ମୋଦି ଷ୍ଟାଡିୟମରେ ପୁଣି ରାହୁଲ୍ ଫେଲ୍

ଅହମଦାବାଦ: ଅହମଦାବାଦରେ ଦୁନିଆର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ନିର୍ମିତ ହୋଇଛି। ଯାହାର ନାଁ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ରଖାଯାଇଛି। ଏହି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଲଗାତର ତୃତୀୟ ମ୍ୟାଚରେ ଫେଲ୍ ମାରିଛନ୍ତି। ରାହୁଲ୍ ପ୍ରଥମ ମ୍ୟାଚରେ ୧, ଦ୍ୱିତୀୟ ମ୍ୟାଚରେ ୦ ଓ ତୃତୀୟ ମ୍ୟାଚରେ ୦ କରିଛନ୍ତି। ଏହାସହ ରାହୁଲ୍ ପ୍ରଥମଥର କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଖାତା ଖୋଲିନପାରି ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି।

ରାହୁଲଙ୍କ ପୂର୍ବରୁ ଭାରତର ଅମ୍ବାତି ରାୟୁଡୁ, ଆଶିଷ ନେହରା ଓ ୟୁସୁଫ୍ ପଠାନ୍ ମଧ୍ୟ ଟି-୨୦ରେ ଲଗାତର ଶୂନରେ ଆଉଟ୍ ହୋଇଥିଲେ। ରାହୁଲ୍ ପ୍ରଥମ ତିନୋଟି ମ୍ୟାଚରେ ମୋଟ ୧ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ରାହୁଲ ମଧ୍ୟ ନିଜର ଶେଷ ଚାରୋଟି ଇନିଂସରେ ତିନିଥର ଖାତା ଖୋଲିପାରିନାହାନ୍ତି। ରାହୁଲ୍ ଲଗାତର ଗୋଟିଏ ପ୍ରକାରର ଭୁଲ୍ କରୁଛନ୍ତି ଏବଂ ଏଥିପାଇଁ ତାଙ୍କର ଖରାପ ଟେକନିକକୁ ଦାୟୀ କରିଛନ୍ତି ପୂର୍ବତନ କ୍ରିକେଟର୍। ରାହୁଲଙ୍କର ଏହି ଖରାପ ଫର୍ମ ଏବେ ଟିମ୍ ପାଇଁ ଚିନ୍ତାର କାରଣ ହୋଇଛି।

ପ୍ରଥମ ଦୁଇଟି ମ୍ୟାଚରେ ଫ୍ଲପ୍ ରହିବା ପରେ ରାହୁଲଙ୍କୁ ତୃତୀୟ ମ୍ୟାଚରେ ମଧ୍ୟ ସୁଯୋଗ ମିଳିଛି। ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା ଦେଖାଇ ରୋହିତ୍ ଶର୍ମାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିବା ସତ୍ତ୍ୱେ ତାଙ୍କୁ ବାଦ୍ ଦିଆଯାଇନଥିଲା। ରୋହିତ୍ ଟିମକୁ ଫେରିଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କୁ ତୃତୀୟ ମ୍ୟାଚରୁ ବାଦ୍ ଦିଆଯାଇଥିଲା। କିନ୍ତୁ ରାହୁଲ ଏବେ ଲଗାତର ଫେଲ୍ ମାରିଥିବାରୁ ଚତୁର୍ଥ ଟି-୨୦ ମ୍ୟାଚରେ ତାଙ୍କର ଖେଳିବାର ସମ୍ଭାବନା କମ୍ ଲାଗୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।