ବୋଲରଙ୍କ କମାଲ: ଦକ୍ଷିଣ ଆଫ୍ରିକା ୯୯ ରନରେ ଅଲଆଉଟ୍‌

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ଡିସାଇଡର୍‌ରେ କମାଲ କରିଛନ୍ତି ଭାରତୀୟ ବୋଲର। ଉଭୟ ପେସ୍‌ ଓ ସ୍ପିନ ବୋଲରଙ୍କ ଯୁଗଳବନ୍ଦୀରେ ଚିତ୍‌ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟର। ଭାରତୀୟ ବୋଲରଙ୍କ ମୁକାବିଲା କରି ନ ପାରି ଦକ୍ଷିଣ ଆଫ୍ରିକା ବ୍ୟାଟରମାନେ ୨୭.୧ ଓଭର୍‌ରେ ୯୯ ରନ କରି ଅଲଆଉଟ ହୋଇ ଯାଇଛନ୍ତି। ଏହା ଭାରତ ବିପକ୍ଷ କୌଣସି ଦିନିକିଆରେ ଦକ୍ଷିଣ ଆଫ୍ରିକାର ସବଠାରୁ କମ ସ୍କୋର। କେବେ ହେଲେ ଦକ୍ଷିଣ ଆଫ୍ରିକା ଏତେ କମ ରନରେ ଅଲଆଉଟ ହୋଇ ନଥିଲା।

ଆଜି ଦଳ ୯୯ ରନରେ ଅଲଆଉଟ ହୋଇଯିବାରୁ ଭାରତକୁ ଦିନିକିଆ ସିରିଜ୍‌ ଜିତିବା ପାଇଁ ମାତ୍ର ୧୦୦ ରନର ଟାର୍ଗେଟ ମିଳିଛି। ଟି-୨୦ ସିରିଜ୍‌କୁ ଭାରତ ପୂର୍ବରୁ ଜିତି ସାରିଥିବା ବେଳେ ଏବେ ଦିନିକିଆ ସିରିଜ୍‌ ଜିତିବା ଦିଗରେ ନିଜର ପାଦକୁ ମଜବୁତ କରିଛି। ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଶିଖର ଧୱନଙ୍କ ଟିମ ଇଣ୍ଡିଆ ବାଜିମାତ କରିଥିଲା। ଆଜି ସିରିଜ୍‌ ଡିସାଇଡରରେ ଭାରତକୁ ୧୦୦ ରନର ଛୋଟିଆ ଟାର୍ଗେଟ ମିଳିଛି।

ବର୍ଷା ଯୋଗୁ ତୃତୀୟ ଦିନିକିଆ ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶିଖର ଧୱନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଆଜି ଦକ୍ଷିଣ ଆଫ୍ରିକାର ନିୟମିତ ଅଧିନାୟକ ତେମ୍ବା ବଭୂମା ଖେଳୁ ନଥିବାରୁ ଡାଭିଡ ମିଲର କ୍ୟାପ୍ଟେନ୍ସି କରିଥିଲେ। ହେଲେ ତାଙ୍କୁ ଟସ୍‌ ହାରିବାକୁ ପଡ଼ିଥିଲା।

ଟସ୍‌ ହାରି ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅପସ୍ପିନର ୱାଶଂଟନ ତୃତୀୟ ଓଭରରେ ହିଁ କ୍ୱିଣ୍ଟନ ଡି’କକ(୬)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାପରେ ଜାନେମନ ମଲାନ(୧୫)ଙ୍କ ୱିକେଟ ମହମ୍ମଦ ସିରାଜଙ୍କ ଖାତାକୁ ଯାଇଥିଲା। ଗତ ମ୍ୟାଚ୍‌ରେ ବଡ଼ ସ୍କୋର କରିଥିବା ରୀଜା ହେଣ୍ଡ୍ରିକ୍ସ ଆଜି ମାତ୍ର ୩ ରନ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ୱିକେଟ ବି ସିରାଜ ନେଇଛନ୍ତି।

ଏଡେନ ମାର୍କମ(୯), ଡାଭିଡ ମିଲର(୭) ଓ ଆନ୍ଦିଲେ ଫେଲଖୁୱାୟୋ(୫) ସମସ୍ତଙ୍କୁ ନିରାଶ କରିଥିଲେ। ମାର୍କମଙ୍କ ୱିକେଟ ଯୁବ ତାରକା ଶାହବାଜ ଅହମଦ ନେଇଥିବେ ବେଳେ ମିଲରଙ୍କୁ ସୁନ୍ଦର ଓ ଫେଲଖୁୱାୟୋଙ୍କୁ କୁଲଦୀପ ଯାଦବ ପ୍ୟାଭିଲିୟନ ପଠାଇଥିଲେ। ମାର୍କୋ ଜାନସେନ(୧୪) ଓ ହେନରିଚ୍‌ କ୍ଲାସେନ(୩୫) କିଛି ସମୟ ଲଢ଼ିଥିଲେ ମଧ୍ୟ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲେ।

ଦଳୀୟ ସ୍କୋର ୯୩ ଥିବା ବେଳେ କ୍ଲାସେନ(୩୫)ଙ୍କୁ ଅହମଦ କ୍ଲିନବୋଲ୍ଡ କରି ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଦେଇଥିଲେ। ବାକି କାମ କୁଲଦୀପ ଯାଦବ କରିଥିଲେ। ସେ କ୍ରମାଗତ ଦୁଇଟି ବଲରେ ବଜୋରନ ଫୋର୍ଟ୍ୟୁନ(୧) ଓ ଅନରିଜ୍‌ ନୋର୍ଖିୟା(୦)ଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାକୁ ୯ମ ଝଟକା ଦେଇଥିଲେ। ଶେଷରେ ମାର୍କୋ ଜାନସେନ(୧୪)ଙ୍କୁ ଆବେଶ ଖାନଙ୍କ ହାତରେ କ୍ୟାଚ୍‌ କରାଇ କୁଲଦୀପ ଯାଦବ ଦକ୍ଷିଣ ଆଫ୍ରିକା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକା ମାତ୍ର ୨୭.୧ ଓଭରରେ ୯୯ ରନ କରିବାକୁ ସକ୍ଷମ ହୋଇଛି। ତେଣୁ ଭାରତକୁ ଏହି ଦିନିକିଆ ସିରିଜ୍‌ ସହ ମ୍ୟାଚ୍‌ ଜିତିବାକୁ ୧୦୦ ରନର ଟାର୍ଗେଟ ମିଳିଛି।

ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ୱାଶିଂଟନ ସୁନ୍ଦର, ଶାହବାଜ ଅହମଦ ଓ ମହମ୍ମଦ ସିରାଜ ଦୁଇଟି ଲେଖାଏ ସଫଳତା ପାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।