ପଦାର୍ପଣରେ ଧମାକା କଲେ କୃନାଲ୍, ଭାରତ ୩୧୭/୫

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ଭାରତ ଡେବ୍ୟୁଟାଣ୍ଟ କୃନାଲ୍ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ହରାଇ ୩୧୭ ରନ୍ କରିଛି। ଫଳରେ ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡକୁ ୩୧୮ ରନ୍ କରିବାକୁ ପଡ଼ିବ।

ଭାରତ ପକ୍ଷରୁ ଶିଖର ଧୱନ୍ ଓ କ୍ୟାପଟେନ୍ ବିରାଟ୍‌ କୋହଲି ଜବରଦସ୍ତ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଥିଲେ। ମିଡିଲ୍ ଅର୍ଡରରେ ବ୍ୟାଟିଂ କୋଲାପ୍ସ ଯୋଗୁ ଭାରତର ବଡ଼ ସ୍କୋର ଆଶା ମଉଳି ଯାଇଥିଲା। କିନ୍ତୁ ଡେବ୍ୟୁଟାଣ୍ଟ କୃନାଲ୍ ପାଣ୍ଡ୍ୟା ଓ ଟି-୨୦ ସିରିଜରେ ନିରାଶ କରିଥିବା ଲୋକେଶ ରାହୁଲ୍ ଧୂଆଁଧାର ବ୍ୟାଟିଂ କରି ଭାରତକୁ ମଜଭୁତ୍ ସ୍କୋର ଦେଇଥିଲେ।

ଭାରତ ପକ୍ଷରୁ ଧୱନ୍ ସର୍ବାଧିକ ୯୮ ରନ୍ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବା ବେଳେ କୋହଲି ୫୬ ରନର ଇନିଂସ୍ ଖେଳିଛନ୍ତି। ରାହୁଲ୍ ଓ କୃନାଲ୍ ଷଷ୍ଠ ୱିକେଟ୍ ପାଇଁ ୫୭ ବଲରେ ୧୧୨ ରନ୍ କରି ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ରାହୁଲ୍ ୪୩ ବଲରେ ୪ ଚୌକା ଓ ୪ ଛକା ସହ ୬୨ ଓ କୃନାଲ୍ ୩୧ ବଲରେ ୭ ଚୌକା ଓ ୨ ଛକା ସହ ୫୮ ରନ୍ କରି ଅପରାଜିତ ଥିଲେ।

ସ୍ଥାନୀୟ ଏମସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଧିମା ଆରମ୍ଭ କରିଥିଲେ। କହୁଣୀରେ ଆଘାତ ଲାଗିବା ପରେ ରୋହିତଙ୍କୁ ବ୍ୟାଟିଂ କରିବାରେ ସାମାନ୍ୟ ସମସ୍ୟା ହୋଇଥିଲା। ଏହା ସତ୍ତ୍ୱେ ରୋହିତ୍ ବ୍ୟାଟିଂ କରିଥିଲେ, କିନ୍ତୁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଭାରତର ସ୍କୋର ୬୪ ଥିବା ବେଳେ ରୋହିତ (୨୬)ଙ୍କୁ ଆଉଟ୍ କରିଥିଲେ ବେନ୍ ଷ୍ଟୋକ୍ସ।

ରୋହିତଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାପଟେନ୍ କୋହଲି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ଧୱନଙ୍କ ସହ ମିଶି ଭାରତର ସ୍କୋରକୁ ଆଗକୁ ନେଇଥିଲେ। ଧୱନ୍ ୬୮ ବଲରେ ଓ କୋହଲି ୫୦ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ଧୱନ୍ ରନ୍ ଗତିକୁ ବଢ଼ାଇଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍‌ ପାଇଁ ଶତକୀୟ (୧୦୫ ରନ୍) ଭାଗିଦାରୀ କରିବା ପରେ କୋହଲିଙ୍କ ମୂଲ୍ୟବାନ୍ ୱିକେଟ୍‌ ନେଇଥିଲେ ମାର୍କ ଉଡ୍। କୋହଲି ୬୦ ବଲରେ ୬ ଚୌକା ସହ ୫୬ ରନ୍ କରିଥିଲେ। ଶ୍ରେୟସ ଆୟର ମାତ୍ର ୬ ରନ୍ କରି ଉଡଙ୍କ ଶିକାର ହୋଇଥିଲେ।

ଆୟରଙ୍କ ଆଉଟ୍ ପରେ ଶତକ ଆଶାରେ ଥିବା ଧୱନଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ଷ୍ଟୋକ୍ସ। ଭାରତର ସ୍କୋର ୧୯୭ ଥିବା ବେଳେ ଧୱନ୍ ଆଉଟ୍ ହୋଇଥିଲେ। ଧୱନ୍ ୧୦୬ ବଲରେ ୧୧ ଚୌକା ଓ ୨ ଛକା ସହ ୯୮ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧ ରନ୍ କରି ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। ୨୦୫ ରନରେ ୫ ୱିକେଟ୍ ହରାଇବା ପରେ ଭାରତର ବଡ଼ ସ୍କୋର ମଉଳି ଯାଇଥିବା ବେଳେ ରାହୁଲ ଓ କୃନାଲ୍ ଜବରଦସ୍ତ ବ୍ୟାଟିଂ କରିଥିଲେ।

ଦୁହେଁ ଇଂଲଣ୍ଡ ବୋଲରଙ୍କୁ ନିର୍ଧୁମ୍ ଧୁଲେଇ କରି ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। କୃନାଲ୍‌ ୨୬ ବଲରେ ଅର୍ଦ୍ଧଶତକ ମାରିଥିବା ବେଳେ ରାହୁଲ୍ ୩୯ ବଲରେ ୫୦ ରନ୍ ପୂରଣ କରିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ୩ଟି ଓ ଉଡ୍ ୨ଟି ୱିକେଟ୍‌ ନେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।