ଶୂନରେ ଆଉଟ୍ ହୋଇ ଗାଙ୍ଗୁଲିଙ୍କ ରେକର୍ଡ କାଟିଲେ କୋହଲି

ଅହମ୍ମଦାବାଦ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ କୋହଲି ଖାତା ଖୋଲିପାରିନାହାନ୍ତି। ଏଥିସହ କ୍ୟାପଟେନ୍ ଭାବେ କୋହଲି ସର୍ବାଧିକଥର ଶୂନରେ ଆଉଟ୍ ହେବାର ଅଲୋଡ଼ା ରେକର୍ଡ ନିଜ ନାଁରେ କରିଛନ୍ତି। କ୍ୟାପଟେନ୍ ଭାବେ କୋହଲି ରେକର୍ଡ ୧୪ଥର ଖାତା ଖୋଲିପାରିନାହାନ୍ତି। କୋହଲି ଏବେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି।

କ୍ୟାପଟେନ୍ ଭାବେ ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟରେ ୧୩ଥର ଶୂନରେ ଆଉଟ୍ ହୋଇଛନ୍ତି। ତାଙ୍କ ପରକୁ ମହେନ୍ଦ୍ର ସିଂହ ଧୋନି ୧୧ଥର, କପିଲ୍ ଦେବ ୧୦ଥର ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି। ଏହି ତାଲିକାରେ ମହମ୍ମଦ ଆଝାରୁଦ୍ଦିନ (୮ଥର) ପଞ୍ଚମ ସ୍ଥାନରେ ରହିଛନ୍ତି।

ଆଜି ମ୍ୟାଚରେ କୋହଲିଙ୍କୁ ଇଂଲଣ୍ଡ ସ୍ପିନର୍ ଆଦିଲ୍ ରଶିଦ୍ ଆଉଟ୍ କରିଛନ୍ତି। ଏଥିସହ କୋହଲି ଏହି ଛୋଟିଆ ଫର୍ମାଟରେ ରିଷ୍ଟ ସ୍ପିନରଙ୍କ ବିରୋଧରେ ୧୦ଥର ଆଉଟ୍ ହେବାର ରେକର୍ଡ କରିଛନ୍ତି। ବିଶେଷକରି ଲେଗ୍ ସ୍ପିନ୍ ବିରୋଧରେ କୋହଲିଙ୍କୁ ବିଗତ ଦିନରେ ବେଶ୍ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଛି। ତେବେ ଟି-୨୦ କ୍ୟାରିୟରରେ ସ୍ପିନରଙ୍କ ବିରୋଧରେ ୧୫ଥର ଆଉଟ୍ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।