍ପେଶାଲିଷ୍ଟ ଭୁବନେଶ୍ୱର ଭଲ ବୋଲିଂ କରି ୧୦ ରନ୍ ଦେଇଥିଲେ। ଏହି ଓଭରର ଭୁବି ଯଥାକ୍ରମେ ଫୁଲ୍ ଲେନ୍ଥ ଡେଲିଭରୀ, ସ୍ଲୋ’ ବଲ୍, ଆଉଟ୍ ସୁଇଂ, କଟର୍ ଓ ୟର୍କର ଭଳି ଭେରାଇଟି ବୋଲିଂ କରି ଇଂଲିଶ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇଥିଲେ।

ଶେଷ ଓଭରରେ ଇଂଲଣ୍ଡକୁ ୬ ବଲରେ ୨୩ ରନ୍ ଆବଶ୍ୟକ ହେଉଥିଲା ଏବଂ ସାମ୍ନାରେ ଥିଲେ ଶାର୍ଦ୍ଦୁଲ। ଓଭରର ପ୍ରଥମ ବଲରେ ଶାର୍ଦ୍ଦୁଲ ୧ ରନ୍ ବ୍ୟୟ କରିଥିଲେ। ପରବର୍ତ୍ତୀ ଦୁଇଟି ବଲରେ ଆର୍ଚର୍ ଚୌକା ଓ ଛକା ମାରି ଭାରତର ଟେନସନ୍ ବଢ଼ାଇ ଦେଇଥିବା ବେଳେ ଇଂଲଣ୍ଡକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ। ଫଳରେ ଇଂଲଣ୍ଡକୁ ୩ ବଲରେ ଆଉ ୧୨ ରନ୍ ଦରକାର ଥିଲା। ଶାର୍ଦ୍ଦୁଲ ନର୍ଭସ ହୋଇ କ୍ରମାଗତ ଦୁଇଟି ୱାଇଡ୍ ପକାଇଥିଲେ। ଏହା ପରେ ରୋହିତ୍ ଓ ଭୁବନେଶ୍ୱର ଶାର୍ଦ୍ଦୁଲଙ୍କ ସହ କଥା ହୋଇଥିଲେ।

ପରବର୍ତ୍ତୀ ବଲରେ ଆର୍ଚର୍ ବଡ଼ ଶଟ୍ ଖେଳିବାକୁ ପ୍ରୟାସ କରିଥିଲେ ହେଁ, ଏଥିରେ ସେ ବିଫଳ ହୋଇଥିଲେ। ଫଳରେ ଚତୁର୍ଥ ବଲରେ ମାତ୍ର ୧ ରନ୍ ହୋଇଥିଲା। ଶାର୍ଦ୍ଦୁଲଙ୍କ ପଞ୍ଚମ ବଲକୁ କ୍ରିସ୍ ଜୋର୍ଡାନ୍ ମାରିଥିଲେ ହେଁ ଏହା ସିଧା ହାର୍ଦ୍ଦିକଙ୍କ ହାତକୁ ଚାଲିଯାଇଥିଲା। ଶେଷ ବଲରେ ଇଂଲଣ୍ଡକୁ ୯ ରନ୍ ଦରକାର ଥିବା ବେଳେ ଆର୍ଚର ବଲକୁ ମିସ୍ କରିଦେଇଥିଲେ। ଏହିପରି ଭାବେ ଭାରତ ମ୍ୟାଚକୁ ୮ ରନରେ ଜିତି ସିରିଜକୁ ୨-୨ରେ ବରାବର କରିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।