ଭାରତର ରୋମାଞ୍ଚକ ବିଜୟ, ୮ ରନରେ ହାରିଲା ଇଂଲଣ୍ଡ

ଅହମ୍ମଦାବାଦ: ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ୮ ରନରେ ଇଂଲଣ୍ଡକୁ ପରାସ୍ତ କରିଛି ବିରାଟ ବାହିନୀ। ମ୍ୟାଚର ଅନ୍ତିମ ଦୁଇଟି ବଲରେ ଇଂଲଣ୍ଡ ଟିମ୍ ରନ୍ ନକରିପାରିବାରୁ ପରାଜୟ ବରଣ କରିଛି। ଅନ୍ତିମ ଓଭରରେ ୨୩ ରନର ଲକ୍ଷ୍ୟ ଥିଲା ଇଂଲିଶ ଟିମ ଆଗରେ। ଆଉ ଭାରତୀୟ ବୋଲର ଶାର୍ଦୁଲ ଠାକୁରଙ୍କୁ ମଧ୍ୟ ଆରମ୍ଭରୁ ବେଶ ଭଲ ଧୁଲାଇ କରିଥିଲା ଇଂଲଣ୍ଡ। ତେବେ ଅନ୍ତିମ ଦୁଇଟି ବଲରେ ୯ ରନର ଆବଶ୍ୟକତା ଥିଲା ଭ୍ରମଣକାରୀ ଦଳକୁ। ହେଲେ ପଞ୍ଚମ ବଲରେ ଠାକୁର ଓ୍ୱିକେଟ ନେବା ପରେ ଟିମ୍ ଇଣ୍ଡିଆର ବିଜୟ ସୁନିଶ୍ଚିତ ହୋଇଥିଲା। ଆଉ ଇଂଲଣ୍ଡ ୮ ରନରେ ଭାରତ ପାଖରୁ ହାରିଛି। ଭାରତ ଇଂଲଣ୍ଡକୁ ୧୮୫ ରନର ଟାର୍ଗେଟ ଦେଇଥିଲା ହେଲେ ଇଂଲଣ୍ଡ ୧୭୭ ରନରେ ସୀମିତ ରହିଥିଲା। ଭାରତ ଏହି ମ୍ୟାଚ ବିଜୟୀ ହେବା ପରେ ୨-୨ରେ ସିରିଜ ସୀମିତ ରହିଛି। ଅନ୍ତିମ ମ୍ୟାଚ ସ୍ଥିର କରିବ ଏହି ଟି-୨୦ ସିରିଜର ବିଜେତା।

ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୫ ରନ୍ କରିଥିଲା। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଜବରଦସ୍ତ ବ୍ୟାଟିଂ କରି ୫୭ (୩୧ ବଲ୍, ୬ ଚୌକା ଓ ୩ ଛକା) ରନ୍ ଓ ଆୟର୍ ୧୮ ବଲରେ ୩୭ ରନର ଇନିଂସ୍ ଖେଳିଥିଲେ।

ମ୍ୟାଚରେ ପୁଣିଥରେ ଟସ୍ ଇଂଲଣ୍ଡ କ୍ୟାପଟେନ୍ ଇଅନ୍ ମୋର୍ଗାନଙ୍କ ସପକ୍ଷରେ ଯାଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ୍ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନ୍ କରିବାକୁ ଆସିଥିଲେ। ଇଂଲଣ୍ଡ ପ୍ରଥମ ଓଭରରେ ସ୍ପିନର ଆଦିଲ୍ ରଶିଦଙ୍କୁ ବୋଲିଂ କରିବାକୁ ଦେଇଥିଲା। ରୋହିତ୍ ମ୍ୟାଚର ପ୍ରଥମ ବଲରେ ଛକା ମାରି ଜବରଦସ୍ତ ଶୁଭାରମ୍ଭ କରିଥିଲେ। କିନ୍ତୁ ରୋହିତ୍ ଏହି ଲୟକୁ ବଜାୟ ରଖିପାରିନଥିଲେ। ରୋହିତ୍ ୧୨ ରନ୍ କରିଥିବା ବେଳେ ଜୋଫ୍ରା ଆର୍ଚରଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ।

ରୋହିତଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ନିଜର ପ୍ରଥମ ବଲରେ ଆର୍ଚରଙ୍କୁ ଛକା ମାରି ଆରମ୍ଭ କରିଥିଲେ। ତେବେ ଲଗାତର ଖରାପ ଫର୍ମରେ ଥିବା ରାହୁଲ ମଧ୍ୟ କିଛି ଖାସ କରିପାରିନଥିଲେ। ରାହୁଲ ମାତ୍ର ୧୪ ରନ୍ କରି ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। କ୍ରଗାଗତ ଦୁଇଟି ମ୍ୟାଚରେ ଅପରାଜିତ ଥିବା କ୍ୟାପଟେନ୍ ବିରାଟ୍ କୋହଲି ନିରାଶ କରିଥିଲେ। କୋହଲି ୧ ରନ୍ କରି ରଶିଦଙ୍କ ବଲରେ ଆଉଟ୍ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।