ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ କବଜା କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି-୨୦ ପରେ ଘରୋଇ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ବି କବଜା କରିଛି ଭାରତୀୟ ଟିମ। ଟି-୨୦ ସିରିଜକୁ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୨-୧ରେ ଜିତିଥିଲା। ଆଜି ଶିଖର ଧୱନଙ୍କ ଟିମ ଇଣ୍ଡିଆ ସମାନ ୨-୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଜିତିଛି। ସିରିଜ୍‌ ଡିସାଇଡର ମ୍ୟାଚ୍‌ ଆଜି ସଂପୂର୍ଣ୍ଣ ଏକତରଫା ରହିଛି।

ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୯୯ ରନରେ ଅଲଆଉଟ ହୋଇଯାଇଥିଲା। ଏହା ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ଦିନିକିଆ ସ୍କୋର। ସିରିଜ୍‌ ଜିତିବାକୁ ୫୦ ଓଭରରେ ୧୦୦ ରନର ଟାର୍ଗେଟ ପାଇଥିବା ଭାରତ ୩ଟି ୱିକେଟ ହରାଇ ଏହାକୁ ହାସଲ କରି ନେଇଛି।

ଭାରତ ପାଇଁ ଶୁବମନ ଗିଲ୍‌ ସର୍ବାଧିକ ୪୯ ରନ କରି ଆଉଟ ହୋଇଥିବା ବେଳେ ଶ୍ରେୟସ ଆୟର ୨୮ ରନ କରି ଅପରାଜିତ ରହିଛନ୍ତି। ଦଳକୁ ଜିତିବା ପାଇଁ ମାତ୍ର ୩ ରନ ଦରକାର ଥିବା ବେଳେ ଗିଲ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଶିଖର ଧୱନ ୮, ଇଶାନ କିଶନ ୧୦ ରନ କରିଛନ୍ତି। ସେହିପରି ସଞ୍ଜୁ ସାମସନ ଅପରାଜିତ ୨ ରନ କରିଛନ୍ତି। ଭାରତ ଏହି ମ୍ୟାଚ୍‌କୁ ୭ ୱିକେଟରେ ୧୮୫  ବଲ ପୂର୍ବରୁ ଜିତି ନେଇଛି।

ଦିଲ୍ଲୀରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା। ଉଭୟ ସ୍ପିନର ଓ ଦ୍ରୁତ ବୋଲର ନିଜର ଜଲୱା ଦେଖାଇଥିଲେ। କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ୱାଶିଂଟନ ସୁନ୍ଦର, ଶାହବାଜ ଅହମଦ ଓ ମହମ୍ମଦ ସିରାଜ ଦୁଇଟି ଲେଖାଏ ସଫଳତା ପାଇଛନ୍ତି।

ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ୨୭.୧ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୯୯ ରନ କରି ପାରିଥିଲା। ଦଳ ପକ୍ଷରୁ ହେନରିଚ୍‌ କ୍ଲାସେନ ୩୪ ରନର ଇନିଂସ ଖେଳିଥିବା ବେଳେ ମାର୍କୋ ଜାନସେନ ୧୪ ଓ ରୀଜା ହେଣ୍ଡ୍ରିକ୍ସ ୧୫ ରନ କରିଥିଲା। ଏହି ୩ ଜଣଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଦକ୍ଷିଣ ଆଫ୍ରିକା ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲା।

୧୦୦ ରନର ଟାର୍ଗେଟ ପାଇଥିବା ଭାରତ ୪୨ ରନରେ ଶିଖର ଧୱନ(୮)ଙ୍କୁ ହରାଇଥିଲା। ଏହାପରେ ଈଶାନ କିଶନ(୧୦) ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ୫୮ ରନରେ ଦ୍ୱିତୀୟ ୱିକେଟ ହରାଇଥିବା ଭାରତକୁ ଶେଷ ଯାଏ ଶୁବମନ ଗିଲ ଓ ଶ୍ରେୟସ ଆୟର ସମ୍ଭାଳିଥିଲେ। ଦଳକୁ ଜିତିବା ପାଇଁ ୩ ରନ ଓ ନିଜର ଅର୍ଦ୍ଧଶତକ ଠାରୁ ୧ ରନ ପଛରେ ଥିବା ଗିଲ୍‌ ହଠାତ୍‌ ଲୁଙ୍ଗି ଏନଗିଡିଙ୍କ ବଲରେ ଆଉଟ ହୋଇଯାଇଥିଲେ। ୫୮ ବଲରେ ୪୯ ରନ କରିଥିବା ଗିଲ ୮ଟି ଚୌକା ମାରିଛନ୍ତି।

ଭାରତ ବିଜୟ ଠାରୁ ୩ ରନ ଦୂରରେ ଥିବା ବେଳେ କ୍ରିଜ୍‌କୁ ଆସିଥିଲେ ସଞ୍ଜୁ ସାମସନ। ସେ ୨ ରନ କରି ବିଜୟ ରନ ମାରିବାକୁ ଆୟରଙ୍କୁ ସୁଯୋଗ ଦେଇଥିଲେ। ଦଳକୁ ଜିତିବା ପାଇଁ ୧ରନ ଦରକାର ଥିବା ବେଳେ ଆୟର ଦ୍ରୁତ ବୋଲର ଜାନସେନଙ୍କୁ ଛକା ମାରି ଭାରତ ପାଇଁ ବିଜୟ ମୁଣ୍ଡି ମାରିଥିଲେ।

ଆୟର ଶେଷ ଯାଏ ୨୮ ରନ କରି ଅପରାଜିତ ରହିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଦିନିକିଆ ସିରିଜ୍‌ରେ ସାମସନଙ୍କୁ ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ଆଉଟ କରି ପାରି ନାହାନ୍ତି। ପ୍ରଥମ ଦିନିକିଆରେ ଭାରତ ୯ ରନରେ ହାରିଥିଲେ ମଧ୍ୟ ସାମସନ ଅପରାଜିତ ୮୬ ରନ କରିଥିଲେ। ସେହିପରି ସେ ଦ୍ୱିତୀୟ ଦିନିକିଆରେ ଅପରାଜିତ ୨୯ ରନ କରି ଶ୍ରେୟସ ଆୟରଙ୍କ ସହ ଶେଷ ଯାଏ ରହିଥିଲେ। ଆଜି ମଧ୍ୟ ସେ ୨ ରନ କରି ନଟଆଉଟ ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।