ଇଂଲଣ୍ଡକୁ ବଡ଼ ଝଟକା, ଦିନିକଆ ସ୍କ୍ୱାଡରୁ ଆର୍ଚର୍ ଆଉଟ୍

ନୂଆଦିଲ୍ଲୀ: ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ୧୪ ଜଣିଆ ଇଂଲଣ୍ଡ ସ୍କ୍ୱାଡର ଘୋଷଣା କରାଯାଇଛି। ଦିନିକିଆ ସ୍କ୍ୱାଡରୁ ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚର୍ ବାଦ୍ ପଡ଼ିଛନ୍ତି। କହୁଣୀଜନିତ ଆଘାତ ଲାଗିଥିବାରୁ ଆର୍ଚର୍ ଚିକିତ୍ସା କରାଇବା ପାଇଁ ଇଂଲଣ୍ଡ ଫେରିଯିବେ। ଆର୍ଚରଙ୍କ ସ୍ଥାନରେ ମ୍ୟାଟ୍ ପାର୍କିନସନଙ୍କୁ ଟିମରେ ସାମିଲ୍ କରାଯାଇଛି। ଅନ୍ୟପକ୍ଷରେ ଇଂଲଣ୍ଡ ଟେଷ୍ଟ ଟିମ୍ କ୍ୟାପଟେନ୍ ଜୋ ରୁଟଙ୍କୁ ମଧ୍ୟ ସ୍କ୍ୱାଡରେ ସ୍ଥାନ ମିଳିନାହିଁ।

ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ପ୍ରଥମଥର ଇଂଲଣ୍ଡ ଦିନିକିଆ ଟିମରେ ସାମିଲ୍ କରାଯାଇଛି। ଲିଭିଙ୍ଗଷ୍ଟୋନ୍ ଟି-୨୦ ସିରିଜରେ ମଧ୍ୟ ଟିମର ସଦସ୍ୟ ଥିଲେ, କିନ୍ତୁ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିନାହିଁ। ବ୍ୟାକଅପ୍ ଭାବେ ଜ୍ୟାକ୍ ବଲ୍, କ୍ରିସ ଜୋର୍ଡାନ୍ ଓ ଡାୱିଡ୍ ମଲାନ୍ ଟିମ୍ ସହ ରହିବେ।

ଭାରତ ଓ ଇଂଲଣ୍ଡ ଦିନିକିଆ ସିରିଜର ସବୁଯାକ ମ୍ୟାଚ୍ ପୁଣେରେ ଏମସିଏ ଷ୍ଟାଡିୟମରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍ ୨୩ ତାରିଖରେ ଖେଳାଯିବ। ଏହା ପରେ ୨୬ରେ ଦ୍ୱିତୀୟ ଓ ୨୮ରେ ତୃତୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଇଂଲଣ୍ଡକୁ ଟେଷ୍ଟ ସିରିଜରେ ୩-୧ରେ ଏବଂ ଟି-୨୦ରେ ୩-୨ରେ ପରାସ୍ତ କରିଛି। ଇଅନ୍ ମୋର୍ଗାନଙ୍କ ଟିମ୍ ବର୍ତ୍ତମାନ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଛି। ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

ଇଂଲଣ୍ଡ ଦିନିକିଆ ସ୍କ୍ୱାଡ୍: ଇଅନ୍ ମୋର୍ଗାନ୍ (କ୍ୟାପଟେନ୍), ମୋଇନ୍ ଅଲୀ, ଜୋନାଥନ୍ ବେୟାରଷ୍ଟୋ, ସାମ୍ ବିଲିଙ୍ଗସ୍, ଜୋସ୍ ବଟଲର୍, ସାମ୍ କୁରାନ୍, ଟମ୍ କୁରାନ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମ୍ୟାଟ୍ ପାର୍କିନସନ୍, ଆଦିଲ୍ ରଶିଦ୍, ଜେସନ୍ ରୟ, ବେନ୍ ଷ୍ଟୋକ୍ସ, ରୀସ ଟପଲେ, ମାର୍କ ଉଡ୍।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।