ବାବରଙ୍କ ବିରୋଧରେ ଏଫଆଇଆର୍ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ବାବର ଆଜମଙ୍କ ସମସ୍ୟା ବଢ଼ିପାରେ। ଲାହୋରର ଏକ କୋର୍ଟ ନିର୍ଯାତନା ମାମଲାରେ ବାବର ଆଜମଙ୍କ ବିରୋଧରେ ଏଫଆଇଆର୍ ଦାୟର କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ହମିଜା ମୁଖତାର ନାମକ ଜଣେ ମହିଳାଙ୍କ ଆବେଦନ ଉପରେ ବିଚାରପତି ହାମିଦ୍ ହୁସେନ୍ ଲାହୋରରେ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମହିଳା ଜଣକ ଦାବି କରିଛନ୍ତି ଯେ ପାକିସ୍ତାନ କ୍ୟାପଟେନଙ୍କ ବିରୋଧରେ ମୋକଦ୍ଦମା ଦାୟର କରିବା ପରେ ତାଙ୍କୁ ହ୍ୱାଟ୍ସଆପରେ ଧମକପୂର୍ଣ୍ଣ ମେସେଜ୍ ମିଳୁଛି। ଶୁଣାଣି ବେଳେ ତଦନ୍ତକାରୀ ସଂସ୍ଥାର ଅଧିକାରୀ କୋର୍ଟଙ୍କୁ କହିଛନ୍ତି ଯେ ହମିଜା ସାଇବର ଅପରାଧ ସହ ଜଡ଼ିତ ବିଭାଗରେ ଅଭିଯୋଗ କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁ ନମ୍ବରରୁ ଧମକଭରା ମେସେଜ୍ ପଠାଯାଇଥିଲା, ସେଥିରେ ଗୋଟିଏ ନମ୍ବର ପାକ୍ କ୍ୟାପଟେନ୍ ବାବର ଆଜମଙ୍କର ରହିଛି।

ହମିଜା ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ବିଭିନ୍ନ ନମ୍ବରରୁ ହ୍ୱାଟ୍ସଆପରୁ ଲଗାତର ଧମକଭରା ମେସେଜ୍ ମିଳୁଥିଲା। ଅର୍ଥାତ୍ ତାଙ୍କୁ କେହି ଅଜଣା ବ୍ୟକ୍ତି ବ୍ଲାକମେଲ୍ କରୁଛନ୍ତି ଏବଂ ସେହି ବ୍ୟକ୍ତିଙ୍କ ପାଖରେ ହମିଜାଙ୍କର କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ରହିଛି। ସେହି ଅଜଣା ବ୍ୟକ୍ତି ଫଟୋ ଓ ଭିଡିଓକୁ ସୋଶାଲ ମିଡିଆରେ ଅପଲୋଡ୍ କରିବାକୁ ଧମକ ଦେଉଥିଲା। ହମିଜା ଏହା ପୂର୍ବରୁ ମଧ୍ୟ ବାବରଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

ହମିଜା ଅଭିଯୋଗ କରିଥିଲେ ଯେ ବାବର ତାଙ୍କର ଯୌନ ଶୋଷଣ କରିଛନ୍ତି। ଜୋର ଜବରଦସ୍ତି ଗର୍ଭପାତ କରାଇବା ସହ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ଜଣକ କହିଥିଲେ ଯେ ବାବର ଓ ସେର ଗୋଟିଏ ସ୍କୁଲରେ ପଢ଼ୁଥିଲୁ। ବାବର ତାଙ୍କୁ ବିବାହ ପାଇଁ ପ୍ରସ୍ତାବ କରିଥିଲେ ଏବଂ ସେଥିରେ ସେ ରାଜି ହୋଇଥିଲା। କିନ୍ତୁ ଯେତେବେଳେ ବାବର ୨୦୧୪ରେ ଜାତୀୟ ଦଳ ପାଇଁ ଚୟନ ହେଲେ, ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଲା। ୨୦୧୫ରେ ମହିଳା ଜଣକ ଗର୍ଭବତୀ ଥିବା ବାବରଙ୍କୁ ଜଣାଇଥିଲେ। ଏହା ଶୁଣି ବାବର ତାଙ୍କୁ ମାରପିଟ୍ କରିଥିବା ମହିଳା ଜଣକ ଅଭିଯୋଗ ଆଣିଥିଲେ।

୨୬ ବର୍ଷୀୟ ବାବର ଏପର୍ଯ୍ୟନ୍ତ ୩୧ ଟେଷ୍ଟ, ୭୭ ଦିନିକିଆ ଓ ୪୭ ଟି-୨୦ ମ୍ୟାଚରେ ପାକିସ୍ତାନର ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କର ତୁଳନା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ କରାଯାଏ। ଟେଷ୍ଟ କ୍ରିକେଟରେ ବାବରଙ୍କ ଆଭରେଜ୍ ୪୫ ଥିବା ବେଳେ ଦିନିକିଆରେ ପାଖାପାଖି ୫୫ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।