ଡେବ୍ୟୁ ମ୍ୟାଚରେ ଇତିହାସ ରଚିଲେ କୃନାଲ୍

ପୁଣେ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର କୃନାଲ୍ ପାଣ୍ଡ୍ୟା ନିଜର ଡେବ୍ୟୁ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଇତିହାସ ରଚିଛନ୍ତି। କୃନାଲ ଡେବ୍ୟୁ ମ୍ୟାଚରେ ଦ୍ରୁତ ଅର୍ଦ୍ଧଶତକ ମାରିବାର ବିଶ୍ୱ ରେକର୍ଡ ନିଜ ନାଁରେ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମାତ୍ର ୨୬ ବଲରେ ଅର୍ଦ୍ଧଶତକ ମାରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।

କୃନାଲ୍ ୩୧ ବଲରେ ୫୮ ରନର ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୭ ଚୌକା ଓ ୨ଛକା ସାମିଲ୍ ଅଛି। କୃନାଲଙ୍କ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ଜନ୍ ମୋରିସଙ୍କ ନାଁରେ ପଦାର୍ପଣ ମ୍ୟାଚରେ ଦ୍ରୁତ ଅର୍ଦ୍ଧଶତକ ମାରିବାର ରେକର୍ଡ ଥିଲା। ମୋରିସ୍ ୧୯୯୦ରେ ଇଂଲଣ୍ଡ ବିପକ୍ଷରେ ୩୫ ବଲରେ ଅର୍ଦ୍ଧଶତକ ମାରିଥିଲେ।

ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୪ ତାରିଖରେ ୩୦ ବର୍ଷରେ ପାଦ ଦେବାକୁ ଥିବା କୃନାଲ୍ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣରେ ୫୦ରୁ ଅଧିକ ରନ୍ କରିବାରେ ଭାରତର ୧୫ଶ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହା ପୂର୍ବରୁ ୨୦୧୬ରେ ଫୈଜ ଫଜଲ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ମାରିଥିଲେ।

କୃନାଲ୍ ମଧ୍ୟ ସପ୍ତମ କିମ୍ବା ଏହାଠାରୁ ନିମ୍ନକ୍ରମରେ ବ୍ୟାଟିଂ କରି ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ମାରିବାରେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ସବା କରିମ୍ ଓ ରବୀନ୍ଦ୍ର ଜାଡେଜା ଏହି କାରନାମା କରିଥିଲେ। ୧୯୯୭ରେ ସବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୫ ରନ୍ ଏବଂ ଜାଡେଜା ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ୬୦ ରନର ଇନିଂସ୍ ଖେଳିଥିଲେ। ଆଜି ମ୍ୟାଚରେ କୃନାଲ୍ ଦମଦାର ଇନିଂସ୍ ଖେଳିବା ପରେ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।