କାହାକୁ ଅର୍ଦ୍ଧଶତକ ଉତ୍ସର୍ଗ କରି ପଦାର୍ପଣ ମ୍ୟାଚ୍‌ରେ ଦିଲ୍ ଜିତିଲେ ଈଶାନ

ଅହମ୍ମଦାବାଦ: ରବିବାର ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି ଈଶାନ କିଶନ। ଆଉ ଡେବ୍ୟୁ ମ୍ୟାଚ୍‌ରେ ସେ ଧୂଆଁଧାର ବ୍ୟାଟିଂ କରି ଟିମ୍ ଇଣ୍ଡିଆକୁ ସିରିଜ୍‌ରେ କମ୍‌ବ୍ୟାକ୍‌ କରାଇଛନ୍ତି। ତା’ସହିତ ପଦାର୍ପଣ ମ୍ୟାଚ୍‌ରେ ପାଇଛନ୍ତି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର। ତେବେ ପୋଷ୍ଟ୍ ମ୍ୟାଚ୍ ପ୍ରେଜେଣ୍ଟେସନରେ ସେ ଯାହା କହିଥିଲେ, ତାହା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା।

ଈଶାନ କହିଥିଲେ ଯେ କିଛି ଦିନ ପୂର୍ବରୁ ତାଙ୍କ ଛୁଆ ବେଳର କୋଚ୍‌ଙ୍କ ବାପାଙ୍କର ସ୍ୱର୍ଗବାସ ହୋଇଥିଲା। ଆଉ ଏହି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍‌’ ସେ ତାଙ୍କୁ ଉତ୍ସର୍ଗ କରିଛନ୍ତି।

ସେ କହିଥିଲେ, ‘ମୁଁ ନିଜକୁ ପ୍ରମାଣିତ କରିବାକୁ ଚାହୁଁଥିଲି। କାରଣ କୋଚ୍‌ କହିଥିଲେ ଯେ ତାଙ୍କ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅତିକମ୍‌ରେ ଅର୍ଦ୍ଧ ଶତକଟିଏ ଆବଶ୍ୟକ। ସେଥିପାଇଁ ମୁଁ ଏହି ପୁରସ୍କାର ତାଙ୍କ ବାପାଙ୍କୁ ଉତ୍ସର୍ଗ କରୁଛି।’ ଏଥିସହ ତାଙ୍କୁ କ୍ରିକେଟ ଶିଖାଇଥିବା ତାଙ୍କର ସମସ୍ତ କୋଚ୍‌ଙ୍କୁ ଧନ୍ୟବାଦ ଦେଇଥିଲେ ଈଶାନ।

ଈଶାନ ଭାରତ ପାଇଁ ଟି-ଟ୍ୱେଣ୍ଡିରେ ଡେବ୍ୟୁ ବାବଦରେ ମଧ୍ୟ ମତ ରଖିଥିଲେ। ସେ କହିଥିଲେ, ଏହା ତାଙ୍କ ପାଇଁ ଏକ ବିଶେଷ ଅନୁଭବ। ଇଂଲଣ୍ଡ ବିପକ୍ଷ ପ୍ରଦର୍ଶନ ପାଇଁ ମୁଁ ନିଜକୁ ବହୁତ ଖୁସି ଅନୁଭବ କରୁଛି। ଏଥିପାଇଁ ମୁଁ ସମସ୍ତ କୋଚ୍, ସିନିୟର ଓ ସହଯୋଗୀଙ୍କୁ ଧନ୍ୟବାଦ ଦେଉଛି। କ୍ରିକେଟକୁ ନେଇ ଯାହା ବି ପ୍ରତିଭା ରହିଛି, ତାକୁ ଦେଖାଇବାର ସମୟ ଆସିଛି।

ଅଧିନାୟକ ବିରାଟ କୋହଲିଙ୍କ ବାବଦରେ ଈଶାନ କହିଥିଲେ ଯେ ତାଙ୍କ ପାଖରୁ ବହୁତ କିଛି ଶିଖିବାକୁ ବାକି ରହିଛି। କୋହଲି କ୍ରିଜରେ ଯେଉଁଭଳି କଥାବାର୍ତ୍ତା କରନ୍ତି, ତାହା ମାନସିକ ଚାପ ଦୂର କରେ। ସେଥିପାଇଁ ତାଙ୍କୁ ପ୍ରଥମ ମ୍ୟାଚ୍‌ରେ ଖେଳିବା ସହଜ ହୋଇଥିଲା।

ଈଶାନ ଗତକାଲି ୩୨ଟି ବଲ୍ ଖେଳି ୫୬ ରନ୍ କରିଥିଲେ। ତା’ ମଧ୍ୟରେ ଥିଲା ୫ଟି ଛକା ଓ ୪ଟି ଚୌକା। ଗତକାଲି ସେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ପଦାର୍ପଣ କରିଥିଲେ। କିନ୍ତୁ ଟି-ଟ୍ୱେଣ୍ଟି ତାଙ୍କ ପାଇଁ ନୂଆ ନୁହେଁ। କାରଣ ସେ ଆଇପିଏଲ୍ ଖେଳିଛନ୍ତି। ଆଉ ୨୦୨୦ ଆଇପିଏଲ ସିଜିନ୍‌ରେ ତାଙ୍କ ନାଁରେ ଏକ ଜବଦରଦସ୍ତ ରେକର୍ଡ ମଧ୍ୟ ରହିଛି।  ୨୦୨୦ ଆଇପିଏଲରେ ଈଶାନ ମୁମ୍ୱାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ବେଳେ ପୂରା ସିରିଜ୍‌ରେ ୩୦ଟି ଛକା ମାରିଥିଲେ। ଆଉ ଗତକାଲି ଇଂଲଣ୍ଡ ବିପକ୍ଷରେ ତାଙ୍କ ଛକା ଦେଖିବା ପରେ କ୍ରିକେଟ୍ ପ୍ରେମୀଙ୍କ ଆଇପିଏଲ୍ କଥା ମନେ ପଡ଼ି ଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।