ସାନ ଭାଇ ହାତରୁ ଡେବ୍ୟୁ କ୍ୟାପ୍ ପାଇ କାନ୍ଦି ପକାଇଲେ ବଡ଼ ଭାଇ

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛନ୍ତି। ସିରିଜର ପ୍ରଥମ ଦିନିକିଆରେ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର କୃନାଲ୍ ପାଣ୍ଡ୍ୟା ଓ ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା। ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ ଆଧାରରେ ଦୁହିଁଙ୍କୁ ଏହି ଉପହାର ମିଳିଛି।

ଭାରତ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିସାରିଥିବା କୃନାଲ୍ ପାଣ୍ଡ୍ୟା ମଙ୍ଗଳବାର ଦିନିକିଆ ପଦାର୍ପଣ କରିଛନ୍ତି। କୃନାଲଙ୍କୁ ତାଙ୍କ ସାନ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ଡେବ୍ୟୁ କ୍ୟାପ୍ ପ୍ରଦାନ କରିଛନ୍ତି। ସେହିପରି କ୍ରିଷ୍ଣାଙ୍କୁ ଲୋକେଶ ରାହୁଲ୍ ଡେବ୍ୟୁ କ୍ୟାପ୍ ଦେଇଛନ୍ତି। ୨୯ ବର୍ଷୀୟ କୃନାଲ୍ ଭାରତ ପକ୍ଷରୁ ୧୮ ଟି-୨୦ ମ୍ୟାଚରେ ୧୨୧ ରନ୍ କରିବା ସହ ୧୪ ୱିକେଟ୍ ମଧ୍ୟ ନେଇଛନ୍ତି।

ସାନ ଭାଇ ହାତରୁ ଡେବ୍ୟୁ କ୍ୟାପ୍ ପାଇବା ପାଇଁ କୃନାଲ୍ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ। କ୍ୟାପ୍ ପାଇବା ପରେ କୃନାଲ୍ ଆକାଶକୁ ଚାହିଁ ନିଜ ପିତାଙ୍କୁ ମନେ ପକାଇଥିଲେ। ଚଳିତ ବର୍ଷ ଜାନୁଆରୀ ମାସରେ କୃନାଲ ଓ ହାର୍ଦ୍ଦିକଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ପିତାଙ୍କ ପରଲୋକରେ ଖୁବ୍ ମର୍ମାହତ ହୋଇଥିଲେ ଦୁଇ ଭାଇ। ଏବେ ଦୁଇଭାଇ ନିଜ ନିଜର କ୍ୟାରିୟରରେ ଫୋକସ୍ କରୁଛନ୍ତି। ବିଜୟ ହଜାରେ ଟ୍ରଫିରେ କୃନାଲ୍ ୫ ଇନିଂସରେ ୩୮୮ ରନ୍ କରିଛନ୍ତି, ଯେଉଁଥିରେ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ସାମିଲ୍‌ ଅଛି।

ଅନ୍ୟତମ ଡେବ୍ୟୁଟାଣ୍ଟ ପ୍ରସିଦ୍ଧ କ୍ରିଷ୍ଣା ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା କ୍ରିଷ୍ଣା ଏପର୍ଯ୍ୟନ୍ତ ୨୪ ଆଇପିଏଲ୍‌ ମ୍ୟାଚ୍ ଖେଳି ୧୮ ୱିକେଟ୍ ନେଇଛନ୍ତି। ସେହିପରି କ୍ରିଷ୍ଣା ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିରେ ୧୪ ୱିକେଟ୍‌ ନେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।