ସୂର୍ଯ୍ୟ ଓ ଶ୍ରେୟସଙ୍କ ଧୂଆଁଧାର ବ୍ୟାଟିଂ, ଭାରତ ୧୮୫/୮

ଅହମଦାବାଦ: ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୫ ରନ୍ କରିଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଜବରଦସ୍ତ ବ୍ୟାଟିଂ କରି ୫୭ (୩୧ ବଲ୍, ୬ ଚୌକା ଓ ୩ ଛକା) ରନ୍ ଓ ଆୟର୍ ୧୮ ବଲରେ ୩୭ ରନର ଇନିଂସ୍ ଖେଳିଛନ୍ତି।

ମ୍ୟାଚରେ ପୁଣିଥରେ ଟସ୍ ଇଂଲଣ୍ଡ କ୍ୟାପଟେନ୍ ଇଅନ୍ ମୋର୍ଗାନଙ୍କ ସପକ୍ଷରେ ଯାଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ୍ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନ୍ କରିବାକୁ ଆସିଥିଲେ। ଇଂଲଣ୍ଡ ପ୍ରଥମ ଓଭରରେ ସ୍ପିନର ଆଦିଲ୍ ରଶିଦଙ୍କୁ ବୋଲିଂ କରିବାକୁ ଦେଇଥିଲା। ରୋହିତ୍ ମ୍ୟାଚର ପ୍ରଥମ ବଲରେ ଛକା ମାରି ଜବରଦସ୍ତ ଶୁଭାରମ୍ଭ କରିଥିଲେ। କିନ୍ତୁ ରୋହିତ୍ ଏହି ଲୟକୁ ବଜାୟ ରଖିପାରିନଥିଲେ। ରୋହିତ୍ ୧୨ ରନ୍ କରିଥିବା ବେଳେ ଜୋଫ୍ରା ଆର୍ଚରଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ।

ରୋହିତଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ନିଜର ପ୍ରଥମ ବଲରେ ଆର୍ଚରଙ୍କୁ ଛକା ମାରି ଆରମ୍ଭ କରିଥିଲେ। ତେବେ ଲଗାତର ଖରାପ ଫର୍ମରେ ଥିବା ରାହୁଲ ମଧ୍ୟ କିଛି ଖାସ କରିପାରିନଥିଲେ। ରାହୁଲ ମାତ୍ର ୧୪ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। କ୍ରଗାଗତ ଦୁଇଟି ମ୍ୟାଚରେ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ନିରାଶ କରିଥିଲେ। କୋହଲି ୧ ରନ୍ କରି ରଶିଦଙ୍କ ବଲରେ ଆଉଟ୍ ହୋଇଥିଲେ।

ତେବେ ପଦାର୍ପଣ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇନଥିବା ସୂର୍ଯ୍ୟକୁମାର ନିଜର ଦ୍ୱିତୀୟ ମୁକାବିଲାରେ ଚମତ୍କାର ବ୍ୟାଟିଂ କରିଥିଲେ। ଆଇପିଏଲ୍ ଓ ଘରୋଇ କ୍ରିକେଟରେ ପ୍ରଚୁର ରନ୍ କରିଥିବା ସୂର୍ଯ୍ୟକୁମାର ମାତ୍ର ୨୮ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କୁ ଭରପୂର ସାଥ୍ ଦେଇଥିଲେ ଋଷଭ ପନ୍ତ। ଦୁହେଁ ଚତୁର୍ଥ ୱିକେଟ ପାଇଁ ୪୦ ରନ୍ ଯୋଡ଼ିଥିଲେ। ସାମ୍ କୁରାନଙ୍କ ଓଭରରେ କ୍ରମାଗତ ଦ୍ୱିତୀୟ ଛକା ମାରିବା ପ୍ରୟାସରେ ସୂର୍ଯ୍ୟକୁମାର ବାଉଣ୍ଡ୍ରୀରେ ଧରା ପଡ଼ିଥିଲେ। ଏହି କ୍ୟାଚକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଅମ୍ପାୟାର୍ସ କଲ କାରଣରୁ ନିଷ୍ପତ୍ତି ବଳବତ୍ତର ରହିଥିଲା।

ପନ୍ତ ୨୩ ବଲରେ ୪ ଚୌକା ସହ ୩୦ ରନ୍ କରି ଆଉଟ୍ ହୋଇଥିଲେ। ଶ୍ରେୟସ ଆୟର୍ ଦ୍ରୁତ ରନ୍ କରିଥିଲେ ହେଁ ଅନ୍ତିମ ଓଭରରେ ତାଙ୍କୁ ଆର୍ଚର ଆଉଟ୍ କରି ଭାରତ ରନରେ ଅଙ୍କୁଶ ଲଗାଇଥିଲେ। ଆୟର୍ ୧୮ ବଲରେ ଦ୍ରୁତ ୩୭ (୫ ଚୌକା ଓ ୧ ଛକା) ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଆର୍ଚର୍ ୩୩ ରନ୍ ଦେଇ ୪ଟି ୱିକେଟ ନେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।