ନ୍ୟୁଜ୍‌ଲାଣ୍ଡକୁ ମାତ୍‌ ଦେଲା ଭାରତ, ବୋଲର ଦେଖାଇଲେ କମାଲ

ମାଉଣ୍ଟ ମୌଙ୍ଗନୁଇ: ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍‌ଲାଣ୍ଡକୁ ୬୫ ରନ୍‌ରେ ହରାଇଲା ଭାରତ। ବିଶାଳ ଟାର୍ଗେଟକୁ ପିଛା କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ୍‌ ହିଁ କରି ପାରିଥିଲା ନ୍ୟୁଜଲାଣ୍ଡ ଦଳ। ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ହରାଇ ୧୯୧ ରନ୍‌ କରିଥିଲା। ବ୍ୟାଟିଂ ପରେ ବୋଲିଂରେ କମାଲ ଦେଖାଇଥିଲା ଟିମ୍‌ ଇଣ୍ଡିଆ। ଫଳରେ ତିନି ଟିକିଆ ଏହି ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି।

ନ୍ୟୁଜ୍‌ଲାଣ୍ଡ ପକ୍ଷରୁ ଫିନ୍‌ ଏଲେନ୍‌ ଶୂନ୍ୟ, ଦିବନ୍‌ କନ୍‌ୱେ ୨୫ ରନ୍, କେନ୍‌ ୱିଲିୟମ୍‌ସନ୍‌ ୬୧ ରନ୍, ଗ୍ଲେନ୍‌ ଫିଲିପ୍‌ ୧୨ ରନ୍, ଡେରିଲ୍‌ ମିସେଲ୍‌ ୧୦ ରନ୍, ଜେମ୍‌ସ୍‌ ନୀଶାମ୍‌ ଶୂନ୍ୟ, ମିସେଲ୍‌ ସାଣ୍ଟର୍‌ ୨ ରନ୍, ଆଦାମ୍‌ ମିଲନି ୬ ରନ୍, ଈଶ୍‌ ସୋଢ଼ି ୧ ରନ୍, ଟିମ୍‌ ସାଉଥି ଶୂନ୍ୟ ଓ ଲକି ଫର୍ଗୁସନ୍‌ ଅପରାଜିତ ୧ ରନ୍‌ କରିଥିଲେ। କ୍ୟାପଟେନ୍ କେନ୍‌ ୱିଲିୟମ୍‌ସନ୍‌ ଧର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ କରିଥିଲେ ହେଁ ତାହା ବେକାର ହୋଇଛି। ତାଙ୍କ ବ୍ୟତୀତ ନ୍ୟୁଜ୍‌ଲାଣ୍ଡର ଅନ୍ୟ କୌଣସି ବ୍ୟାଟର୍‌ ଭଲ ଖେଳ ଦେଖାଇ ପାରି ନ ଥିଲେ। ନିୟମିତ ରନ୍ ବ୍ୟବଧାନରେ ୱିକେଟ ହରାଇଥିଲା ଦଳ।

ଭାରତ ପକ୍ଷରୁ ଦୀପକ ହୁଦା ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ଯୁଜବେନ୍ଦ୍ର ଚହଲ୍‌ ଓ ମହମ୍ମଦ୍‌ ସିରାଜ ୨ଟି ଲେଖାଏଁ, ୱାସିଂଟନ୍‌ ସୁନ୍ଦର ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆଜି ମାଉଣ୍ଟ ମୌଙ୍ଗନୁଇରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତୀୟ ଦଳ। ଯେଉଁଥିରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ଦେଖିବାକୁ ମିଳିଥିଲା। ସେ ୫୧ଟି ବଲ୍‌ରୁ ୧୧ଟି ଚୌକା ଓ ୭ଟି ଛକା ସହାୟତାରେ ୧୧୧ ରନ୍ କରି ଅପରାଜିତ ରହିଥିଲେ। ଅନ୍ୟମାନେ ସେତେ ଭଲ ଖେଳ ଦେଖାଇ ପାରି ନ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।