କୋହଲି ଓ ଇଶାନଙ୍କ ବିସ୍ଫୋରକ ଇନିଂସ୍, ଟିମ୍ ଇଣ୍ଡିଆର ଜବରଦସ୍ତ କମବ୍ୟାକ୍

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଜବରଦସ୍ତ କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ। ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ପରେ କ୍ୟାପଟେନ୍ ବିରାଟ୍‌ କୋହଲି ଓ ଡେବ୍ୟୁଟାଣ୍ଟ ଇଶାନ୍ କିଶନଙ୍କ ବିସ୍ଫୋରକ ଇନିଂସ୍ ବଳରେ ଭାରତ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଇଂଲଣ୍ଡ ଟିମକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚରେ ଭ୍ରମଣକାରୀ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୪ ରନ୍ କରିଛି। ଇଂଲଣ୍ଡ ପକ୍ଷରୁ ଜେସନ୍ ରୟ ସର୍ବାଧିକ ୪୬ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିନାହାନ୍ତି। ଜବାବାରେ ଭାରତ ୧୭.୫ ଓଭରରେ ୩ ୱିକେଟ୍‌ ହରାଇ ୧୬୬ ରନ୍ କରି ବିଜୟୀ ହୋଇଛି। ଭାରତ ପକ୍ଷରୁ କୋହଲି ୪୯ ବଲରେ ୫ ଚୌକା ଓ ୪ ଛକା ସହ ଅପରାଜିତ ୭୩ ଓ ଇଶାନ୍ କିଶନ ୫୬ ରନର ଇନିଂସ୍ ଖେଳିଛନ୍ତି।

୧୬୫ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଲୋକେଶ ପୁଣିଥରେ ନିରାଶ କରିଥିଲେ ଏବଂ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତେବେ ପଦାର୍ପଣ କରିଥିବା ଇଶାନ୍ କିଶନ ଓ କ୍ୟାପଟେନ୍ ବିରାଟ୍‌ କୋହଲି ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍‌ ପାଇଁ ୯୪ ରନର ଭାଗିଦାରୀ କରି ଭାରତର ବିଜୟକୁ ସହଜ କରିଦେଇଥିଲେ। ଇଶାନ୍ ମାତ୍ର ୩୨ ବଲରେ ୫ ଚୌକା ଓ ୪ ଛକା ସହ ୫୬ ରନ୍ କରି ଆଉଟ୍ ହୋଇଥିଲେ।

ଇଶାନଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଋଷଭ ପନ୍ତ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ କୋହଲିଙ୍କ ସହ ମିଶି ତୃତୀୟ ୱିକେଟ୍‌ ପାଇଁ ୩୬ ରନର ମୂଲ୍ୟବାନ ପାର୍ଟନରଶିପ୍ କରିଥିଲେ। ପନ୍ତ ୨୬ (୧୩ ବଲ୍, ୨ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ। କୋହଲି ଓ ଶ୍ରେୟସ ଆୟର୍ ଅପରାଜିତ ରହି ଭାରତକୁ ବିଜୟୀ କରାଇଥିଲେ।

ଏହା ପୂର୍ବରୁ କୋହଲି ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର ଖାତା ଖୋଲିପାରିନଥିଲେ। ତାଙ୍କୁ ଭୁବନେଶ୍ୱର କୁମାର ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ଏହା ପରେ ଜେସନ୍ ରୟ ଓ ଦୁନିଆର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଡେୱିଡ୍ ମଲାନ୍ ଦ୍ୱିତୀୟ ୱିକେଟ୍‌ ପାଇଁ ୬୩ ରନ୍ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ମଲାନ୍ ୨୪ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ।

ରୟ ନିଜର ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ୱାଶିଂଟନ୍ ସୁନ୍ଦର ପ୍ୟାଭିଲିୟନ୍ ପଠାଇ ଭାରତକୁ ତୃତୀୟ ସଫଳତା ଦେଇଥିଲେ। ରୟ ୩୫ ବଲରେ ୪ ଚୌକା ଓ ୨ ଛକା ସହ ୪୬ ରନ୍ କରିଥିଲେ। ଜନ୍ନି ବେୟାରଷ୍ଟୋ ଓ କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ରନ୍ ଗତିକୁ ବଢ଼ାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ସୁନ୍ଦର ଭାଙ୍ଗିଥିଲେ। ବେୟାରଷ୍ଟୋ ୨୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ପରେ ପରେ ମୋର୍ଗାନଙ୍କ ୱିକେଟ୍‌ ନେଇ ଶାର୍ଦ୍ଦୁଲ ଠାକୁର ଭାରତକୁ ସବୁଠାରୁ ବଡ଼ ସଫଳତା ଦେଇଥିଲେ। ମୋର୍ଗାନ୍ ୨୦ ବଲରେ ୪ ଚୌକା ସହ ୨୮ ରନ୍ କରିଥିଲେ।

ଶେଷ ୫ ଓଭରରେ ଭାରତୀୟ ବୋଲର ଚତୁରତାର ସହ ବୋଲିଂ କରିଥିଲେ। ବିଶେଷକରି ଶାର୍ଦ୍ଦୁଲ ଓ ଭୁବନେଶ୍ୱରଙ୍କ ସ୍ଲୋ’ବଲର କୌଣସି ଜବାବ ଇଂଲିଶ ଟିମର ବ୍ୟାଟ୍ସମ୍ୟାନଙ୍କ ପାଖରେ ନଥିଲା। ଭ୍ରମଣକାରୀ ଦଳର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଶାର୍ଦ୍ଦୁଲଙ୍କ ସ୍ଲୋ’ ବଲର ଶିକାର ହୋଇ ନିଜ ୱିକେଟ୍‌ ଦେଇ ବସିଥିଲେ। ଷ୍ଟୋକ୍ସ ୨୧ ବଲରେ ୨୪ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସାମ୍ କୁରାନ୍ ୬ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ସୁନ୍ଦର ଓ ଶାର୍ଦ୍ଦୁଲ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ଭୁବନେଶ୍ୱର ଓ ଚହଲ୍ ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।