ଦମ୍ ଦେଖାଇଲେ ବୋଲର, ୧୬୪ ରନ୍‌ରେ ଅଟକିଲା ଇଂଲଣ୍ଡ

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୬୪ ରନ୍ କରିଛି। ଇଂଲଣ୍ଡ ପକ୍ଷରୁ ଜେସନ୍ ରୟ ସର୍ବାଧିକ ୪୬ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିନାହାନ୍ତି। ସିରିଜକୁ ବରାବର କରିବା ପାଇଁ ଭାରତକୁ ୧୬୫ ରନ୍ କରିବାକୁ ପଡ଼ିବ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚରେ ଟସ୍ ବିରାଟ୍‌ କୋହଲିଙ୍କୁ ସାଥ୍ ଦେଇଥିଲା। କୋହଲି ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର ଖାତା ଖୋଲିପାରିନଥିଲେ। ତାଙ୍କୁ ଭୁବନେଶ୍ୱର କୁମାର ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ଏହା ପରେ ଜେସନ୍ ରୟ ଓ ଦୁନିଆର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଡେୱିଡ୍ ମଲାନ୍ ଦ୍ୱିତୀୟ ୱିକେଟ୍‌ ପାଇଁ ୬୩ ରନ୍ କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ମଲାନ୍ ୨୪ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ।

ରୟ ନିଜର ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ୱାଶିଂଟନ୍ ସୁନ୍ଦର ପ୍ୟାଭିଲିୟନ୍ ପଠାଇ ଭାରତକୁ ତୃତୀୟ ସଫଳତା ଦେଇଥିଲେ। ରୟ ୩୫ ବଲରେ ୪ ଚୌକା ଓ ୨ ଛକା ସହ ୪୬ ରନ୍ କରିଥିଲେ। ଜନ୍ନି ବେୟାରଷ୍ଟୋ ଓ କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ରନ୍ ଗତିକୁ ବଢ଼ାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ସୁନ୍ଦର ଭାଙ୍ଗିଥିଲେ। ବେୟାରଷ୍ଟୋ ୨୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ପରେ ପରେ ମୋର୍ଗାନଙ୍କ ୱିକେଟ୍‌ ନେଇ ଶାର୍ଦ୍ଦୁଲ ଠାକୁର ଭାରତକୁ ସବୁଠାରୁ ବଡ଼ ସଫଳତା ଦେଇଥିଲେ। ମୋର୍ଗାନ୍ ୨୦ ବଲରେ ୪ ଚୌକା ସହ ୨୮ ରନ୍ କରିଥିଲେ।

ଶେଷ ୫ ଓଭରରେ ଭାରତୀୟ ବୋଲର ଚତୁରତାର ସହ ବୋଲିଂ କରିଥିଲେ। ବିଶେଷକରି ଶାର୍ଦ୍ଦୁଲ ଓ ଭୁବନେଶ୍ୱରଙ୍କ ସ୍ଲୋ’ବଲର କୌଣସି ଜବାବ ଇଂଲିଶ ଟିମର ବ୍ୟାଟ୍ସମ୍ୟାନଙ୍କ ପାଖରେ ନଥିଲା। ଭ୍ରମଣକାରୀ ଦଳର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଶାର୍ଦ୍ଦୁଲଙ୍କ ସ୍ଲୋ’ ବଲର ଶିକାର ହୋଇ ନିଜ ୱିକେଟ୍‌ ଦେଇ ବସିଥିଲେ। ଷ୍ଟୋକ୍ସ ୨୧ ବଲରେ ୨୪ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସାମ୍ କୁରାନ୍ ୬ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ସୁନ୍ଦର ଓ ଶାର୍ଦ୍ଦୁଲ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ଭୁବନେଶ୍ୱର ଓ ଚହଲ୍ ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।